#International

ଆମେରିକାକୁ ଟକ୍କର ଦେବାକୁ ଇରାନ ଘାନିଙ୍କ ହାତରେ ଦେଲା ସେନା ଦାୟିତ୍ୱ

ୱାସିଂଟନ/ତେହରାନ: ଇରାନ୍‌ର କମାଣ୍ଡର ଜେନେରାଲ କ୍ବାସିମ ସୁଲେମାନୀଙ୍କ ମୃତ୍ୟୁ ପରେ ଏବେ ସମଗ୍ର ମଧ୍ୟପ୍ରାଚ୍ୟ ଅସ୍ଥିରତା ଆଡ଼କୁ ମୁହାଁଇଛି। ଇରାନ୍‌-ଆମେରିକା ମଧ୍ୟରେ ତୀବ୍ର ଉତ୍ତେଜନାପୂର୍ଣ୍ଣ ସ୍ଥିତି ଲାଗି ରହିଥିବାରୁ ଏହା କେତେବେଳେ ଯୁଦ୍ଧର ରୂପ ନେବ କହିହେବ ନାହିଁ। ଏହାରି ଭିତରେ କ୍ବାସିମ ସୁଲେମାନୀଙ୍କ ସ୍ଥାନରେ ଇରାନ ଜେନେରାଲ ଇସ୍ମାଇଲ ଘାନିଙ୍କୁ ସେନାର ମୁଖ୍ୟ ଦାୟିତ୍ୱ ଦେଇଛି | ଏଣିକି ଘାନି ୧ ଲକ୍ଷ ୨୫ ହଜାର ସୈନ୍ୟ ବଳ ଥିବା ଇରାନ ସୈନ୍ୟ ଦଳର ପ୍ରମୁଖ ଭାବେ ଦାୟିତ୍ୱ ନିର୍ବାହ କରିବେ |

୬୨ ବର୍ଷୀୟ ଘାନି ୧୯୮୦ ମସିହାରେ ହୋଇଥିବା ଇରାନ-ଇରାକ ଯୁଦ୍ଧରେ ଭାଗ ନେଇଥିଲେ | ସେ କ୍ବାସିମ ସୁଲେମାନୀଙ୍କ ଘନିଷ୍ଠ ସହଯୋଗୀ ଭାବେ ଜଣାଶୁଣା ଥିବାବେଳେ ସେ ମଧ୍ୟ ଆମେରିକାର ପ୍ରମୁଖ ବିରୋଧୀ ଭାବେ ବେଶ ଜଣାଶୁଣା | ଘାନିଙ୍କ ପାଇଁ ଆମେରିକା ସୈନିକଙ୍କୁ ଇରାକରେ ଇରାନଠାରୁ ଅଧିକ କ୍ଷତି ସହିବାକୁ ପଡିଥିଲା |

ଏଠାରେ ସୂଚନା ଥାଉ କି ଯୁକ୍ତରାଷ୍ଟ୍ର ଆମେରିକାର କୌଣସି ସାମରିକ ଆଡ୍ଡା କିମ୍ବା ତା’ର ନାଗରିକମାନଙ୍କ ଉପରେ ଆକ୍ରମଣ ହେଲେ ବିଶ୍ୱବାସୀ କେବେ ଦେଖି ନ ଥିବା ସେନାବାହିନୀ ଏବଂ ‘ସମ୍ପୂର୍ଣ୍ଣ ନୂଆ’ ଓ ‘ସୁନ୍ଦର’ ଆମେରିକୀୟ ଅସ୍ତ୍ରରେ ଇରାନ୍‌ ଆକ୍ରମଣ କରିବାକୁ ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ରବିବାର ଦିନ ପ୍ରତିଜ୍ଞା କରିଛନ୍ତି। ଇରାନର ସେନା କମାଣ୍ଡର୍‌ ମେଜର୍‌ ଜେନେରାଲ୍‌ କାଶିମ୍‌ ସୁଲେମାନୀଙ୍କୁ ଦୁଇ ଦିନ ତଳେ ଡ୍ରୋନ୍‌ ଆକ୍ରମଣରେ ହତ୍ୟା କରାଯିବା ପରେ ଯୁକ୍ତରାଷ୍ଟ୍ର ଆମେରିକା ଓ ଇରାନ୍‌ ମଧ୍ୟରେ ବିବାଦ ତେଜିଛି। ସୁଲେମାନୀଙ୍କ ମୃତ୍ୟୁର ପ୍ରତିଶୋଧ ନେବାକୁ ଇରାନ୍‌ର ସର୍ବୋଚ୍ଚ ନେତା ଆୟୋତୋଲ୍ଲା ଖାମେନି ମଧ୍ୟ ଘୋଷଣା କରିଥିଲେ।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *