#Science & Techologies

ଜହ୍ନକୁ ଯାଇ ଏସବୁ ଖାଦ୍ୟ ଖାଇବେ ମହାକାଶଚାରୀ, ଇସ୍ରୋ ପ୍ରସ୍ତୁତ କଲା ରାନ୍ଧଣା ତାଲିକା

ନୂଆଦିଲ୍ଲୀ: ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ ବା ଇସ୍ରୋ ୨୦୨୧ ମସିହାରେ ନିଜର ପ୍ରଥମ ମାନବଯୁକ୍ତ ଅନ୍ତରୀକ୍ଷ ମିଶନ ‘ଗଗନଯାନ’ ପଠାଇବ | ‘ଗଗନଯାନ’ ହେଉଛି କକ୍ଷପଥରେ ଘୂର୍ଣ୍ଣୟମାନ ମାନବବାହୀ ଭାରତୀୟ ମହାକାଶଯାନ। ଏହା ହେଉଛି ‘ଇଣ୍ଡିଆନ୍‌ ହ୍ୟୁମାନ୍‌ ସ୍ପେସ୍‌ଫ୍ଲାଇଟ୍‌ ପ୍ରୋଗ୍ରାମ୍‌’ର ଅଂଶବିଶେଷ। ଭାରତର ‘ଗଗନଯାନ’ ଅଭିଯାନ ନିମନ୍ତେ ଚାରି ଜଣ ମହାକାଶଚାରୀଙ୍କୁ ମନୋନୀତ କରାଯାଇଥିବା କଥା ଇସ୍ରୋ କହିଛି | ଚାରି ଜଣ ମହାକାଶଚାରୀ ଚନ୍ଦ୍ରକୁ ଯିବାକୁ ଥିବାବେଳେ ଚଳିତ ମାସ ତୃତୀୟ ସପ୍ତାହରେ ପ୍ରଶିକ୍ଷଣ ପାଇଁ ଋଷ ଯିବେ | ତେବେ ଆପଣ ଜାଣିଛନ୍ତି କି ଭାରତର ଏହି ୪ ଜଣ ମହାକାଶଚାରୀ ଅନ୍ତରୀକ୍ଷରେ କଣ ଖାଇବେ | ଏହି ମିଶନ ସମୟରେ ସେମାନଙ୍କୁ କିଏ ଖାଇବାକୁ ଦେବ | କର୍ଣ୍ଣାଟକର ମହୀଶୂରରେ ଥିବା ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ଲାବୋରଟୋରୀ ପକ୍ଷରୁ ଏହି ଅନ୍ତରୀକ୍ଷ ମିଶନ ପାଇଁ ୨୨ ପ୍ରକାରର ରାନ୍ଧଣା ପ୍ରସ୍ତୁତ କରାଯାଇଛି | ଏଥିରେ ଅଧିକ ଶକ୍ତି ଦେଉଥିବା ଖାଦ୍ୟ ସହ ଶୁଷ୍କ ଖାଦ୍ୟକୁ ସାମିଲ କରାଯାଇଛି | ଲାବୋରଟୋରୀ ପକ୍ଷରୁ ଏହି ସବୁ ଖାଦ୍ୟର ଯାଞ୍ଚ ପାଇଁ ଇସ୍ରୋକୁ ପଠାଇଦିଆଯାଇଛି | ଲାବୋରଟୋରୀର ନିର୍ଦ୍ଦେଶକ ଡାକ୍ତର ଅନିଲ ଦତ୍ତ କହିଛନ୍ତି ଯେ ୨୨ ପ୍ରକାର ରାନ୍ଧଣାକୁ ଅନ୍ତରୀକ୍ଷ ଯାତ୍ରୀ ଖାଇ ସ୍ୱାଦ ବାବଦରେ କହିବେ | ଯେଉଁ ଖାଦ୍ୟ ସେମାନଙ୍କୁ ଭଲ ଲାଗିବ ତାହା ସେ ସ୍ୱତନ୍ତ୍ର କମିଟିକୁ କହିବେ | ଅନ୍ତରୀକ୍ଷ ଯାତ୍ରୀଙ୍କ ପାଇଁ ଉଭୟ ନିରାମିଷ ଓ ଆମିଷ ଖାଦ୍ୟ ପ୍ରସ୍ତୁତ କରାଯାଇଛି

ଅନ୍ତରୀକ୍ଷ ଯାତ୍ରୀମାନେ ଖାଦ୍ୟ ପ୍ୟାକେଟକୁ ଗରମ କରି ଖାଇପାରିବେ | ଏହି ସବୁ ଖାଦ୍ୟ ପ୍ୟାକେଟ ବର୍ଷକ ଯାଏଁ ରଖାଯାଇପାରିବ | ଚିକେନ ତରକାରୀ ସହ ବିରିୟାନୀ ଭୋଜନ ପାଇଁ ଦିଆଯାଇଥିବାବେଳେ ଇଟିଲି ଓ ସାମ୍ବର ଜଳଖିଆ ପାଇଁ ଦିଆଯାଇଛି | ଏସବୁ ଖାଦ୍ୟକୁ ଗରମ କରି ଖାଇହେବ, କିନ୍ତୁ ପ୍ୟାକେଟ ଥରେ ଖୋଲିଲେ ଏହାକୁ ଖାଇବାକୁ ପଡିବ, ନଚେତ ଏହା ନଷ୍ଟ ହୋଇଯିବ | ଏଠାରେ ସୂଚନା ଥାଉ କି ୧୯୮୪ ମସିହାରେ ପ୍ରଥମ ଭାରତୀୟ ଅନ୍ତରୀକ୍ଷ ଯାତ୍ରୀ ରାକେଶ ଶର୍ମାଙ୍କ ପାଇଁ ମଧ୍ୟ ପ୍ରତିରକ୍ଷା ଖାଦ୍ୟ ଅନୁସନ୍ଧାନ ଲାବୋରଟୋରୀ ଖାଦ୍ୟ ପ୍ରସ୍ତୁତ କରାଯାଇଥିଲା |

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *