#Special Story

ତିନି ପିଲାଙ୍କୁ ଖାଇବାକୁ ଦେବାକୁ ୧୫୦ ଟଙ୍କାରେ ଚୁଟି ବିକିଲେ ମହିଳା

: ନିଜେ ଉପାସ ରହି ସେ ନିଜ ପିଲାଙ୍କ ପେଟକୁ ଖାଇବା ଦେଇଥାଏ, ସେ ହେଉଛି ମାଆ। ଦାରିଦ୍ର୍ୟର କଷାଘାତ ତଳେ ଛନ୍ଦି ହୋଇ ଗୋଟିଏ ମା’ ତାର କୁନି କୁନି ପିଲାଙ୍କ ମୁହଁରେ ଦୁଇ ମୁଠା ଦାନା ଦେବା ପାଇଁ ଶେଷରେ ୧୫୦ ଟଙ୍କାରେ ତା’ ମୁଣ୍ଡର ଚୁଟି ବିକିବା ପାଇଁ ବାଧ୍ୟ ହୋଇଛି। ଏହିପରି କିଛି ଘଟଣା ତାମିଲନାଡୁର ଜଣେ ୩୧ ବର୍ଷୀୟ ମହିଳା ପ୍ରେମାଙ୍କ ସହିତ ଘଟିଯାଇଛି। ଯାହାକୁ ପଢ଼ିବା ପରେ ଆପଣ ବି ଆଖିର ଲୁହକୁ ରୋକି ପାରିବେ ନାହିଁ।ତେବେ ପ୍ରେମାଙ୍କର ଦୁଃଖ ଏତିକିରେ ସରିନଥିଲା। କୁହାଯାଏ ଦୁଃଖ ଆସିଲେ, ଏକା ଆସେ ନାହିଁ ସାଙ୍ଗରେ ତାର ଭାଇ, ବନ୍ଧୁ, କୁଟୁମ୍ୱକୁ ନେଇ ଆସେ। ଦିନଥିଲା ପ୍ରେମା ଓ ତାଙ୍କର ସ୍ୱାମୀ ସେଲଭମ୍‌ ତାମିଲନାଡୁ ସାଲେମ ଜିଲ୍ଲାରେ ଗୋଟିଏ ଇଟା ଭାଟିରେ ଦିନ ମଜୁରିଆ ଭାବରେ କାମ କରୁଥିଲେ। ଇଟା ଭାଟିରେ କାମ କରିବା ପରେ ସେଲଭମ୍‌ ୨.୫ ଲକ୍ଷ ଟଙ୍କା ସୁଧରେ ଆଣି ନିଜର ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିନ୍ତୁ କିଛି ଲୋକଙ୍କ ଦ୍ୱାରା ଠକାମିର ଶିକାର ହେବା ପରେ ତାଙ୍କୁ ବ୍ୟବସାୟରେ କ୍ଷତି ସହିବାକୁ ପଡ଼ିଥିଲା। ଏହି ଘଟଣାରୁ ସହ୍ୟ କରିନପାରି ସେଲଭମ୍‌ ଆତ୍ମହତ୍ୟା କରିଥିଲେ।ସ୍ୱାମୀଙ୍କର ମୃତ୍ୟୁ ପରେ ତିନୋଟି ପିଲାଙ୍କୁ ପାଳିବା ପାଇଁ ପ୍ରେମାଙ୍କୁ ଅନେକ କଷ୍ଟ ସହିବାକୁ ପଡ଼ିଥିଲା। ପିଲାଙ୍କୁ ପୋଷିବାକୁ ଅନେକ ଧାର କରଜ କରିଥିଲେ ପ୍ରେମା। ଗତ ଶୁକ୍ରବାର ତାଙ୍କ ପାଖରେ କିଛି ନଥିଲା। ଶୁକ୍ରବାର ସେ ଅଞ୍ଚଳ ଏକ ପବିତ୍ର ଦିନ ଭାବେ ଗଣାଯାଉଥିବାରୁ କେହି ଧାର କରଜ ଦେଇ ନଥିଲେ। ସେ ମନ ଦୁଃଖରେ ଥିବା ସମୟରେ ସେହି ରାସ୍ତାରେ ଚୁଟି କିଣିବା ଲୋକ ଯାଉଥିଲା। ଏହା ଦେଖି ପ୍ରେମା ତୁରନ୍ତ ଘର ଭିତରକୁ ପଶି ଯାଇ ନିଜର ସବୁତକ ଚୁଟି କାଟି ଚୁଟିବାଲାକୁ ବିକି ଦେଇଥିଲେ। ସେ ବାବଦରେ ସେ ୧୫୦ ଟଙ୍କା ପାଇଥିଲେ। ସେଥିରୁ ୧୦୦ ଟଙ୍କାରେ ସେ ପିଲାଙ୍କ ପାଇଁ ଖାଦ୍ୟ ଆଣିଥିଲେ ଏବଂ ଅନ୍ୟ ୫୦ ଟଙ୍କାରେ ସେ ବିଷ ପିଇ ଆତ୍ମହତ୍ୟା କରିବା ପାଇଁ ନିଷ୍ପତ୍ତି ନେଇଥିଲେ।କିନ୍ତୁ ଦୋକାନୀ କିଛି ସନ୍ଦେହ କରି ତାଙ୍କୁ ବିଷ ଦେବା ପାଇଁ ମନା କରିଦେଇଥିଲା। ତେଣୁ ପ୍ରେମା ବିଷ ଥିବା କନିଅର ମଞ୍ଜି ଖାଇ ଆତ୍ମହତ୍ୟା କରିବା ପାଇଁ ଯାଉଥିଲେ। କିନ୍ତୁ ଭଗବାନଙ୍କ ଦୟାରୁ ଜଣେ ସମ୍ପର୍କୀୟ ଭଉଣୀ ତାଙ୍କୁ ବିଷ ଖାଇବାରୁ ରକ୍ଷା କରିନେଇଥିଲେ ଏବଂ ପ୍ରେମାଙ୍କ ଦୁଃଖ ବିଷୟରେ ସେ ତାଙ୍କର ଜଣେ ସାଙ୍ଗ ତଥା ଗ୍ରାଫିକ୍ସ ଡିଜାଇନର୍‌ ଜି. ବାଲାଙ୍କୁ ଜଣାଇଥିଲେ ଏହି କଥା ଜାଣିବା ପରେ ଜି. ବାଲା ପ୍ରେମାଙ୍କୁ ସାହାଯ୍ୟ କରିବା ପାଇଁ ସଂଘର୍ଷପୂର୍ଣ୍ଣ କାହାଣୀକୁ ସୋଶାଲ ମିଡିଆରେ ପୋଷ୍ଟ କରିଥିଲେ। ପ୍ରେମାଙ୍କ କାହାଣୀ ପଢ଼ିବା ପରେ ଅନେକ ବଦାନ୍ୟ ବ୍ୟକ୍ତି ତାଙ୍କୁ ଆର୍ଥିକ ସହାୟତା ଯୋଗାଇଥିଲେ। ଏହି ବାଟରେ ପ୍ରେମା ୧.୪୫ ଲକ୍ଷ ଟଙ୍କାର ସାହାଯ୍ୟ ପାଇଥିଲେ। ସେହିପରି ତାଙ୍କୁ ପ୍ରଶାସନ ପକ୍ଷରୁ ବିଧବା ଭତ୍ତା ଯୋଗାଇ ଦେବା ସହିତ ଗୋଟିଏ ଇଟା ଭାଟିରେ ଚାକିରି ମଧ୍ୟ ମିଳିଛି।ଏବେ ପ୍ରେମା ଜଣେ ସ୍ୱାବଲମ୍ୱୀ ମହିଳା। ତାଙ୍କ ପିଲାଙ୍କୁ ଲାଳନପାଳନ କରିବା ପାଇଁ ସେ ସମର୍ଥ। ତେଣୁ ଜି. ବାଲାଙ୍କୁ ତାଙ୍କ ଫେସ୍‌ବୁକ୍‌ ପୋଷ୍ଟରୁ ତାଙ୍କ ଦୁଃଖଭରା କାହାଣୀ ହଟାଇ ଦେବା ପାଇଁ ସେ ଅନୁରୋଧ କରିଛନ୍ତି। ଏପରିକି ପୁଣି ଥରେ କେବେ ଆତ୍ମହତ୍ୟା ଭାବନା ମନକୁ ଆଣିବେ ନାହିଁ ଏବଂ ନିଜ ପିଲାଙ୍କୁ ଭଲ ଶିକ୍ଷା ଦେବା ପାଇଁ ପରିଶ୍ରମ କରିବେ ବୋଲି ବାଲାଙ୍କୁ କଥା ଦେଇଛନ୍ତି।

Leave a comment

Your email address will not be published. Required fields are marked *