#Crime

ନଦୀ ପଠାରୁ ମିଳିଲା ଯୁବତୀଙ୍କ ମୃତଦେହ, ହତ୍ୟା ନା ଆତ୍ମହତ୍ୟା

ଭଦ୍ରକ ( ):  ନିଖୋଜ ହେବାର ୫ ଦିନ ପରେ ଯୁବତୀଙ୍କ ମୃତଦେହ ବୈତରଣୀ ନଦୀପଠାରୁ ମିଳିଛି। ମାତ୍ର ଏହା ହତ୍ୟା ନା ଆତ୍ମହତ୍ୟା, ତାହା ଜଣାପଡ଼ି ନାହିଁ। ଭଦ୍ରକ ଗ୍ରାମାଞ୍ଚଳ ଓ ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି।

ଆଗରପଡା ଥାନା ଅନ୍ତର୍ଗତ ବିଶଲକଣା ଗାଁର ସନାତନ ଭୂୟାଁଙ୍କ ଝିଅ ଆଶାଲତା କେନ୍ଦୁଆପଦା ସ୍ଥିତ ବନ୍ଧନ ଫାଇନାନ୍ସ କମ୍ପାନୀରେ କାମ କରୁଥିଲେ। ଗତ ଶନିବାରଠାରୁ ସେ ନିଖୋଜ ଥିଲେ। ପରିବାର ଲୋକ ବହୁ ଖୋଜାଖୋଜି କରିଥିଲେ ମଧ୍ୟ ଝିଅ ପତ୍ତା ପାଇନଥିଲେ। ଶେଷରେ ଗ୍ରାମାଞ୍ଚଳ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ। ଅଭିଯୋଗକୁ ଭିତ୍ତିକରି ପୁଲିସ ଏକ ମାମଲା ରୁଜୁ କରିଥିଲା। ହେଲେ ଆଶାଙ୍କ ପତ୍ତା ପାଇନଥିଲା।ତେବେ ନିଖୋଜ ହେବାର କିଛି ଦିନ ପରେ ଆଶାଲତାଙ୍କ ସ୍କୁଟି ଆଖୁଆପଦା ବୈତରଣୀ ବ୍ରିଜ୍‌ ଉପରୁ ମିଳିଥିଲା। ସେହି ସ୍କୁଟିକୁ ଏକ ଟ୍ରକ ଡ୍ରାଇଭର ଆଣି ଯାଜପୁର ଜିଲ୍ଲା ପାଣିକୋଇଲି ଥାନାର ଜିମା ଦେଇଥିଲା। ଆଉ ଆଜି ସକାଳେ ଆଖୁଆପଦା ସ୍ଥିତ ବୈତରଣୀ ନଦୀପଠାରୁ ଆଶାଲତାଙ୍କ ମୃତ ଶରୀର ପଡ଼ିଥିବା ଦେଖି ଗାଁ ଲୋକେ ଥାନାକୁ ଖବର ଦେଇଥିଲେ। ଭଣ୍ଡାରିପୋଖରୀ ଥାନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ କରି ଜିଲ୍ଲାର ଅନ୍ୟ ଥାନାକୁ ଖବର ଦେଇଥିଲା। ଗ୍ରାମାଞ୍ଚଳ ଥାନା ପୁଲିସ ଆଶାଙ୍କ ପରିବାର ଲୋକଙ୍କ ମାଧ୍ୟମରେ ମୃତଦେହ ଚିହ୍ନଟ କରିଥିଲେ।

Leave a comment

Your email address will not be published. Required fields are marked *