#Special Story

ଜଲିଉଡ କୁଇନ୍‌ ଜୁଲି ପଣ୍ଡାଙ୍କୁ ସଂଯୋଗବଶତଃ ମିଳିଥିଲା ନାୟିକାର ଭୂମିକା; ଖଳନାୟିକାରୁ ବନିଲେ ସଫଳ ନାୟିକା

ଭୁବନେଶ୍ବର: ମୁଁ ଯାତ୍ରାରେ ଅଭିନୟ କରିବି। ଲୋକେ ଦେଖିବେ। ସାବାସୀ ଦେବେ। ସ୍କୁଲ୍‌ରେ ପଢ଼ିବା ବେଳେ ଜୁଲି ପଣ୍ଡାଙ୍କୁ ଘାରିଥିଲା ଏଇ ନିଶା। ଏଣେ ବାପା ପୁରୋହିତ। ବ୍ରାହ୍ମଣ ଘରର ରକ୍ଷଣଶୀଳ ପରିବାରରେ ଝିଅଟେ ଯାଇ ଯେ ଯାତ୍ରାରେ ଅଭିନୟ କରିବ, ଏକଥା ଘର ଲୋକ ପସନ୍ଦ କରୁନଥିଲେ। ମାତ୍ର ଜୁଲିଙ୍କ ଏକା ଜିଦ୍‌, ସେ ଅଭିନୟ କରିବେ। ଯେମିତି ତାଙ୍କ ଶିରା ପ୍ରଶିରାରେ କଳାକାରର ରକ୍ତ ପ୍ରବାହିତ ହେଉଥିଲା। ସେତେ‌ବେଳେ ରୁଦ୍ରାଣୀ ଗଣନାଟ୍ୟରେ ଗୀତ ଗାଉଥିବା ଉର୍ବଶୀ ସ୍ବାଇଁ ତାଙ୍କ ଘର ନିକଟରେ ରହୁଥିଲେ। ତେଣୁ ଜୁଲି ସେଇ ଚୁଲବୁଲି ବୟସରେ ଘରୁ ବେଡିଂ ଧରି ଚାଲି ଆସିଥିଲେ ଯାତ୍ରାରେ ଅଭିନୟ କରିବାକୁ। ରୁଦ୍ରାଣୀ ଗଣନାଟ୍ୟକୁ ଆସିବା ପରେ ତାଙ୍କୁ ଛୋଟମୋଟ ଚରିତ୍ର ମିଳୁଥିଲା। ମାତ୍ର ଧୀରେଧୀରେ ତାଙ୍କୁ ଖଳ ଭୂମିକାରେ ଅଭିନୟ କରିବା ପାଇଁ ସୁଯୋଗ ମିଳିଲା। ତାହା ସେ ଏତେ ଜୀବନ୍ତ ଭାବେ ନିଜ ଚରିତ୍ରରେ ଫୁଟାଇଲେ ଯେ ତାଙ୍କୁ ଦେଖିବା ପାଇଁ ଭିଡ଼ ଜମିଲା।

ତେବେ ୨୦୦୦ ମସିହା ପରେ ବଦଳିଥିଲା ଭାଗ୍ୟର ମୋଡ଼। ତୁଳସୀ ଗଣନାଟ୍ୟରେ ଯୋଗ ଦେବା ପରେ ପ୍ରଥମେ ସେ ସଂଜୟ ଭୋଳ, ସୁରେଶ ପଣ୍ଡା, ଡଲି ଭୂୟାଁ, ବ୍ରଜ ପାଣିଙ୍କ ଭଳି ଯାତ୍ରା ଜଗତର ଜଣାଶୁଣା ମୁହଁଙ୍କୁ ଦେଖି ମନେମନେ ଡରି ଯାଇ ଭାବିଥିଲେ, ମୁଁ ଏତେ ବଡ଼ବଡ଼ କଳାକାରଙ୍କ ଆଗେ କି ଅଭିନୟ କରିବି। ଆଉ ମୋ, ଅଭିନୟ ଦେଖିବ ବା କିଏ? ମାତ୍ର ଝୁଙ୍କ ଛାଡ଼ିନଥିଲେ। ‘ଲୁହକୁ ପଚାର ଆଖିର କଥା’ ନାଟକରେ ଖଳ ଭୂମିକାରେ ଅଭିନୟ କରି ମନ ଜିଣିଲେ। ତୁଳସୀ ଗଣନାଟ୍ୟର ତତ୍କାଳୀନ ମାଲିକ ଶିବ ପ୍ରସାଦ ଲେଙ୍କା ଜୁଲିଙ୍କ ଅଭିନୟ ଦେଖି ଢେର ସାବାସୀ ଦେଲେ।

ମାତ୍ର ଦିନେ ଡଲି ଭୂୟାଁଙ୍କ ଅନୁପସ୍ଥିତି ତାଙ୍କ ପାଇଁ ସୁଯୋଗ ଆଣିଦେଇଥିଲା। ‘ନା ମୁଁ ଦୁଷ୍ଟ ହେବିନି’ ନାଟକରେ ଡଲି ଭୂୟାଁ ମୁଖ୍ୟ ଭୂମିକାରେ ଅଭିନୟ କରୁଥାଆନ୍ତି। ମାତ୍ର ନିହାତି ଆବଶ୍ୟକ ପଡ଼ିବାରୁ ‌ଡଲି ଚାଲିଯିବାରୁ କିଏ ତାଙ୍କ ଭୂମିକାରେ ଅଭିନୟ କରିବ ସେନେଇ ଭାଳେଣି ପଡ଼ିଲା। ଶେଷରେ ଆଖି ପଡ଼ିଲା ଜୁଲିଙ୍କ ଉପରେ। ଜୁଲିଙ୍କୁ ସଙ୍ଗେସଙ୍ଗେ ଖାତା ଧରେଇ ଦେଇ କହିଲେ, ରେଡି ହେଇଯା, ରାତିକୁ ତୁ ଏ ପାର୍ଟ ଟା କରିବୁ। ଖଳନାୟିକା ଭୂମିକାରେ ଅଭିନୟ କରି ଆସୁଥିବା ଜୁଲି ପ୍ରଥମ କରି ନାୟିକା ଭୂମିକାରେ ଅବତୀର୍ଣ୍ଣ ହୋଇ ଦର୍ଶକଙ୍କୁ ଏମିତି ଅଭିଭୂତ କଲେ ଯେ ଦର୍ଶକଙ୍କ କରତାଳିରେ ଫାଟି ଉଠିଲା। ସେବେଠୁ ସେ ଆଉ କେବେ ‘ନାୟିକା’ରୁ ଖଳନାୟିକା ସାଜି ନାହାନ୍ତି। ବରଂ ସୁନ୍ଦରୀ ଝିଅକୁ ଦୂରୁ ଜୁହାର, ‌ପ୍ରେମରେ ପଡ଼ିଲେ ଏମିତି ହୁଏ, ରୁବି ତୋର ରୂପ ହଜାରେ, କ’ଣ କଲା ସେ, ସୀତା ଦେବେ ଅଗ୍ନି ପରୀକ୍ଷା, ସାବିତ୍ରୀ କରୁଛି ସ୍ବାମୀ ନିଲାମ ଭଳି ହିଟ୍‌ ନାଟକ ଭେଟି ଦେଇ ଦର୍ଶକଙ୍କ ମଧ୍ୟରେ ପାଲଟି ଯାଇଛନ୍ତି ଜଲିଉଡ୍‌ କୁଇନ୍‌। ଖଣ୍ଡଗିରି ପେଣ୍ଡାଲ ସହ ତାଙ୍କ ସ୍ମୃତି ନିଆରା। ଯେବେ ସେ ପୁଲିସ ଅଧିକାରୀ ଭୂମିକାରେ ଅଭିନୟ କରୁଥାଆନ୍ତି ସେତେବେଳେ ତାଙ୍କୁ ଦୁଷ୍କର୍ମ କରାଯାଉଥିବାର ଏକ ଦୃଶ୍ୟ ଚାଲିଥାଏ। ଠିକ୍‌ ସେତିକି ବେଳେ ଜଣେ ଦର୍ଶକ ଜୁଲିଙ୍କ ପାଖରେ ଛିଡ଼ା ହୋଇଥିବା ସହ କଳାକାରଙ୍କ ଉପରକୁ ଚେୟାର ଉଠାଇ କହିଲେ, ସେ ଝିଅଟା ଉପରେ ଏତେ ନିର୍ଯାତନା କରାଯାଉଛି ତତେ ଦେଖାଯାଉନି। ବାସ୍ତବରେ ଜଣେ କଳାକାର ପାଇଁ ଏହାଠୁ ବଡ଼ ସ୍ବୀକୃତି ଆଉ କ’ଣ ବା ହେଇପାରେ।…

Leave a comment

Your email address will not be published. Required fields are marked *