#Politics #ରାଜ୍ୟ ଖବର

‘ଲୋକଙ୍କୁ ନାଲି ଆଖି ଦେଖାଅନି, ବୁଝାଅ’

ଭୁବନେଶ୍ୱର: ( ଉ ଲା ପ୍ର ) କରୋନା ମହାମାରୀ ଉପରେ ଓଡ଼ିଶାବାସୀଙ୍କୁ ସଚେତନ କରାଇଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ଏନେଇ ଟ୍ୱିଟ୍ ମାଧ୍ୟମରେ ଓଡ଼ିଆଙ୍କ ପାଇଁ ଏକ ଭିଡିଓ ବାର୍ତ୍ତା ପୋଷ୍ଟ କରିଛନ୍ତି କେନ୍ଦ୍ରମନ୍ତ୍ରୀ। ଦେଶରେ କରୋନା ମହାମାରୀ ସମୟରେ ଆମ ସମସ୍ତଙ୍କୁ ସଚେତନ ହେବାକୁ ପଡିବ ବୋଲି ସେ ଭିଡିଓରେ କହିଛନ୍ତି।ଏଥିସହ ସମସ୍ତଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତା ରକ୍ଷା କରିବା ସହ ସରକାରଙ୍କ ସମସ୍ତ ନିୟମ ପାଳନ କରିବା ଜରୁରୀ ବୋଲି ସେ କହିଛନ୍ତି। ଯେଉଁମାନେ ପ୍ରଶାସନିକ ଦାୟିତ୍ୱରେ ଅଛନ୍ତି ସେମାନେ ଧୈର୍ଯ୍ୟର ସହିତ ଲୋକଙ୍କୁ ବୁଝାଇବାକୁ ପଡିବ। ନାଲି ଆଖି ଦେଖାଇଲେ କୌଣସି ସୁଫଳ ମିଳିବ ନାହିଁ ବୋଲି ସେ କହିଛନ୍ତି। ଲକ୍‌ଡାଉନ୍‌ରେ ପ୍ରଶାସନର ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଉପରେ ପ୍ରଶାସନିକ ଅଧିକାରୀଙ୍କୁ ପରାମର୍ଶ ଦେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ୪ ଜିଲ୍ଲା ସମେତ ଗୋଟିଏ ମହାନଗର ନିଗମରେ ୧୪ ଦିନିଆ ଲକ୍‌ଡାଉନ୍ କରାଯାଇଛି। ବିଭିନ୍ନ ସ୍ଥାନରେ ସାଧାରଣ ଲୋକଙ୍କ ପ୍ରତି ମାତ୍ରାଧିକ କାର୍ଯ୍ୟାନୁଷ୍ଠାନ ଦେଖିବାକୁ ମିଳିଛି। ତେବେ ରାଜ୍ୟରେ କରୋନା ସ୍ଥିତି ଓ କାର୍ଯ୍ୟାନୁଷ୍ଠାନକୁ ନେଇ କେନ୍ଦ୍ର ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ଯେ ଲୋକଙ୍କୁ ନାଲିଆଖି ନୁହେଁ ବରଂ ବୁଝାନ୍ତୁ।ଖା-ଭୁଞ୍ଜ-ଗିଳିର ଅର୍ଥ ସମାନ କିନ୍ତୁ ଭାବାର୍ଥ ଅଲଗା। ଆଜି ସମସ୍ତେ କଥା ମାନୁଛନ୍ତି, ନହେଲେ ରଥଯାତ୍ରା ଭଲରେ ହୋଇନଥାନ୍ତା। କଥା ମାନିବା ଯୋଗୁଁ ରଥଯାତ୍ରା ସୁରୁଖୁରୁରେ ହେଲା, ନାଲିଆଖି ପାଇଁ ନୁହେଁ। ଆଇନ ପାଳନ କରାଉଥିବା ବନ୍ଧୁମାନଙ୍କୁ ବୁଝେଇବାକୁ ପଡ଼ିବ ବୋଲି ଧର୍ମେନ୍ଦ୍ର କହିଛନ୍ତି।ପ୍ରଶାସନରେ ଥିବା ସବୁ ବନ୍ଧୁ ଲୋକଙ୍କ ମନକୁ ଜିତି ବୁଝାନ୍ତୁ। ଅଧିକାରୀ ବନ୍ଧୁମାନଙ୍କୁ ସଂଯମ, ସନ୍ତୁଳନ ଦେଖାଇବାକୁ ପଡ଼ିବ। ଥରେ ଅବିଶ୍ୱାସ, ଅଶାନ୍ତି ବାତାବରଣ ହେଲେ ମୂଳକଥା ଭୁଲିଯିବା। ଡରାଇଲେ ଲାଭ ହେବନି, ନାଲିଆଖି ଦେଖାଇଲେ ଉତ୍ତର ବାହାରିବନି। ବ୍ୟବସ୍ଥାରେ ଥିବା ଲୋକ ସମ୍ବେଦନଶୀଳତାକୁ ବୁଝିବା ଦରକାର ବୋଲି ଧର୍ମେନ୍ଦ୍ର କହିଛନ୍ତି।

Leave a comment

Your email address will not be published. Required fields are marked *