#Crime

ବିନା ହେଲମେଟ ରେ ଯିବା ପଡିଲା ମହଙ୍ଗା, ପୋଲିସ ମାଡରେ ବାଇକ ଚାଳକ ଗୁରୁତର

ରାୟଗଡା, ଟ୍ରାଫିକ ଯାଂଚ ବେଳେ ହେଲମେଟ ନ ପିନ୍ଧି ଥିବାରୁ ବିଚରାସ୍ତାରେ ରାୟଗଡା ପୁଲିସର ଥାର୍ଡ ଡିଗ୍ରୀ । ତଳ ଶାଙ୍କେଶ ଗାଁର ରାହୁଲ ହିମିରିକା (18) ଓ କିଷାନ କୋଲକା (17) ନାମକ ଦୁଇ ଯୁବକ ବାଇକ ଯୋଗେ ମା ମଝିଘରିଆଣୀ ମନ୍ଦିର ଅଭିମୁଖେ ଯାଉଥିବା ସମୟରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ନିକଟରେ ହେଲମେଟ ଯାଞ୍ଚ ସମୟରେ ହେଲମେଟ ପିନ୍ଧି ନ ଥିବାରୁ ପୋଲିସ ଗାଡି ଅଟକାଇ ଥିଲେ। ଗାଡ଼ିରୁ ଚାବି ଟାଣି ନେବା ସହ ଲାଠି ସାହାଯ୍ୟରେ ଯୁବକଙ୍କୁ ପୁଲିସ ନିସ୍ତୁକ ମାଡ ମାରି ଥିବା ଅଭିଯୋଗ ହୋଇଛି । ଫଳରେ ରାହୁଲର ମୁଣ୍ଡ ଓ ହାତରେ ଆଘାତ ଲାଗି ରକ୍ତ ଶ୍ରାବ ହୋଇଥିଲା । ରାହୁଲ ତଳେ ପଡିଯିବା ପରେ ପୋଲିସ ତାଙ୍କୁ ଓ ସାଥିରେ ଥିବା କିଷାନକୁ ସେଠାରେ ଛାଡି ଚାଲିଯାଇଥିଲା । ସ୍ଥାନୀୟ ଲୋକ ପିଲାଟିକୁ ଉଦ୍ଧାର କରି ରାୟଗଡା ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରିଛନ୍ତି । ପୁଲିସର ଏପରି ବର୍ବରତାକୁ ବିରୋଧ କରି ପିଲାଙ୍କ ପରିବାର, ସାଙ୍ଗସାଥି ଓ ସ୍ଥାନୀୟ ଲୋକେ ଟାଉନ ଥାନା ଘେରାଉ କରିବା ସହ ଥାନା ସମ୍ମୁଖରେ ବସି ରହିଛନ୍ତି । ମାଡ ମାରିଥିବା ପୋଲିସକୁ ଡକାଯାଉ ଏବଂ ତା ବିରୁଦ୍ଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ଦାବୀରେ ଅଡି ବସିଥିଲେ । ପରେ ଜିଲ୍ଲା ଏସ.ପି.ଶର୍ବଣା ବିବେକ ପଂହଚି ତଦନ୍ତ କରାଯାଇ ଦୋଷୀଙ୍କ ବିରାେଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାର ପ୍ରତିଶୃତି ଦେବା ପରେ ଧାରଣାକାରୀମାନେ ଧାରଣାରୁ ଓହରିଥିଲେ । ସେପଟେ ଜିଲ୍ଳା ମୁଖ୍ୟ ଚିକିତ୍ସାଳୟରେ ମଧ୍ଯ ଉତ୍ତେଜନା ପ୍ରକାଶ ପାଇ ଥିଲା।

Leave a comment

Your email address will not be published. Required fields are marked *