#Breaking News #Uncategorized

ଚିନ୍ତାରେ ସାବିତ୍ରୀ, କିପରି ପୂଜା ପାଇବେ ସତ୍ୟବାନ, ଗୋଟିଏ ଦିନରେ ସୂର୍ଯ୍ୟପରାଗ ଓ ସାବିତ୍ରୀ ପର୍ବ


ବାଲିଗୁଡା,୦୭/୦୬.(ସଞ୍ଜୟ କୁମାର ପାଣିଗ୍ରାହୀ): ଜୁନ ୧୦ ତାରିଖରେ ସାବିତ୍ରୀ ବ୍ରତ ସହିତ ସୂର୍ଯ୍ୟପରାଗ ପଡୁଛି । ଏହି ଚିନ୍ତାରେ ଏବେ ଅଛନ୍ତି ସାବିତ୍ରୀମାନେ । ଅନ୍ୟପଟେ ଲକଡାଉନ ଲାଗି ଚୁଡ଼ି ଓ ଲୁଗାଦୋକାନ ବନ୍ଦ । ଜ୍ୟେଷ୍ଠ ମାସ ଅମାବାସ୍ୟା ତିଥି ବହୁତ ଖାସ । ହିନ୍ଦୁ ଧର୍ମରେ ଏହାକୁ ସାବିତ୍ରୀ ବ୍ରତ କୁହାଯାଏ । ଏହି ଦିନକୁ ସାବିତ୍ରୀ ଅମାବାସ୍ୟା ଭାବେ ପାଳନ କରାଯାଏ । ଏଥର ଜୁନ ୧୦ ତାରିଖରେ ବର୍ଷର ପ୍ରଥମ ସୂର୍ଯ୍ୟ ପରାଗ ମଧ୍ୟ ପଡୁଛି । ଅର୍ଥାତ ଗୋଟିଏ ଦିନରେ ସାବିତ୍ରୀ ଅମାବାସ୍ୟା ଓ ସୂର୍ଯ୍ୟ ପରାଗ ମଧ୍ୟ ଲାଗିବ । ଫଳରେ ଏହି ତିଥିର ମହତ୍ତ୍ୱ ଆହୁରି ବଢିଯିବ । ହିନ୍ଦୁ ପାଞ୍ଜି ଅନୁଯାୟୀ, ସୂର୍ଯ୍ୟ ପରାଗ ଜୁନ ୧୦ ତାରିଖ, ଗୁରୁବାର ଅପରାହ୍ନ ଗୋଟାଏ ୪୨ ମିନିଟରୁ ଆରମ୍ଭ ହେବ ଓ ସନ୍ଧ୍ୟା ୬ଟା ୪୧ ମିନିଟରେ ଶେଷ ହେବ । ଯେହେତୁ ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗେ, ସୂତକ ସମୟରେ କୌଣସି ଶୁଭ କାର୍ଯ୍ୟ ଓ ପୂଜା ପାଠ କରାଯାଏ ନାହିଁ । ଫଳରେ ସାବିତ୍ରୀ ଅମାବାସ୍ୟା ବ୍ରତ ପାଳନ କରୁଥିବା ମହିଳାଙ୍କ ମନରେ ଅମାବାସ୍ୟା ଦିନ ପୂଜା କରିବା ସମୟକୁ ନେଇ ସନ୍ଦେହ ରହିଛି ଯେ କେଉଁ ସମୟରେ ମହିଳାମାନେ ପୂଜା କରିବେ ଚିନ୍ତା ବଢ଼ିଯାଇଛି । ଶାସ୍ତ୍ର ଅନୁଯାୟୀ, ସୂର୍ଯ୍ୟ ପରାଗ ଲାଗିବାର ୧୨ ଘଣ୍ଟା ପୂର୍ବରୁ ସୂତକ ଲାଗିଥାଏ । ସୂତକ କାଳରେ କୌଣସି ଶୁଭ କାର୍ଯ୍ୟ ବା ପୂଜା ପାଠ କରାଯାଏ ନାହିଁ । ମନ୍ଦିର କବାଟ ବନ୍ଦ କରିଦିଆଯାଏ । ମନ୍ଦିରରେ କିମ୍ବା କୌଣସି ଧାର୍ମିକ ସ୍ଥାନରେ ପୂଜା ପାଠ ହୁଏନାହିଁ । ଏହି ନିୟମ କେବଳ ପୂର୍ଣ୍ଣ ସୂର୍ଯ୍ୟ ପରାଗ ସମୟରେ ଲାଗୁ ହୁଏ । ଜୁନ ୧୦ ତାରିଖରେ ଭାରତରେ ଆଂଶିକ ସୂର୍ଯ୍ୟ ପରାଗ ଲାଗିବ । ଏହି ସୂର୍ଯ୍ୟ ପରାଗ ଭାରତର କିଛି ସ୍ଥାନରେ ଦୃଶ୍ୟମାନ ହେବ । ଆଂଶିକ ସୂର୍ଯ୍ୟ ପରାଗରେ ସୂତକ କାଳ ମାନ୍ୟ ନୁହେଁ । ସେଥିପାଇଁ ବିବାହିତା ସାବିତ୍ରୀ ବ୍ରତ ପୂଜା ଯେକୌଣସି ସମୟରେ କରିପାରିବେ । ବିବାହିତାମାନେ ପୂଜା କଲେ କୌଣସି ଦୋଷ ଲାଗିବନି । ସାବିତ୍ରୀ ବ୍ରତ ଶୁଭ ମୁହୂର୍ତ୍ତ – ବ୍ରତ ତିଥି – ଜୁନ ୧୦ ତାରିଖ, ଗୁରୁବାର । ଅମାବାସ୍ୟା ଆରମ୍ଭ – ଜୁନ ୯ ତାରିଖ ବୁଧବାର ଅପରାହ୍ନ ୧:୫୭ ମିନିଟ । ଅମାବାସ୍ୟା ସମାପ୍ତ – ଜୁନ ୧୦, ଗୁରୁବାର ସନ୍ଧ୍ୟା ୪:୨୦ ମିନିଟ । ବ୍ରତ ସମାପନ – ଜୁନ ୧୧, ଶୁକ୍ରବାର । ସୂର୍ଯ୍ୟ ପରାଗ ଜୁନ ୧୦, ଗୁରୁବାର ଅପରାହ୍ନ ୧:୪୨ ମିନିଟରେ ଆରମ୍ଭ ହେବ ଓ ସନ୍ଧ୍ୟା ୬:୪୧ ମିନିଟରେ ସମାପ୍ତ ହେବ ବୋଲି ପଣ୍ଡିତ ପୂର୍ଣ୍ଣ ଚନ୍ଦ୍ର ଶତପଥୀ ପ୍ରକାଶ କରିଛନ୍ତି l

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *