#Breaking News

ଢେଙ୍କାନାଳ ଗଜଲକ୍ଷ୍ମୀ ପୂଜା ନିମନ୍ତେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ଢେଙ୍କାନାଳ(ଉଲାପ୍ର)ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଚଳିତ ବର୍ଷ ଢେଙ୍କାନାଳ ସହରରେ ଗଜଲକ୍ଷ୍ମୀ ପୂଜା ପାଳନ ସଂପର୍କରେ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଅଛି । ସମ୍ପ୍ରତି କାରୋନା ସଂକ୍ରମଣ ଓ ସରକାରଙ୍କ କୋଭିଡ଼ – ୧୯ ନିୟମ ଅନୁପାଳନ ଓ ସତର୍କତା ଅବଲମ୍ବନ ପୂର୍ବକ ଚଳିତ ବର୍ଷ ମା ‘ ଗଜଲକ୍ଷ୍ମୀଙ୍କ ପୂଜା ନିରାଡମ୍ବର ଭାବେ ବିଦ୍ଧି ମୁତାବକ ପାଳନ କରାଯିବ । ପୂଜା ପ୍ରତିଷ୍ଠାନ ଗୁଡିକରେ ମା ‘ ଗଜଲକ୍ଷ୍ମୀଙ୍କ ମୂର୍ତ୍ତି ର ଉଚ୍ଚତା ୪ ଫୁଟ ମଧ୍ୟରେ ହେବ । ଅକ୍ଟୋବର ୧୯ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ପୂଜାରେ ସର୍ବାଧ୍ୟ ୭ ଜଣ ବ୍ୟକ୍ତି ଉପସ୍ଥିତ ରହିପାରିବେ । ସମସ୍ତ ଉପସ୍ଥିତ କର୍ମକର୍ତ୍ତା ମାସ୍କ ପରିଧାନ , ସାମାଜିକ ଦୂରତା ପାଳନ ସହିତ ବିଶୋଧନ ଓ ପୂଜାମଣ୍ଡପ ଆଗରେ ବାରିକେଡ଼ ନିର୍ମାଣ ପ୍ରତି ଧ୍ୟାନ ଦେବେ । ପୂଜା ପ୍ରତିଷ୍ଠାନରେ ମାଇକ ଦ୍ୱାରା କୌଣସି ପ୍ରକାର ବାଦ୍ୟ ସଂଗୀତ ଗାନ ନାହିଁ କିମ୍ବା ସାଂସ୍କୃତିକ କାର୍ଯ୍ୟକ୍ରମ ଆୟୋଜନ କରାଯିବ ନାହିଁ । ପୂଜା ପ୍ରତିଷ୍ଠାନ ଗୁଡିକରେ ସର୍ବସାଧରଣଙ୍କ ସମାବେଶ ହେବ ନାହିଁ । ଅକ୍ଟୋବର ୨୯ ତାରିଖ ଦିନ ମା ଙ୍କ ମୂର୍ତ୍ତି ବିସର୍ଜନ କରାଯିବାକୁ ସ୍ଥିର ହୋଇଛି । ଏହି ଦିନ ପୌରପାଳିକା ପକ୍ଷରୁ ନିର୍ମିତ ଅସ୍ଥାୟୀ ଜଳାଶୟରେ ମାଙ୍କ ମୃଣ୍ମୟ ମୂର୍ତ୍ତି ବିସର୍ଜନ କରାଯିବ । ଏହି ପୂଜା ସମୟରେ ପ୍ରତ୍ୟେକ ପୂଜା ପ୍ରତିଷ୍ଠାନରେ ପୋଲିସ ମୁତୟନ ସହ ଟ୍ରାଫିକ ନିୟନ୍ତ୍ରଣର ବ୍ୟବସ୍ଥା କରାଯିବ । ସହରକୁ ପରିଷ୍କାର ପରିଚ୍ଛନ , ନାଳ ନର୍ଦ୍ଦମା ସଫା , ଷ୍ଟ୍ରିଟ ଲାଇଟର ବ୍ୟବସ୍ଥା , ରାସ୍ତା ମରାମତି , ବୁଲା ଗୋରୁଗାଇଷଣ୍ଢଙ୍କୁ ରାସ୍ତାରୁ ହଟାଯିବାର ବ୍ୟବସ୍ଥା , ପୂଜା ସମୟରେ ନିରବଚ୍ଛିନ୍ନ ବିଦ୍ୟୁତ ଯୋଗାଣ କରାଯିବ ବୋଲି ବୈଠକରେ ଆଲୋଚନା ହୋଇଥିଲା । ନିରାଡମ୍ବର ଭାବେ ମା ଲକ୍ଷ୍ମୀଙ୍କର ପୂଜା ଅନୁଷ୍ଠିତ ହେବାକୁ ଥିବାରୁ ଜନସାଧାରଣଙ୍କ ଠାରୁ କୌଣସି ପ୍ରକାର ଚାନ୍ଦା ଆଦାୟ କରାଯିବ ନାହିଁ ବୋଲି ବୈଠକରେ ନିଷ୍ପତ୍ତି ହୋଇଛି । ପ୍ରସିଦ୍ଧ ଗଜଲକ୍ଷ୍ମୀ ପୂଜା ଢେଙ୍କାନାଳର ଗର୍ବ ଓ ଗୌରବ । ଢେଙ୍କାନାଳର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖି ଶାନ୍ତି ଶୃଙ୍ଖଳାର ସହିତ ମା’ଙ୍କ ପୂଜା ଅନୁଷ୍ଠାନ ଓ ଭସାଣି ନିମନ୍ତେ ଜିଲ୍ଲାପାଳ ସମସ୍ତଙ୍କର ସହଯୋଗ କାମନା କରିଛନ୍ତି । ଏହି ପ୍ରସ୍ତୁତି ବୈଠକରେ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଶ୍ରୀ ସାଫଲ୍ୟ ମଣ୍ଡିତ ପ୍ରଧାନ , ଭାରପ୍ରାପ୍ତ ସଦର ଉପ – ଜିଲ୍ଲାପାଳ ଶ୍ରୀ ରବି ନାରାୟଣ ତ୍ରିପାଠୀ , ମିଳିତ ବିଜାର ଲକ୍ଷ୍ମୀପୂଜା କମିଟିର ସଭାପତି ଶ୍ରୀ ବିଶ୍ଵନାଥ ବେହେରା , ସମ୍ପାଦକ ଶ୍ରୀ ପିତାମ୍ବର ସାହୁ ଏବଂ ଶ୍ରୀ ସୁଧାଶୁ କୁମାର ଦଳେଇ , ଶ୍ରୀ ରାମଚନ୍ଦ୍ର ପାତ୍ର , ଶ୍ରୀ ଗୋପାଳ ଚନ୍ଦ୍ର ପାତ୍ର , ଶ୍ରୀ ନବ କିଶୋର ଗୁରୁ ଶ୍ରୀ ଜ୍ଞାନଚାନ୍ଦ ମିଶ୍ର , ଶ୍ରୀ ରବିନାରାୟଣ ପଟ୍ଟନାୟକଙ୍କ ସମେତ ସମସ୍ତ ପୂଜା ପ୍ରତିଷ୍ଠାନର ସଭାପତି ସମ୍ପାଦକ , ବିଭିନ୍ନ ବିଭାଗୀୟ ଅଧୁକାରୀମାନେ ଯୋଗ ଦେଇ ମା ଗଜଲକ୍ଷ୍ମୀଙ୍କ ପୂଜା ପାଳନ ସମ୍ପର୍କରେ ଆଲୋଚନା କରିଛନ୍ତି । ଶେଷରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଶଶାଙ୍କ ଶେଖର ଦାଶ ମା ଗଜଲକ୍ଷ୍ମୀଙ୍କ ପୂଜାକୁ ଶାନ୍ତି ଶୃଙ୍ଖଳା ଓ ଭାଇଚାରା ମଧ୍ୟରେ ପାଳନ କରିବାକୁ ଅନୁରୋଧ କରି ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave a comment

Your email address will not be published. Required fields are marked *