#Breaking News

ଢେଙ୍କାନାଳ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ

ଢେଙ୍କାନାଳ ଜିଲା କାର୍ଯ୍ୟାଳୟ ସଦଭାବନା ସଭାଗୃହରେ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ସେଠୀଙ୍କ ଅଧ୍ୟକ୍ଷତାରେ ଜିଲ୍ଲା ସଡକ ସୁରକ୍ଷା କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ରାସ୍ତା ଦୁର୍ଘଟଣାକୁ ହ୍ରାସ କରି ଜିଲ୍ଲାବାସୀଙ୍କ ଧନ ଜୀବନ ହାନି କିଭଳି ସଂପୂର୍ଣ୍ଣ ରୋକା ଯାଇପାରିବ , ସେଥିପ୍ରତି ଜନସଚେତନା ସୃଷ୍ଟି ଉପରେ ବିଶେଷ ଗୁରୁତ୍ବ ଦେବାକୁ ଜିଲ୍ଲାପାଳ ବୈଠକରେ ସମସ୍ତଙ୍କର ଦୃଷ୍ଟି ଆକର୍ଷଣ କରିଛନ୍ତି । ନିୟମିତ ବ୍ୟବଧାନରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ଶୋଭାଯାତ୍ରା , ବିଭିନ୍ନ କାର୍ଯ୍ୟକ୍ରମ ଆଦି ଆୟୋଜନ କରି ଜନସାଧାରଣଙ୍କୁ ଅଧିକ ସଚେତନ କରିବାକୁ ପରାମର୍ଶ ଦେଇଛନ୍ତି । ସଡକ ସୁରକ୍ଷା ନିୟମ ଅନୁପାଳନ ଓ ଧନ – ଜୀବନ ସୁରକ୍ଷା ନିମନ୍ତେ ସଚେତନତା ସୃଷ୍ଟି ପାଇଁ ପ୍ରତ୍ୟେକ ଉପଖଣ୍ଡ ସ୍ତରରେ ମଧ୍ୟ ନିୟମିତ ବୈଠକ ଡକାଇ ବିହିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ ନିମନ୍ତେ ଆଞ୍ଚଳିକ ପରିବହନ ଅଧିକାରୀଙ୍କୁ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଛନ୍ତି । ଦୁର୍ଘଟଣାକୁ ରୋକିବା ନିମନ୍ତେ ଖାଲ ଓ ନଷ୍ଟ ହୋଇଥିବା ରାସ୍ତାର ଯଥାଶୀଘ୍ର ମରାମତି ନିମନ୍ତେ ଏକ ସ୍କାଡ ଗଠନ , ଜାତୀୟ ରାଜପଥର ଉଭୟ ପାର୍ଶ୍ୱରେ ଥିବା ଖାଲଖମା ପୂରଣ ପାଇଁ ବିହିତ ପଦକ୍ଷେପ ଗ୍ରହଣ ନିମନ୍ତେ ଜିଲ୍ଲା ସଡକ ସୁରକ୍ଷା କମିଟି ସଦସ୍ୟ ଶ୍ରୀ ପ୍ରଦ୍ୟୁମ୍ନ ରଥ ବୈଠକର ଦୃଷ୍ଟି ଆକର୍ଷଣ କରିଥିଲେ । ଏହି ବୈଠକରେ , ଜାତୀୟ ରାଜପଥର ନିର୍ମାଣ କାର୍ଯ୍ୟର ଅଗ୍ରଗତି , ସିଡ଼ ଲିମିଟ ବୋର୍ଡ ସ୍ଥାପନ , ବୋଝେଇ ଟ୍ରକ ଚଳାଚଳ , ମୁଖ୍ୟରାସ୍ତାକୁ ସଂଯୋଗ କରୁଥିବା ରାସ୍ତାରେ ରମ୍ବଲର ନିର୍ମାଣ , ବିପଦପୂର୍ଣ୍ଣ ରାସ୍ତାରେ ସାଇନେଜ ସ୍ଥାପନ , ରାସ୍ତାରୁ ଗୋରୁଗାଈ ଓ ଷଣ୍ଟମାନଙ୍କୁ ହଟାଇବା , ସଡକ ସୁରକ୍ଷା ନିୟମ ଉଲଂଘନକାରୀଙ୍କୁ ଚେକିଙ୍ଗ ଓ ସେମାନଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ , ଆଞ୍ଚଳିକ ପରିବହନ ପକ୍ଷରୁ ସମସ୍ତ ବ୍ଲକ ଗୁଡିକର ପ୍ରମୁଖ ସ୍ଥାନମାନଙ୍କରେ ସଡକ ସୁରକ୍ଷା ସମ୍ପର୍କିତ ସଚେତନତା ବୋର୍ଡ ସ୍ଥାପନ , ଆଞ୍ଚଳିକ ପରିବହନ ଓ ପୋଲିସ ପ୍ରଶାସନ ଦ୍ବାରା ରାସ୍ତା ଦୁର୍ଘଟଣାର ଯୁଗ୍ଧ ତଦାରଖ ; ୱେଚ୍ଛାସେବୀ , ଯୁବଗୋଷ୍ଠୀ , ହାଇ ସ୍କୁଲର ଏନସିସି , ସ୍କାଉଟ , ରେଡକ୍ରସ ଆଦିର ଛାତ୍ରଛାତ୍ରୀମାନଙ୍କ ଦ୍ବାରା ସଡକ ସୁରକ୍ଷା ସଚେତନତା ସୃଷ୍ଟି ସମ୍ପର୍କରେ ଆଲୋଚନା କରଯାଇଥିଲା । ବୈଠକ ପ୍ରାରମ୍ଭରେ ଆଞ୍ଚଳିକ ପରିବହନ ଅଧିକାରୀ ଶ୍ରୀ ବସନ୍ତ କୁମାର ମାଝି ସଡକ ସୁରକ୍ଷା କାର୍ଯ୍ୟକ୍ରମ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ଏହି ବୈଠକରେ ଜିଲ୍ଲା ସଡକ ସୁରକ୍ଷା କମିଟିର ନୋଡାଲ ଅଫିସର ଶ୍ରୀମତୀ ହରପ୍ରିୟା ନାୟକ , ସଦସ୍ୟ ଶ୍ରୀ ବିରଞ୍ଚି ନାରାୟଣ ପାଣି , ଶ୍ରୀ ରତନ କୁମାର ନାୟାର ଏବଂ ବିଭାଗୀୟ ଅଧିକାରୀମାନେ ଉପସ୍ଥିତ ରହି ଆଲୋଚନାରେ ଅଂଶ ଗ୍ରହଣ କରିଥିଲେ ।

Leave a comment

Your email address will not be published. Required fields are marked *