#Breaking News

ଇଞ୍ଜେକ୍ସନ୍ ପାଇଁ ବନ୍ଧାପଡ଼ିଛି ରାଜବୀର୍‌ର ଜୀବନ: ରାଜ୍ୟ ସରକାରଙ୍କୁ ସହାୟତାର ଭିକ୍ଷା ମାଗିଲେ


କନ୍ଧମାଳ,(ସଞ୍ଜୟ କୁମାର ପାଣିଗ୍ରାହୀ): କୋଟିଏ କି ଦୁଇ କୋଟି ନୁହେଁ, ଦୁରାରୋଗ୍ୟରେ ପୀଡ଼ିତ ଶିଶୁପୁତ୍ର ରାଜବୀର୍‌ର ଜୀବନ ବଞ୍ଚାଇବାକୁ ହେଲେ ତାପାଇଁ ୧୬ କୋଟି ଟଙ୍କା ମୂଲ୍ୟର ଇଞ୍ଜେକ୍ସନ୍ ଦରକାର। ଏହା ଜାଣିବା ପରେ ବାପା ମାଆଙ୍କ ପାଦତଳୁ ମାଟି ଖସିଯାଇଛି। ଏତେ ଟଙ୍କା ସେମାନଙ୍କ ପାଇଁ ସ୍ବପ୍ନ ପାଲଟିଥିବା ବେଳେ ଆଶା ନ ହାରି ରାଜ୍ୟ ସରକାରଙ୍କୁ ସହାୟତା ଭିକ୍ଷା ମାଗିଛନ୍ତି। କନ୍ଧମାଳ ଜିଲ୍ଲା ଫୁଲବାଣୀ ବ୍ଲକ୍ ଗଞ୍ଜୁଗୁଡ଼ା ପଞ୍ଚାୟତ ଆମ୍ବପଡ଼ା ଗ୍ରାମର କୁଳମଣି ରଣା ଓ ତମଲିକା ଦାସଙ୍କ ଏକମାତ୍ର ପୁଅ ରାଜବୀର୍‌ ବର୍ତ୍ତମାନ (ସ୍ପାଇନାଲ୍‌ମସ୍କୁଲାର ଆଟ୍ରୋଫି ଟାଇପ୍‌-୨) ନାମକ ଏକ ଦୁରାରୋଗ୍ୟରେ ପୀଡ଼ିତ ହୋଇ ମୃତ୍ୟୁ ସହ ସଂଗ୍ରାମ କରୁଛି। ଜନ୍ମର ୬ ମାସ ପର୍ଯ୍ୟନ୍ତ ରାଜବୀର୍ ସୁସ୍ଥ ଓ ସ୍ବାଭାବିକ ଥିଲା। କିଛିଦିନ ପରେ ତାର ଗୋଡ଼, ହାତ ଓ ପିଠି ଏବଂ ହାଡ଼ ନରମ ହେବାରେ ଲାଗିଲା। ପରୀକ୍ଷାନିରୀକ୍ଷା ପରେ ତା’ର ଏହି ଦୁରାରୋଗ୍ୟ ସଂପର୍କରେ ଜଣାପଡ଼ିଥିଲା। ତେବେ ଏହି ରୋଗର ଚିକିତ୍ସା କେବଳ କେବଳ ଆମେରିକାରେ ସମ୍ଭବ। ଏଥିପାଇଁ ଆବଶ୍ୟକ ପଡ଼ୁଥିବା ଗୋଟିଏ ଇଞ୍ଜେକ୍ସନ୍‌ର ଦାମ୍ ୧୬ କୋଟି ଟଙ୍କା ବୋଲି ଡାକ୍ତର କହିବା ପରେ ବାପା କୁଳମଣି ଓ ମାଆ ତମଲିକାଙ୍କ ମୁଣ୍ଡରେ ବଜ୍ର ପଡ଼ିଛି। ସେମାନେ ବେଙ୍ଗାଲୁରୁର ବାପଟିଷ୍ଟ୍ ଡାକ୍ତରଖାନାରେ ରାଜବୀର୍‌ର ଚିକିତ୍ସା ଜାରି ରଖିଛନ୍ତି। କିନ୍ତୁ ରାଜବୀର୍‌ର ଯନ୍ତ୍ରଣା ଦିନକୁ ଦିନ ଆହୁରି ବଢ଼ିବା‌ରେ ଲାଗିଛି। କୁଳମଣି ବେଙ୍ଗାଲୁରୁର ଏକ ଘରୋଇ କମ୍ପାନିରେ କାର୍ଯ୍ୟ କରୁଥିବା ବେଳେ ତାଙ୍କର ମାସିକ ରୋଜଗାର ମାତ୍ର ୧୫ହଜାର ଟଙ୍କା। ଏଯାବତ୍ ପୁଅର ଚିକିତ୍ସା ଲାଗି ୫ ଲକ୍ଷ ଟଙ୍କା ଖର୍ଚ୍ଚ କରି ସାରିଲେଣି। ଶେଷରେ ସହାୟତାର ହାତ ବଢ଼ାଇବାକୁ ବାପାମାଆ ନିବେଦନ କରିବା ପରେ ବିଭିନ୍ନ ବଦାନ୍ୟ ବ୍ୟକ୍ତି ଏବଂ ଅନୁଷ୍ଠାନ ପକ୍ଷରୁ ତାଙ୍କ ଆକାଉଣ୍ଟ୍‌କୁ ଏ ଯାଏ ୫ ଲକ୍ଷ ଟଙ୍କା ଆସିଛି। ହେଲେ ପୁଅର ଜୀବନ ବଞ୍ଚାଇବାକୁ ଗୁଡ଼ାଏ ଟଙ୍କା ଦରକାର। ରାଜ୍ୟ ସରକାର ଏଥିପାଇଁ ସାହାଯ୍ୟ କରନ୍ତୁ ବୋଲି କୁଳମଣି ଓ ତମଲିକା କୋହଭରା କଣ୍ଠରେ ଭିଡ଼ିଓ ଜରିଆରେ ନିବେଦନ କରିଛନ୍ତି।

Leave a comment

Your email address will not be published. Required fields are marked *