#Breaking News

ଓଲିଉଡକୁ ଦୋହଲାଇ ଦେବାକୁ ଯାଉଛି ଅକ୍ଷୟ ପରିଜାଙ୍କ ‘ଦୃଷ୍ଟିକୋଣ’

ଭୁବନେଶ୍ୱର(ଉଲାପ୍ର)ବଢ଼ୁଛି ମହିଳାଙ୍କ ଉପରେ ଅତ୍ୟାଚାର । ଧର୍ଷଣ ଅଭିଯୋଗର ଲମ୍ବା ତାଲିକା ସମାଜକୁ ଅଣନିଶ୍ୱାସୀ କରୁଛି । କିନ୍ତୁ ଆଇନର ଖସିଯିବାର ରାସ୍ତାରେ ଅନେକ ଅପରାଧୀ ଖସି ଚାଲି ଯାଉଛନ୍ତି । ପୀଡିତା ନ୍ୟାୟ ପାଇବା ବଦଳରେ ପାଉଛି ମୃତ୍ୟୁ ଦଣ୍ଡ । ପୁରୁଷ ପ୍ରାଧାନ୍ୟ ସମାଜରେ ନାରୀ ସ୍ୱାଧିନତାକୁ ଦଳି ମକଚି ଦିଆଯାଉଛି । ସଣ୍ଠଣା ବା ଡେକୋରମ ନାଁରେ ମହିଳାଙ୍କ ଅଧିକାରକୁ ହତ୍ୟା କରାଯାଉଛି । ମିଡିଆରୁ ନେଇ ସୋସିଆଲ ମିଡିଆ ସବୁଠି ନାରୀ ସ୍ୱାଧିନତାକୁ ନେଇ ହୋ-ହାଲ୍ଲା ଚାଲେ କିନ୍ତୁ ଫଳ ଶୂନ । ତେବେ ନାରୀର ବକ୍ଷ ବା ଛାତି ପାଇଁ ଯେ ତାକୁ ଦୁଷ୍କର୍ମର ଶୀକାର ହେବାକୁ ପଡୁଛି ଏହା ଭାବିଲା ବେଳକୁ ବି ଲାଜରେ ମୁଣ୍ଡ ନଇଁ ଯାଉଛି । ନାରୀର ସୌନ୍ଦର୍ଯ୍ୟ ଓ ତାର ସୁଢ଼ଳ ବକ୍ଷସ୍ଥଳ ତାର ବିନାଶର କାରଣ ସାଜିଛି । କାମୁକ ପୁରୁଷ ନାରୀର ଛାତିକୁ ଚାହିଁ ଆକର୍ଷିତ ହେବା ଓ ଦୁଷ୍କର୍ମ କରିବା ଏବଂ ଏହି ବାହାନା ଦେଖାଇ ଆଇନ ଆଖିରେ ନିର୍ଦ୍ଦୋଶ ହେବା ପାଇଁ ଚେଷ୍ଟା କରିବାକୁ ନେଇ ଏକ ବଳିଷ୍ଠ ସିନେମା ନିର୍ମାଣ କରିଛନ୍ତି ପ୍ରଖ୍ୟାତ ସିନେ ନିର୍ମାତା ଅକ୍ଷୟ ପରିଜା । ସିନେମାର ନାଁ ରଖାଯାଇଛି ‘ଦୃଷ୍ଟିକୋଣ’ ।

ସମାଜରେ ନାରୀ ଦୁଷ୍କର୍ମର ଦୃଶ୍ୟପଟ୍ଟକୁ ‘ଦୃଷ୍ଟିକୋଣ’ ମାଧ୍ୟମରେ ଦେଖାଇବାକୁ ଚେଷ୍ଟା କରିଛନ୍ତି ଅକ୍ଷୟ ପରିଜା । ସୁଶାନ୍ତ ମଣି ଏଥିରେ ନିର୍ଦ୍ଦେଶନା ଦେଇଥିବା ବେଳେ ସିନେମାର ଟ୍ରେଲର ଓଲିଉଡରେ ହଲଚଲ ଆରମ୍ଭ କରିଛି । କାହାଣୀଟି ଏକ ଦୁଷ୍କର୍ମ ମାମଲାକୁ ନେଇ ରଚନା କରାଯାଇଥିବା ଟ୍ରେଲରରୁ ବୁଝାପଡୁଛି ତେବେ ପୁରା କାହାଣୀ ବାହାରକୁ ଆସିନାହିଁ । ଟ୍ରେଲରରେ ଏଲିନା ସାମନ୍ତରାୟଙ୍କୁ ବଳିଷ୍ଠ ପୁଲିସ ଚରିତ୍ରରେ ଦେଖିବାକୁ ମିଳିଛି । ସେହିଭଳି ହର ରଥଙ୍କୁ ଜଣେ ଓକିଲ ଭାବେ ଦେଖିବାକୁ ମିଳିଥିବା ବେଳେ ପ୍ରସିଦ୍ଧ କଥାକାର ହରପ୍ରସାଦ ଦାସଙ୍କୁ ଜଜ୍ ଭୂମିକାରେ ଦେଖିବାକୁ ମିଳିଛି । କୁହୁ ମହାନ୍ତି ନାମକ ଜଣେ ଯୁବତୀଙ୍କୁ ଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ବେଳେ ଏହି ମାମଲାର ବିଚାର ଅଦାଲତରେ ଚାଲିଥିବା ଟ୍ରେଲରରେ ଦେଖାଯାଇଛି । ତେବେ କୁହୁଙ୍କ ସୁନ୍ଦର ଚେହେରା ଓ ଢ଼ଳ ଢ଼ଳ ବକ୍ଷସ୍ଥଳ ହିଁ ଦୁଷ୍କର୍ମର କାରଣ ବୋଲି ଅଦାଲତରେ କ୍ରିମିନାଲ ଲୟର ପକ୍ଷ ରଖୁଥିବା ବେଳେ କାହାଣୀକୁ ଆଗକୁ ସସପେନ୍ସ ରଖାଯାଇଛି । ନବାଗତା ଶୁଭଶ୍ରୀ ନାୟକ (ଲିଜା ) ପୀଡିତା କୁହୁ ମହାନ୍ତି ଚରିତ୍ରରେ ମର୍ମସ୍ପର୍ଶୀ ଅଭିନୟ କରିଥିବା ଦେଖିବାକୁ ମିଳିଛି। ଅକ୍ଷୟ ପରିଜାଙ୍କ ସିନେମା ଅଧିକାଂଶ ସମୟରେ ଦେଶ ବିଦେଶରେ ଅନେକ ଆୱାର୍ଡ ଜିତୁଥିବା ବେଳେ ‘ଦୃଷ୍ଟିକୋଣ’ ମଧ୍ୟ ଓଡିଆ ସିନେମା ଇଣ୍ଡଷ୍ଟ୍ରି ପାଇଁ ଏକ ମାଇଲଖୁଣ୍ଟ ହେବ ବୋଲି ଆଶା କରାଯାଉଛି ।

Leave a comment

Your email address will not be published. Required fields are marked *