#Breaking News

ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାଫିଡ୍ ରେସ୍‌ପନ୍ସ ଗ୍ରୁପ ପକ୍ଷରୁ ଜିଲ୍ଲା ସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ

ଢେଙ୍କାନାଳ(ଉଲାପ୍ର)ସ୍ଥାନୀୟ କଂଟେଇକୋଳିଆସ୍ଥିତ ମହର୍ଷି ଦୟାନନ୍ଦ ସର୍ଭିସ୍‌ ମିଶନ ପରିସରରେ ଜରାନିବାସରେ ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଓ ଜିଲ୍ଲା ରେଡ୍‌କ୍ରସ୍ ରାପିଡ୍ ରେସ୍‌ପନ୍ସ ଗ୍ରୁପ୍ ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ଵ ରେଡ୍‌କ୍ରସ୍ ଦିବସ ପାଳିତ ହୋଇଯାଇଛି । ଢେଙ୍କାନାଳ ଜିଲ୍ଲା ରେଡ୍‌କ୍ରସ୍ ଶାଖା ଉପସଭାପତି ବିରଂଚି ନାରାୟଣ ପାଣିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଉତ୍ସବରେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ଚକ୍ଷୁ ବିଶେଷଜ୍ଞ ଡା . ଅଭିମନ୍ୟୁ ଆଚାର୍ଯ୍ୟ , ମହର୍ଷି ଦୟାନନ୍ଦ ସର୍ଭିସ୍ ମିଶନର ସଂପାଦକ ପ୍ରଦୀପ କୁମାର ସାହୁ ଓ ରୋଟାରିଆନ୍ ରାଜ କିଶୋର ସମ୍ମାନିତ ଅତିଥି ଭାବେ ଯୋଗଦାନ କରିଥିଲେ । ସମଗ୍ର ବିଶ୍ବରେ ମାନବବାଦ୍ ଶାନ୍ତି ଓ ମୈତ୍ରୀର ବାର୍ତା ପ୍ରଚାର କରୁଥିବା , ସର୍ବବୃହତ ସେବା ଅନୁଷ୍ଠାନ ‘ ‘ ରେଡ୍‌କ୍ରସ୍ ’ ’ ର ପ୍ରାଣ ପ୍ରତିଷ୍ଠାତା ହେନେରୀ ଡୁନାଂଟ୍‌ଙ୍କୁ ଶ୍ରଦ୍ଧା ସୁମନ ଅର୍ପଣ କରାଯାଇଥିଲା । ୧୮୨୮ ମସିହା ମଇ ୮ ତାରିଖରେ ସୁଇଜରଲାଣ୍ଡର ଜେନେଭା ସହରରେ ଜନ୍ମ ଗ୍ରହଣ କରିଥିବା ଏହି ଦୂରଦର୍ଶୀ , ନୋବେଲ ପୁରସ୍କାର ପ୍ରାପ୍ତ ସମାଜସେବୀ ‘ ‘ ସଲଫରିନୋ ’ ଯୁଦ୍ଧର ବିଭୀଷିକା , ମୃତାହତଙ୍କୁ ଦେଖୁ ସମଗ୍ର ବିଶ୍ବରେ ଶାନ୍ତି ପ୍ରତିଷ୍ଠା ପାଇଁ ପ୍ରଚେଷ୍ଟା କରିଥିଲେ ଓ ‘ ରେଡ୍‌କ୍ରସ୍ ’ ତାଙ୍କର ମାନସ ସନ୍ତାନ । ତାଙ୍କର ଆଦର୍ଶରେ ଅନୁପ୍ରାଣିତ ହେବା ଓ ସମସ୍ତ ସଂକୀର୍ଣ୍ଣତାରୁ ଉର୍ଦ୍ଧ୍ବରେ ରହି ‘ ବସୁଧୈବ କୁଟୁମ୍ବକ ’ ’ ନୀତିରେ ବିଶ୍ବ ଭାତୃତ୍ଵ ଓ ମାନବ ସେବାରେ ନିଜକୁ ଉତ୍ସର୍ଗ କରିବାକୁ ବକ୍ତାମାନେ ପରାମର୍ଶ ଦେଇଥିଲେ । ମାନବ ଜାତି ପ୍ରତି ସେବା ମନୋଭାବ , ଦୟା , କରୁଣା ଭାବ ପ୍ରକଟ କରିବା ସହ କ୍ଷୁଧା , ଦାରିଦ୍ର୍ୟ , ପ୍ରାକୃତିକ ଦୁର୍ବିପାକ , ମହାମାରୀ ଆଦି ସମୟରେ ରେଡ୍‌କ୍ରସ୍ ସ୍ଵେଚ୍ଛାସେବୀ ଅଗ୍ରଣୀ ଭୂମିକା ନିର୍ବାହ କରିଥାଏ ବୋଲି ଉପସଭାପତି ଶ୍ରୀଯୁକ୍ତ ପାଣି ପ୍ରକାଶ କରିଥିଲେ । ଏହି ଅବସରରେ ଜରାନିବାସ ଅନ୍ତେବାସୀମାନଙ୍କ ସ୍ୱାସ୍ଥ୍ୟ ପରୀକ୍ଷା ଚକ୍ଷୁ ପରୀକ୍ଷା , ଓଜନ , ପଲ୍ସ , ରକ୍ତଚାପ ଆଦି ପରୀକ୍ଷା କରାଯାଇ ଆବଶ୍ୟକ ଚିକିତ୍ସା ପରାମର୍ଶ ଦିଆଯାଇଥିଲା । ସମସ୍ତଙ୍କୁ ସ୍ଵାସ୍ଥ୍ୟ କାର୍ଡ ପ୍ରଦାନ କରାଯାଇଥିଲା । ସେମାନଙ୍କ ଦୈନନ୍ଦିନ ଶୃଙ୍ଖଳିତ ଜୀବନ ଚର୍ଯ୍ୟା ଓ ସନ୍ତୁଳିତ ଖାଦ୍ୟ ସଂପର୍କରେ ଡା.ଗୀତାଞ୍ଜଳି ତ୍ରିପାଠୀ ପରାମର୍ଶ ଦେଇଥିଲେ । ରେଡ୍‌କ୍ରସ୍‌ର ବରିଷ୍ଠ ପ୍ରସିକ୍ଷକ ଅକ୍ଷୟ ଜେନା ପରିଣତ ବୟସରେ ସୁସ୍ଥ ଓ ନିରୋଗ ଜୀବନଯାପନ ନିମନ୍ତେ ଯୋଗ ଓ ପ୍ରାଣାୟମର ଉପାଦେୟତା ସଂପର୍କରେ ପରାମର୍ଶ ଦେଇଥିଲେ । ପ୍ରତ୍ୟହ ସଂଧ୍ୟାରେ ଆଧମ୍ବିକ ଆଲୋଚନା , ଗୀତା ଭାଗବତ ପଠନ ଓ ଶ୍ରବଣ ନିମନ୍ତେ ବରିଷ୍ଠ ସଦସ୍ୟ ଶିବ ପ୍ରସାଦ ପଣ୍ଡା ପରାମର୍ଶ ଦେବା ସହ କିଛି ଆଧ୍ୟାତ୍ମିକ ପୁସ୍ତକ ପ୍ରଦାନ କରିଥିଲେ । ଅନ୍ୟତମ ସଦସ୍ୟା କବିତା ବେହେରା ଓ ରଶ୍ମିତା ରଥ ଅନ୍ତେବାସୀମାନଙ୍କୁ ପରିସ୍କାର ପରିଚ୍ଛନ୍ନ ରହିବା ପ୍ରେରଣା ଦେଇଥିଲେ ଓ ସେମାନଙ୍କୁ ଗୋଡ ଓ ହାତର ନଖ କାଟିଥିଲେ । ଦିଲ୍ଲୀପ ସାହାଣୀ , ଚିନ୍ମୟ ଜେନା , ସୁଜିତ୍ ନନ୍ଦ , ରାମେଶ୍ଵର ମାଇତି ପ୍ରମୁଖ ନୂତନ ବସ୍ତ୍ର , ଫଳ ଓ ମିଠା ପ୍ରଦାନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ନିହାର , ସୁଭାଶିଷ କାଦମ୍ବରୀ , ରୁନୁବାଳା , ବିକାଶ , ଦିପୁନା ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ସଂଧ୍ୟାରେ ଜିଲ୍ଲା ରେଡ୍‌କ୍ରସ୍ ରକ୍ତ ଭଣ୍ଡାର ପରିସରରେ ରେଡ୍‌କ୍ରସ୍ ରାପିଡ ରେସ୍‌ପନ୍ସ ଗ୍ରୁପ୍‌ର ସଦସ୍ୟମାନେ ବିଶ୍ଵ ରେଡ୍‌କ୍ରସ୍ ଦିବସ ଅବସରରେ କେକ୍ କାଟିବା ସହ ଏକ ରକ୍ତଦାନ ଶିବିର ଆୟୋଜନ କରିଥିଲେ । ରୋଟାରିଆନ୍ ରାଜକିଶୋର ବେହେରା ତାଙ୍କର ୯୧ତମ ରକ୍ତଦାନ କରି ଶିବିର ଉଦ୍‌ଘାଟନ କରିଥିଲେ । ଏହି ଶିବିରରେ ୧୧ୟୁନିଟ୍ ରକ୍ତ ସଂଗୃହୀତ ହୋଇଥିଲା ।

Leave a comment

Your email address will not be published. Required fields are marked *