#Breaking News

ମଧ୍ୟାହ୍ନ ଭୋଜନରେ ପୋକରା ଚାଉଳ ପରେ ଏବେ ପ୍ଲାଷ୍ଟିକ ଚାଉଳ


ବାଲିଗୁଡ଼ା:(ସଞ୍ଜୟ କୁମାର ପାଣିଗ୍ରାହୀ):ପୋକରା ଚାଉଳ ପରେ ଏବେ ପୁଣି ପ୍ଲାଷ୍ଟିକ ଚାଉଳ । ତାହା ପୁଣି ମଧ୍ୟାହ୍ନ ଭୋଜନରେ । ଏ ହେଉଛି ମଧ୍ୟାହ୍ନ ଭୋଜନ ପାଇଁ ପିଲାଙ୍କୁ ଦିଆଯାଉଥିବା ଚାଉଳ । ଯେଉଁଥିରେ ପ୍ଲାଷ୍ଟିକ ଚାଉଳ ଥିବା ଅଭିଯୋଗ ହୋଇଛି । ଏଭଳି ଅପମିଶ୍ରିତ ଚାଉଳ ଖାଇଲେ କଣ ପିଲାଙ୍କୁ ପୌଷ୍ଟିକ ତତ୍ତ୍ୱ ମିଳିବ ? ଏଭଳି ଅପମିଶ୍ରିତ ଚାଉଳରେ ମଧ୍ୟାହ୍ନ ଭୋଜନ ଦିଆଯାଉଛି କନ୍ଧମାଳରେ ।କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକର ବିଭିନ୍ନ ବିଦ୍ୟାଳୟରେ ମଧ୍ୟାହ୍ନ ଭୋଜନ ଅପମିଶ୍ରିତ ଚାଉଳରେ ରୋଷେଇ କରାଯାଉଥିବା ଅଭିଯୋଗ ଆସିଛି । ଯାହାକୁ ନେଇ ଅଭିଭାବକ ମହଲରେ ଦେଖିବାକୁ ମିଳିଛି ଅସନ୍ତୋଷ । ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ଶହେ ଗ୍ରାମ ଓ ଉଚ୍ଚ ପ୍ରାଥମିକ ଛାତ୍ରଛାତ୍ରୀଙ୍କୁ ଜଣଙ୍କ ପିଛା ୧୫୦ ଗ୍ରାମ ଚାଉଳ ଦେବାକୁ ନିର୍ଦ୍ଦେଶ ରହିଛି । ଏଭଳି ସ୍ଥିତିରେ ଅପମିଶ୍ରିତ ଚାଉଳ ରୋଷେଇ

କରାଯାଉଥିବା ଅଭିଯୋଗ କରିଛନ୍ତି ଛାତ୍ରଛାତ୍ରୀ ଓ ଅଭିଭାବକ । ଏନେଇ ଯୁଗାପଦର ପ୍ରାଥମିକ ବିଦ୍ୟାଳୟର ଭାରପ୍ରାପ୍ତ ପ୍ରଧାନଶିକ୍ଷକ ଅକ୍ଷୟ ନାୟକଙ୍କୁ ପଚାରିବାରୁ ଯେଉଁ ଚାଉଳ ଆସିଛି ତାହା ରୋଷେଇ କରାଯାଉଛି, ଯେଉଁ ଅଭିଯୋଗ ଆସିଛି ଏନେଇ ଆମେ ଉପରିସ୍ଥ ଅଧିକାରୀଙ୍କୁ ଜଣାଇବୁ ବୋଲି କହିଛନ୍ତି ପ୍ରଧାନ ଶିକ୍ଷକ । ସେପଟେ ଘଟଣା ସମ୍ପର୍କରେ କ.ନୂଆଗାଁ ଅତିରିକ୍ତ ଗୋଷ୍ଠୀ ଶିକ୍ଷା ଅଧିକାରୀ ଚୈତନ୍ୟ କହଁର କହିଛନ୍ତି ଯେ ଏନେଇ ଆମ ପାଖକୁ କୌଣଶି ଅଭିଯୋଗ ଆସିନାହିଁ । ଆପଣଙ୍କ ନିକଟରୁ ଆମେ ଶୁଣିବାକୁ ପାଇଲୁ । ଏଥିରେ ଆମର କୌଣସି ଭୁଲ୍ ନାହିଁ । ଯୋଗାଣ ବିଭାଗ ପକ୍ଷରୁ ଯେଉଁ ଚାଉଳ ଆସିଛି ଆମେ ତାହା ପିଲାଙ୍କୁ ଦେଉଛୁ । ଅଭିଯୋଗ ପ୍ରକାରେ ଘଟଣା ସମ୍ପର୍କରେ ଆମେ ଆମ ଉପସ୍ଥିତି ଅଧିକାରୀଙ୍କୁ ଜଣାଇବୁ ଏବଂ ଏହାର ତଦନ୍ତ କରି ସମସ୍ୟାର ସମାଧାନ କରିବୁ ବୋଲି କହିଛନ୍ତି । ଅନ୍ୟପଟେ ପୂର୍ବରୁ ଏମିତି ପୋକରା ଚାଉଳ ମଧ୍ୟ ମିଳିଛି ଏବେ ପୁଣି ଅପମିଶ୍ରିତ ଚାଉଳ । ଏଣୁ ଯଥାଶୀଘ୍ର ଭଲ ଉନ୍ନତମାନର ଚାଉଳ ଯୋଗାଇ ଦେବାକୁ ଦାବି କରିଛନ୍ତି ଅଭିଭାବକ ।

Leave a comment

Your email address will not be published. Required fields are marked *