#Breaking News

କପିଳାସ ବାରବାଙ୍କ ରାସ୍ତାର ଆଲୋକୀକରଣର ଶୁଭ ଉଦ୍‌ଘାଟନ – ଜିଲାରେ ପର୍ଯ୍ୟଟନର ଉନ୍ନତି ପାଇଁ ୫୦ କୋଟିରୁ ଉଦ୍ଧ୍ୱର୍ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ଅନୁମୋଦିତ


ଢେଙ୍କାନାଳ(ଉଲ୍ଲାପ୍ର )ଓଡିଶାର ପ୍ରସିଦ୍ଧ ଶୈବପୀଠ କପିଳାସର ବାରବାଙ୍କ ରାସ୍ତାର ଆଲୋକୀକରଣ କାର୍ଯ୍ୟର ଶୁଭ ଉଦଘାଟନ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଓଡିଶା ସରକାରଙ୍କ ପୂର୍ତ, ଖଣି ଓ ଇସ୍ପାତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଶୁଭ ଉଦଘାଟନ କରିଥିବା ବେଳେ କପିଳାସ ପୀଠର ଉନ୍ନତି ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସ୍ୱତନ୍ତ୍ର ଭାବେ ଦୃଷ୍ଟିଦେବା ସହିତ ଜିଲାରେ ଥିବା ପର୍ଯ୍ୟଟନ ସ୍ଥଳୀର ଉନ୍ନତି ପାଇଁ ବିପୁଳ ଅର୍ଥ ଅନୁମୋଦନ କରିଛନ୍ତି । ଏହି ଆଲୋକୀକରଣ କପିଳାସ ପୀଠ ବାରବାଙ୍କରୁ ଆରମ୍ଭ ହୋଇ ୨ କିଲୋମିଟର ୬ ନଂ.ବାଙ୍କ ପର୍ଯ୍ୟନ୍ତ ୨୫ ଲକ୍ଷ ଟଙ୍କା ବ୍ୟୟ ଅଟକଳରେ ହୋଇଥିବା ବେଳେ ଅବଶିଷ୍ଟ ବାଙ୍କ ଗୁଡିକ ପର୍ଯ୍ୟାୟ କ୍ରମେ ଆଲୋକୀକରଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ । ଢେଙ୍କାନାଳରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଜୁ ସ୍ୱାସ୍ଥ୍ୟ କାର୍ଡ ବଣ୍ଟନ ଦିବସରେ ଜିଲାରେ ଥିବା ବିଭିନ୍ନ ପର୍ଯ୍ୟଟନ ସ୍ଥଳୀର ଉନ୍ନତି ଓ ବିକାଶ ପାଇଁ ୫୦କୋଟି ଟଙ୍କା ଅନୁମୋଦନ କରାଯାଇଥିବା ବେଳେ ଏହାର କାର୍ଯ୍ୟ କରାଯିବା ସହିତ କପିଳାସ ପୀଠକୁ ଓଡିଶାରେ ଏକ ପ୍ରମୂଖ ଶୈବପୀଠ ହିସାବରେ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ମଲ୍ଲିକ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ଢେଙ୍କାନାଳ ସାଂସଦ ମହେଶ ସାହୁ ଅନ୍ୟତମ ଅତିଥି ଭାବେ ଯୋଗଦେଇ ମୁଖ୍ୟମନ୍ତ୍ରୀଙ୍କ ଇଚ୍ଛାଶକ୍ତି ଓ ଜିଲାର ବରିଷ୍ଠ ନେତା ତଥା ପୂର୍ତ ମନ୍ତ୍ରୀଙ୍କ ପ୍ରଚେଷ୍ଟା ଓ ସମସ୍ତଙ୍କ ସହଯୋଗରେ ଢେଙ୍କାନାଳ ଜିଲାର ପର୍ଯ୍ୟଟନ ସ୍ଥଳୀ ଗୁଡିକର ଉନ୍ନତିକରଣ କରାଯିବ ବୋଲି କହିଥିଲେ । ପରଜଙ୍ଗ ବିଧାୟକ ଡା. ନୃସିଂହ ଚରଣ ସାହୁ, ଜିଲାପରିଷଦ ସଭାପତି ଅର୍ଚ୍ଚନା ପୁହାଣ, ଜିଲାପାଳ ସରୋଜ କୁମାର ସେଠୀ, ଦେବୋତ୍ତର କାର୍ଯ୍ୟ ନିର୍ବାହୀ ଅଧିକାରୀ ତଥା ଉପଜିଲାପାଳ ସ୍ନିଗ୍ଧାରାଣୀ ଧଳ, ଗଁଦିଆ ପଞ୍ଚାୟତ ସମିତି ଅଧ୍ୟକ୍ଷା ରୀନାରାଣୀ ଖଟୁଆ, ଦେଓଗାଁ ସରପଞ୍ଚ ବିଜୟ କୁମାର ଦେହୁରୀ ପ୍ରମୁଖ ଉପସ୍ଥିତ ରହି ଏହି ଆଲୋକୀକରଣ ଶୁଭ ଉଦଘାଟନ କାର୍ଯ୍ୟରେ ସାମିଲ ଥିଲେ ।

Leave a comment

Your email address will not be published. Required fields are marked *