#Breaking News

ନୂଆ ସିନେମା ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ

ଭୁବନେଶ୍ୱର (ଉଲାପ୍ର)ଜୀ ସାର୍ଥକ ଫିଲ୍ମସରେ ରାକ୍ଷୀ ପୂର୍ଣ୍ଣିମା ଅବସରେ ନୂଆ ସିନେମା ‘ ଏଇ ରାକ୍ଷୀ ତୋ ରକ୍ଷା କବଚ’ ର ଅଡିଓ ରିଲିଜ ହୋଇଯାଇଛି । ଏହି ଚଳଚ୍ଚିତ୍ରରେ ଭାଇ-ଭଉଣୀ ସମ୍ପର୍କକୁ ଏକ ସୁନ୍ଦର ରୂପରେ ଅବତାରଣା କରାଯାଇଥିବା ବେଳେ ସମ୍ପୂର୍ଣ୍ଣ ପାରିବାରିକ କାହାଣୀକୁ ନେଇ ଚଳଚିତ୍ର ଗତିଶୀଳ ହୋଇଛି । କ୍ଷୀରୋଦ ପଟ୍ଟନାୟକ ଏଥିରେ ପ୍ରଯୋଜନା କରିଥିବା ବେଳେ ସହ ପ୍ରଯୋଜନା କରିଛନ୍ତି ଲିପ୍ସା ମିଶ୍ର । ଗିମିକ ମାଷ୍ଟର ସଂଜୟ ନାୟକ ଚଳଚ୍ଚିତ୍ରରେ ନିର୍ଦ୍ଦେଶନା ଦେଇଛନ୍ତି । ପୂର୍ବରୁ ରାକ୍ଷୀକୁ ନେଇ ସଂଜୟ ନିର୍ମାଣ କରିଛନ୍ତି ‘ରାକ୍ଷୀ ବାନ୍ଧିଲି ମୋ ରଖିବ ମାନ’ । ଯେଉଁଥିରେ ସ୍ୱର୍ଗତ ମିହିର ଦାସଙ୍କ ସହ ସିଦ୍ଧାନ୍ତ ମହାପାତ୍ର ଓ ଅନୁ ଚୌଧୁରୀଙ୍କୁ ଦେଖିବାକୁ ମିଳିଥିଲା । ତେଣୁ ଏହି ଚଳଚ୍ଚିତ୍ରରେ ଗିମିକ ମାଷ୍ଟର ସଂଜୟ କଣ ନୂଆ କରିବାକୁ ଯାଉଛନ୍ତି ତାକୁ ସମସ୍ତେ ଅପେକ୍ଷା କରିଛନ୍ତି ।

ହ୍ୟୁମାନ ସାଗର, ନେହା, ନିହାରିକା, କୁମାର ବାପି, ଅନ୍ତରା ଚକ୍ରବର୍ତ୍ତୀ, ଶୀତଲ କବି, ଶୁଭାଶିଷ ସାହୁ ପ୍ରମୁଖ କଣ୍ଠଦାନ କରିଛନ୍ତି । ଗୀତ ଗୁଡିକ ନିହାର ପ୍ରିୟାଶୀଷ ଓ Dr ଶୁଭ ଦାସ ଲେଖିଥିବା ବେଳେ ବୈଦ୍ୟନାଥ ଦାସ ସଂଗୀତ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚିତ୍ରର ଗୀତ ଗୁଡି଼କ ବହୁତ ସୁମଧୁର ହୋଇଛି ଯାହାକି ଦର୍ଶକମାନେ ବହୁତ ପସନ୍ଦ କରିବେ ଓ ଏହି ରାକ୍ଷୀ ପୂର୍ଣ୍ଣିମାରେ ଏହାର ଅଡିଓ ରିଲିଜି କରାଯାଇଛି । ଏଥିରେ ମୁଖ୍ୟ ଭୂମିକାରେ ଅଛନ୍ତି ଅନନ୍ୟା,ରିଷି ଓ ବିକ୍ରମ ଏବଂ ତାଙ୍କ ସହ ରାଜଦୀପଙ୍କୁ ଏକ ସ୍ୱତନ୍ତ୍ର ଭୂମିକାରେ ଦେଖିବାକୁ ମିଳିବ । ରାକ୍ଷୀକୁ ନେଇ ଅନେକ ଓଡିଆ ଚଳଚ୍ଚିତ୍ର ପରଦାକୁ ଆସିଛି । କିନ୍ତୁ ଗତ କିଛି ବର୍ଷ ହେବ ରାକ୍ଷୀକୁ ବଡପରଦାରେ ଦେଖିବାକୁ ମିଳିନଥିଲା । ଅନେକ ଦିନ ପରେ ରାକ୍ଷୀକୁ ନେଇ ଓଡିଆ ସିନେମା ନିର୍ମାଣ ହୋଇଥିବା ବେଳେ ଏହା ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେବ ବୋଲି ଜୀ ସାର୍ଥକ ପକ୍ଷରୁ କୁହାଯାଉଛି ।

Leave a comment

Your email address will not be published. Required fields are marked *