#Breaking News

ମହଙ୍ଗା ପଡିଲା ପାହାଡ଼ ଉପରକୁ ଯାଇ ପାଠ ପଢିବା : ବଜ୍ରାଘାତ ରେ ତିନି ଛାତ୍ର ଆହତ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ ):ଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବାକୁ ପାହାଡ଼କୁ ଉପରକୁ ଯାଇଥିଲେ ୩ଛାତ୍ର। ପାହାଡ଼ ଉପରେ ଥିବାବେଳେ ଘୋଟି ଆସିଲା କଳା ହାଣ୍ଡିଆ ମେଘ। ଘନ ଘନ ମାରିଲା ବିଜୁଳି। ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ ଛାତ୍ରମାନେ। ୩ଜଣଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଚକାପାଦ ବ୍ଲକ ପସରା ଗ୍ରାମ ପଞ୍ଚାୟତର ମୁଣ୍ଡାଗାଁରେ। ଆହତମାନେ ହେଲେ ଯୁକ୍ତ ଦୁଇର ଛାତ୍ର ଧିରେନ ଦିଗାଲ, ଦଶମ ଶ୍ରେଣୀର ଛାତ୍ର ପିଙ୍କୁ ମଲ୍ଲିକ ଓ ଅଷ୍ଟମ ଶ୍ରେଣୀର ଛାତ୍ର ପଞ୍ଚା ବେହେରା।ଗତକାଲି ଦିନ ୪ଟା ସମୟରେ ୩ଜଣ ଛାତ୍ର ଗାଁରେ ମୋବାଇଲ ନେଟଓ୍ୱାର୍କ ଆସୁନଥିବାରୁ ପାଠ ପଢ଼ିବା ପାଇଁ ଗାଁ ନିକଟରେ ଥିବା ଡିଗୀସରୁ ପାହାଡ଼କୁ ଯାଇଥିଲେ। ସେମାନେ ପାହାଡ଼ ଉପରେ ଥିବା ସମୟରେ ଘନ ଘନ ବଜ୍ରାଘାତ ହେବା ସହିତ ବର୍ଷା ହୋଇଥିଲା। ଛାତ୍ରମାନେ କୌଣସି ଉପାୟରେ ପାହାଡ଼ ତଳକୁ ଆସିପାରି ନଥିଲେ। ଘନଘନ ବଜ୍ରାଘାତରେ ୩ଜଣ ଛାତ୍ର ସେଠାରେ ଚେତାଶୂନ୍ୟ ହୋଇ ପଡ଼ିଯାଇଥିଲେ।ତେବେ ସନ୍ଧ୍ୟାରେ ପିଲାମାନେ ଘରକୁ ନ ଫେରିବାରୁ ପରିବାର ଲୋକେ ବ୍ୟସ୍ତ ହୋଇପଡ଼ିଥିଲେ। ପରିବାର ଲୋକେ ଓ ଗ୍ରାମବାସୀ ମିଶି ପାହାଡ଼ ଉପରକୁ ଯାଇ ପିଲାମାନଙ୍କୁ ଖୋଜାଖୋଜି କରିଥିଲେ। ସେଠାରେ ୩ଜଣ ଛାତ୍ର ଚେତାଶୂନ୍ୟ ଅବସ୍ଥାରେ ପଡ଼ିଥିବା ପରିବାର ଲୋକେ ଦେଖିଥିଲେ। ପରେ ସେମାନଙ୍କୁ ଉଦ୍ଧାର କରି ପ୍ରଥମେ ବ୍ରାହ୍ମଣପାଦ ମେଡିକାଲରେ ଭର୍ତ୍ତି କରିଥିଲେ। ଧିରେନ ଦିଗାଲ ନାମଙ୍କ ଛାତ୍ରଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ଫୁଲବାଣୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟଙ୍କୁ ସ୍ଥାନାନ୍ତର କରାଯାଇଛି। ସୂଚନାଯୋଗ୍ୟ, ମୁଣ୍ଡାଗାଁକୁ ମୋବାଇଲ ନେଟଓ୍ୱାର୍କ ଆସୁନାହିଁ। ଫଳରେ ଛାତ୍ରଛାତ୍ରୀଠାରୁ ଆରମ୍ଭ କରି ଗ୍ରାମବାସୀମାନେ ମଧ୍ୟ ବିଭିନ୍ନ ଅସୁବିଧାରେ ସମ୍ମୁଖୀନ ହେଉଛନ୍ତି। ଛାତ୍ରଛାତ୍ରୀମାନେ ପାଠ ପଢ଼ିବା ପାଇଁ ପାହାଡ଼ ଉପରକୁ ଯାଉଥିବା ବେଳେ ଗ୍ରାମବାସୀ ମଧ୍ୟ ଫୋନ୍ କରିବାକୁ ହେଲେ ପାହାଡ଼ ଉପରକୁ ଯାଇଥାନ୍ତି। ଗାଁରେ ମୋବାଇଲ ଟାୱାର ବସିଛି ହେଲେ ତାହା ଏପର୍ଯ୍ୟନ୍ତ କାର୍ଯ୍ୟକ୍ଷମ ହୋଇପାରି ନାହିଁ। ଯାହାଫଳରେ ଛାତ୍ରଛାତ୍ରୀଙ୍କ ଠାରୁ ଗ୍ରାମବାସୀ ପର୍ଯ୍ୟନ୍ତ ସମସ୍ତେ ମୋବାଇଲ ନେଟଓ୍ୱାର୍କ ପାଇଁ ପାହାଡ଼କୁ ଯାଇଥାନ୍ତି। ଏଣୁ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷ ଦୃଷ୍ଟି ଦେଇ ଅକ୍ଷମ ଥିବା ମୋବାଇଲ ଟାୱାରକୁ ତୁରନ୍ତ କାର୍ଯ୍ୟକ୍ଷମ କରିବାକୁ ଅଞ୍ଚଳ ବାସୀଙ୍କ ତରଫରୁ ପ୍ରବଳ ଦାବୀ ହେଉଛି l

Leave a comment

Your email address will not be published. Required fields are marked *