#Breaking News #Uncategorized

ଟଙ୍କା ଆଦାୟ କରିବାକୁ ଯାଇ ହତ୍ୟା ଦୁଇ ଅଭିଯୁକ୍ତଙ୍କୁ ୭ ବର୍ଷ ଜେଲ ୫ ହଜାର ଜରିମାନା

ଫୁଲବାଣୀ,(ସୁନୀଲ ପଟନାୟକ)
ବକେୟା ଟଙ୍କା ଆଦାୟ କରିବାକୁ ଯାଇ ଚାପୁଡା ମାଡରେ ହତ୍ୟା ମାମଲାର ବିଚାରଣ କରି,ମାମଲାର ସାଖ୍ୟ ପ୍ରମାଣ ଓ ଡାକ୍ତରୀ ରିପୋର୍ଟ ଆଧାରରେ ଫୁଲବାଣୀ ଅତିରିକ୍ତ ଜିଲ୍ଲା ଜଜ୍ଜ ସୁଶ୍ରୀ ସ୍ମୃତିରେଖା ବାରିକ ମାମଲାର ଦୁଇଜଣ ଅଭିଯୁକ୍ତଙ୍କୁ ଦୋଷୀ ସାବ୍ୟସ୍ତ କରି,କନ୍ଧମାଳ ଜିଲ୍ଲା ଶଙ୍କରାଖୋଲ ଅଂଚଳର ସିମେଣ୍ଟ ଓ ଲୁହାଛଡ ବ୍ୟବସାୟୀ ବିକ୍ରମ ପଣ୍ଡା ଓ ତାଙ୍କ ସହେଯାଗୀ ବିକୁନ ସାହୁଙ୍କୁ ୭ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଶୁଣାଇଛନ୍ତି । ଏହା ସହିତ ସେମାନଙ୍କୁ ୫ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡାଦେଶ ମଧ୍ୟ ଶୁଣାଇଛନ୍ତି ବିଚାରପତି । ଜରିମାନା ଅନାଦେୟ ସେମାନଙ୍କୁ ଆଉ ୬ ମାସ ଅଧିକ ଜେଲ ଦଣ୍ଡ ଭୋଗିବାକୁ ପଡିବ ବୋଲି ନିଜ ରାୟରେ ପ୍ରକାଶ କରିଛନ୍ତି । ସୂଚନା ଅନୁସାରେ ଗତ ୨୩/୬/୨୦୧୪ ତାରିଖ ସକାଳ ପ୍ରାୟ ୧୦ଟା ବେଳେ,ମୃତକ ଶ୍ରୀନିବାସ ମିଶ୍ର ତାଙ୍କ ସ୍ତ୍ରୀ ମୀରା ମହାପାତ୍ର(ଶୀକ୍ଷୟୀତ୍ରୀ)ଙ୍କୁ ,ବାଇକ ଯୋଗେ ଫୁଲବାଣୀ ବ୍ଳକ ଅନ୍ତର୍ଗତ ପ୍ରାଡିପଦର ବିଦ୍ୟାଳୟକୁ ଛାଡିବାକୁ ଯାଇଥିଲେ । ଶ୍ରୀନିବାସ କୁଆଡେ ବିକ୍ରମ ପଣ୍ଡାଙ୍କଠାରୁ ସିମେଣ୍ଟ ନେଇଥିଲେ ଏବଂ ସେହି ବାବଦକୁ ଟଙ୍କା ବାକି ଥିଲେ । ଶ୍ରୀନିବାସ ପ୍ରାଡିପଦର ଆସିଥିବା ଖବର ପାଇ ଅଭିଯୁକ୍ତ ଦୁହେଁ ବିଦ୍ୟାଲୟରେ ପହଂଚି ଶ୍ରୀନିବାସଙ୍କୁ, ସିମେଣ୍ଟ ବକେୟା ଟଙ୍କା ମାଗିଥିଲେ ଆଉ ସେ ଟଙ୍କା ନଥିବା କହିବାରୁ ହଟାତ ଉତକ୍ଷିପ୍ତ ହୋଇ ବିକ୍ରମ ଏକ ଚାପୁଡା ମାରିଥିଲେ । ଫଳରେ ସେଠାରେ ଶ୍ରୀନିବାସ ପଡିଯାଇଥିଲେ । ତାଙ୍କୁ ସେଠାରୁ ଡାକ୍ତରଖାନାକୁ ନେବା ପରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏହି ସଂକ୍ରାନ୍ତରେ ଶ୍ରୀନିବାସଙ୍କ ସ୍ତ୍ରୀ ମୀରା ମହାପାତ୍ର ଫୁଲବାଣୀ ସଦର ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ଅନୁସାରେ ପୋଲିସ ଏକ ମାମଲା ୬୬/୨୦୧୪ ରୁଜ୍ଜୁ କରି ଅଭିଯୁକ୍ତ ମାନଙ୍କୁ କୋର୍ଟରେ ହାଜର କରାଇଥିଲା । ଆଜି ସେହି ମାମଲାର ବିଚାର କରି ବିଚାରପତି ଉପରୋକ୍ତ ରାୟ ଶୁଣାଇଛନ୍ତି । ମୃତକଙ୍କ ପକ୍ଷରୁ ସରକାରୀ ଓକିଲ ଶିବପ୍ରସାଦ ତ୍ରିପାଠୀ ଏହି ମାମଲାକୁ ପରିଚାଳନା କରିଥିଲେ ।

Leave a comment

Your email address will not be published. Required fields are marked *