#Breaking News #District #Special Story

କନ୍ଧମାଳ ଜିଲ୍ଲାରେ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା ମୂଳ ଲକ୍ଷ୍ୟ ଠାରୁ ବହୁ ଦୂରରେ


କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ): ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା (ଏମ୍‌ଜିଏନ୍‌ଆରଇଜିଏସ୍‌) ଏବେ ବୋଝ ଉପରେ ନଳିତା ବିଡ଼ା ସଦୃଶ ହୋଇଛି। ଏହି ଯୋଜନାରେ ବ୍ଲକ ସମେତ ଅନ୍ୟ ବିଭାଗରେ କାମ କରାଯାଉଛି। ବିଶେଷ କରି କୋଭିଡ ପରେ ଏମ୍‌ଜିଏନ୍‌ଆରଇଜିଏସ୍‌କୁ ଅଧିକ ଗୁରୁତ୍ୱ ଦିଆଯାଇଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ବିନା ସର୍ଭେରେ ହେଲା ଭଳି କାର୍ଯ୍ୟରୁ ସ୍ପଷ୍ଟ ବାରିହେଉଛି। ଜବକାର୍ଡଧାରୀ ପଞ୍ଚାୟତରେ କାମ ପାଇଁ ଆବେଦନ କଲେ ସେମାନଙ୍କୁ ଏହି ଯୋଜନାରେ କାମ ଦିଆଯିବା କଥା l କିନ୍ତୁ ଏବେ ସବୁ ଓଲଟା l କନ୍ଧମାଳ ଜିଲାରେ ଯେତିକି ପ୍ରକଳ୍ପ ଏବେ କାର୍ଯ୍ୟକାରୀ ହେଉଛି, ସେହି ଅନୁସାରେ ଜବକାର୍ଡଧାରୀ କାମ ମାଗି ନାହାନ୍ତି l ଅପରପକ୍ଷେ ବ୍ଲକ ସମେତ ଅନ୍ୟ ବିଭାଗରେ ଅଧିକାଂଶ କାର୍ଯ୍ୟ ଏହି ଯୋଜନାରେ କରିବାକୁ ସରକାରଙ୍କ ନିର୍ଦ୍ଦେଶ ରହିଛି l ବର୍ତ୍ତମାନ କାମ କରିବା ପରେ ଖାଲି ମଜୁରୀ ମିଳୁଥିବା ବେଳେ ମ୍ୟାଟେରିଆଲ ବିଲ୍‌ ମିଳୁନାହିଁ l ସ୍ଥିତି ଏପରି ହୋଇଛି କାମ କରି ସାରିବା ପରେ ସମସ୍ତେ ହଇରାଣ ହେଉଛନ୍ତି l ଫଳରେ ଯେତିକି କାର୍ଯ୍ୟ ହେବା କଥା ତାହା ହୋଇପାରୁନାହିଁ l ଏମ୍‌ଜିଏନ୍‌ଆରଇଜିଏସ୍‌ର ମୂଳ ଲକ୍ଷ୍ୟ ଅଣକୁଶଳୀ ଶ୍ରମିକମାନଙ୍କୁ ବର୍ଷକୁ ୧୦୦ ଦିନର କାମ ଯୋଗାଇ ଦେବା l ଦିନକୁ ମଜୁରୀ ୨୨୨ ଟଙ୍କା ହିସାବରେ ଯଦି ଜଣେ ୧୦୦ ଦିନର କାମ କରିବ ତାଙ୍କୁ ୨୨ ହଜାର ୨୦୦ ଟଙ୍କା ମିଳିବ l ଏକ ଅନୁସନ୍ଧାନରୁ ଜଣାପଡିଛି ଯେ, ୬୦ ପ୍ରତିଶତରୁ ଊର୍ଦ୍ଧ୍ୱ ଜବ କାର୍ଡଧାରୀ କାମ କରିବାକୁ ଇଚ୍ଛୁକ ନୁହନ୍ତି କି ସେମାନେ କାମ କରିବା ପାଇଁ ଆବେଦନ କରୁନାହାନ୍ତି l ଜିଲାରେ ଚାଲିଥିବା ଅଧିକାଂଶ କାର୍ଯ୍ୟରେ ମେସିନ ବ୍ୟବହୃତ ହେଉଛି l ୨୦୨୨-୨୩ ଆର୍ଥିକ ବର୍ଷରେ ରୁରାଲ ଇନଫ୍ରାଷ୍ଟ୍ରକଚରରେ ଅଙ୍ଗନୱାର୍ଡି ଗୃହ, ରୋଷେଇ ଗୃହ, ଗ୍ରାମୀଣ ପାର୍କ, ସ୍କୁଲ ଖେଳ ପଡିଆ, ଲାଇବ୍ରେରି, କମ୍ପାଉଣ୍ଡ ୱାଲ ଆଦି କାର୍ଯ୍ୟ ହେଉଛି l ଜିଲାର ୧୨ଟି ବ୍ଳକରେ ଆଜି ପର୍ଯ୍ୟନ୍ତ ମାତ୍ର ୧୮୬ଟି କାର୍ଯ୍ୟ ଶେଷ ହୋଇଥିବା ବେଳେ ୮୧୫ଟି କାର୍ଯ୍ୟ ଅଧାପନ୍ତରିଆ ହୋଇରହିଛି l ଜମି ଉନ୍ନତିକରଣ ସ୍କିମରେ ୧୭୪୦ ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୧୭୯୩ କାର୍ଯ୍ୟ ଅଧାପନ୍ତରିଆ, ଜଳ ସେଚନ ଲାଗି ମାଟି ଖୋଳା, କେନାଲ ଆଦି କାର୍ଯ୍ୟରେ ୧୯୩୮ଟି ସମ୍ପୂର୍ଣ୍ଣ, ୬୫୩୮ ପ୍ରକଳ୍ପ ଅସମ୍ପୂର୍ଣ୍ଣ ରହିଛି ା ନିଜସ୍ବ ଜମିରେ କାର୍ଯ୍ୟକୁ ଅନୁଧ୍ୟାନ କଲେ ଯୋଜନାର ବାସ୍ତବତାକୁ ନେଇ ପ୍ରଶ୍ନ ଉଠିଛି। ଏହି ସ୍କିମରେ ଜବକାର୍ଡଧାରୀମାନେ ନିଜସ୍ବ ଜମିରେ ଫାର୍ମ ପଣ୍ଡ, କୂଅ, ଗୁହାଳ ଆଦି କରିଛନ୍ତି l ସେଥି ମଧ୍ୟରୁ ଆଜି ପର୍ଯ୍ୟନ୍ତ ୨୫୬୦ଟି କାର୍ଯ୍ୟ ଶେଷ ହୋଇଛିା ୬୦୨୯ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି l ମ୍ୟାଟେରିଆଲ ବିଲ ମିଳୁ ନ ଥିବାରୁ ଏଭଳି ପରିସ୍ଥିତି ସୃଷ୍ଟି ହୋଇଛି l ଧାର ଉଧାର କରି କାମ କରିଥିବା ଜବକାର୍ଡଧାରୀ ବର୍ତ୍ତମାନ କେଉଁ ପରିସ୍ଥିତି ରେ ଥିବେ ତାହା ସହଜରେ ଅନୁମେୟ l ମୋଟ ଉପରେ ଦେଖିବାକୁ ଗଲେ ଜିଲାରେ ବର୍ତ୍ତମାନ ସୁଦ୍ଧା ୧୦ ହଜାର ୫୧୬ଟି କାର୍ଯ୍ୟ ସମ୍ପୂର୍ଣ୍ଣ ହୋଇଥିବା ବେଳେ ୨୩ ହଜାର ୭୪୮ କାର୍ଯ୍ୟ ଅଧାପନ୍ତରିଆ ହୋଇପଡିଛି l ୨୦ ହଜାର ୩୧୭ଟି କାର୍ଯ୍ୟ ମଞ୍ଜୁର ହୋଇଛି, କିନ୍ତୁ କାର୍ଯ୍ୟ ଆଦୌ ଆରମ୍ଭ ହୋଇନାହିଁ। ୩୬ ହଜାର ୪୭୨ଟି ପ୍ରକଳ୍ପ ଲାଗି ପ୍ରସ୍ତାବ ଦିଆଯାଇଛି, ଯାହା ମଞ୍ଜୁର ପାଇବାକୁ ଅଛି। ଏ ସଂକ୍ରାନ୍ତରେ ଜିଲା ପରିଷଦ ମୁଖ୍ୟ ଉନ୍ନୟନ ଅଧିକାରୀ ବିଶ୍ୱରଞ୍ଜନ ନାୟକଙ୍କୁ ପଚାରିବାରୁ ମ୍ୟାଟେରିଆଲ ବିଲ୍‌ ଆସିବାରେ ବିଳମ୍ବ ହେଉଛି l ଯେତେବେଳେ ଆସୁଛି ବାକି ଥିବା ହିତାଧିକାରୀଙ୍କ ଆକାଉଣ୍ଟକୁ ଟଙ୍କା ଯାଉଛି l ଶୀଘ୍ର ଏହି ବିଲ ଆସିଲେ କାର୍ଯ୍ୟରେ ଅସୁବିଧା ହୁଅନ୍ତା ନାହିଁ ବୋଲି କହିଛନ୍ତି l

Leave a comment

Your email address will not be published. Required fields are marked *