#Breaking News #District #ରାଜ୍ୟ ଖବର

ତୁମୁଡିବନ୍ଧ ହାଟପିଣ୍ଡିରେ କୁଢ଼ କୁଢ଼ ଗୋବର ଓ ଆବର୍ଜନା:
ହାଟ ବ୍ୟବସାୟୀ ଅସନ୍ତୋଷ :ତୁରନ୍ତ ପ୍ରତିକାର ଦାବୀ


ବାଲିଗୁଡା:(ସଞ୍ଜୟ କୁମାର ପାଣିଗ୍ରାହୀ):କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ପଞ୍ଚାୟତ ସ୍ଥିତ ହାଟପଦା ସ୍ଥଳରେ ସୋମବାର ଦିନ ସାପ୍ତାହିକ ହାଟରେ ଦେଖିବାକୁ ମିଳିଛି କୁଡ଼ କୁଡ଼ ଅଳିଆ ଆବର୍ଜନା lସୋମବାର ଦିନ ତୁମୁଡିବନ୍ଧ ପଞ୍ଚାୟତ ରେ ସାପ୍ତାହିକ ହାଟ ଥିବା ହେତୁ ପୂର୍ବାହ୍ନ ୮ ଘଣ୍ଟା ସମୟରେ ହାଟ ବ୍ୟବସାୟୀ ହାଟପଦା ପହଞ୍ଚି ନିଜ ନିଜ ପିଣ୍ଡିରେ ଦରି ଓ ପାଲ ବାନ୍ଧି ଦୋକାନ ପସରା ଖୋଲିବା ବେଳେ ହାଟପଦା ରେ କୁଢ଼ କୁଢ଼ ଗୋବର ଓ ଆବର୍ଜନା ପଡିରହିଥିବା ଦେଖି ଅସନ୍ତୋଷ ବ୍ୟକ୍ତ କରିଛନ୍ତି l ବାରମ୍ବାର ପ୍ରତି ସୋମବାର ଏହିଭଳି ଅବ୍ୟବସ୍ଥାର ସମ୍ମୁଖୀନ କରିବାକୁ ପଡୁଛି ବୋଲି ବ୍ୟବସାୟୀ ଗଣ ଅଭିଯୋଗ କରିଛନ୍ତି l ହାଟପଦା ସଫାସୁତରା ରଖିବା ପାଇଁ ତୁମୁଡିବନ୍ଧ ପଞ୍ଚାୟତ ତରଫରୁ ପ୍ରତ୍ୟେକ ହାଟ ବ୍ୟବସାୟୀଙ୍କ ଠାରୁ ସାପ୍ତାହିକ ୨୦ ଟଙ୍କା ଲେଖାଏଁ ଆଦାୟ ନିମନ୍ତେ ଧାର୍ଯ୍ୟ କରାଯାଇଛି l ସେହିଭଳି ଟେଣ୍ଡର ଧାରୀ ପ୍ରତି ସପ୍ତାହରେ ଏହି ଅର୍ଥ ବ୍ୟବସାୟୀଙ୍କ ଠାରୁ ବାଧ୍ୟତା ମୂଳକ ଭାବେ ଆଦାୟ କରୁଛନ୍ତି l ସଫାସୁତରା କଥା ଉଠାଇଲେ କୁଆଡ଼େ ଟେଣ୍ଡରଧାରୀ ସରପଞ୍ଚଙ୍କୁ ଆକ୍ଷେପ କରୁଥିବା ବେଳେ ସରପଞ୍ଚ ଟେଣ୍ଡର ଧାରୀଙ୍କୁ ଆକ୍ଷେପ କରୁଛନ୍ତି ବୋଲି ବ୍ୟବସାୟୀ ଅଭିଯୋଗ କରିଛନ୍ତି l କେବଳ ସଫେଇ କଥା ନୁହଁ ବରଂ ବର୍ଷା ଦିନେ ଛାତରୁ ପାଣି ଗଳୁଥିବା ମଧ୍ୟ ଅଭିଯୋଗ କରିଛନ୍ତି ବ୍ୟବସାୟୀ l ଅନ୍ୟପଟେ ସ୍ଥାନୀୟ ସରପଞ୍ଚଙ୍କୁ ଅଭିଯୋଗ କଲେ ସଫେଇ କର୍ମଚାରୀ ଆସୁନଥିବା କହି ହାଲୁକାରେ ଅଭିଯୋଗକୁ ଏଡ଼ାଇ ଚାଲିଯାଉଥିବା ହାଟ ବ୍ୟବସାୟୀ ସଂଘ ସଭାପତି ଅଶୋକ ସାହୁ କହିଛନ୍ତି l ତେବେ ହାଟ ବ୍ୟବସାୟୀଙ୍କ ସମସ୍ୟା ସମାଧାନ ପରିବର୍ତ୍ତେ ଆରୋପ ପ୍ରତ୍ୟାରୋପରେ ପେଷି ହେଉଛନ୍ତି ବ୍ୟବସାୟୀ ଓ ଗ୍ରାହକ l ଏଣୁ ବ୍ୟବସାୟୀ ଓ ଗ୍ରାହକଙ୍କ ବୃହତ ସ୍ୱାର୍ଥକୁ ଦୃଷ୍ଟି ଦେଇ ସ୍ଥାନୀୟ ବ୍ଲକ ପ୍ରଶାସନ ଓ ବୁଦ୍ଧିଜୀବୀ ହସ୍ତକ୍ଷେପ କରି ଏହି ସମସ୍ୟାର ସମାଧାନ କରିବାକୁ ହାଟ ବ୍ୟବସାୟୀ ସଂଘ ନିବେଦନ କରିଛି l ଅନ୍ୟପଟେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ବେବିଳତା ମହାନ୍ତିଙ୍କୁ ପଚାରିବାରୁ ଜଣେ ସଫେଇ କର୍ମଚାରୀ ନିଯୁକ୍ତ ଥିବା ବେଳେ ତାଙ୍କର କିଛି ମାସ ତଳେ ଦୁର୍ଘଟଣାରେ ମୃତ୍ୟୁ ପରେ ବର୍ତମାନ ପଞ୍ଚାୟତରେ କୌଣସି ସଫେଇ କର୍ମଚାରୀ ନାହାନ୍ତି l ତେଣୁ ଅତିଶୀଘ୍ର ଆମେ ଜଣେ ସଫେଇ କର୍ମଚାରୀଙ୍କୁ ନିଯୁକ୍ତି ଦେଇ ହାଟପଦା ସଫାସୁତରା ବ୍ୟବସ୍ଥା କରିବୁ ବୋଲି ସ୍ପଷ୍ଟୀକରଣ ଦେଇଛନ୍ତି l ତେବେ ଦେଖିବାକୁ ବାକି ରହିଛି କେବେ ଦୁରେଇବ ଏହି ହାଟ ବ୍ୟବସାୟୀଙ୍କ ଦୁଃଖ l

Leave a comment

Your email address will not be published. Required fields are marked *