#Exclusive

ଶୀତ କମିବ, ୨୫ରୁ ରାଜ୍ୟର କେତେକ ସ୍ଥାନରେ ହେବ ହାଲୁକା ବର୍ଷା

ଭୁବନେଶ୍ବର : ଆସନ୍ତା ୩ ଦିନ ଧରି ଓଡ଼ିଶାରେ ସର୍ବନିମ୍ନ ତାପମାତ୍ରା ବଢ଼ିବ। ଦକ୍ଷିଣ ଆଭ୍ୟନ୍ତରୀଣ ଓଡ଼ିଶାର ଗୋଟିଏ ଦୁଇଟି ଅଞ୍ଚଳକୁ ଛାଡ଼ି ଦେଲେ ରାଜ୍ୟର ଅନ୍ୟ ସମସ୍ତ ଅଞ୍ଚଳରେ ତାପମାତ୍ରା ୨ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଅଧିକାଂଶ ସହରର ସର୍ବନିମ୍ନ ତାପମାତ୍ରା ପୁଣିଥରେ ୧୫ ଡିଗ୍ରି ଟପିବ। ତେବେ ୨୫ ତାରିଖ ବେଳକୁ ରାଜ୍ୟର କେତେକ ସ୍ଥାନରେ ହାଲୁକା ବର୍ଷା ହେବ। ୨୭ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। କୋହଲା ପାଗ ଜାରି ରହିବାକୁ ଥିବାରୁ ଥଣ୍ଡା ବଢ଼ିବାର ସମ୍ଭାବନା ରହିଛି। ୨୮ ତାରିଖଠାରୁ ପାଗରେ ସାମାନ୍ୟ ପରିବର୍ତନ ଆସିବ ବୋଲି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।

ସୂଚନା ଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ସମସ୍ତ ସହରର ସର୍ବନିମ୍ନ ତାପମାତ୍ରା ୨ ଡିଗ୍ରି ପର୍ଯ୍ୟନ୍ତ ବୃଦ୍ଧି ପାଇଛି। ଦାରିଙ୍ଗବାଡ଼ିରେ ରାଜ୍ୟର ସର୍ବନିମ୍ନ ତାପମାତ୍ରା ୭.୫ ଡିଗ୍ରି ରେକର୍ଡ କରାଯାଇଛି। ଏହାବ୍ୟତୀତ ଫୁଲବାଣୀରେ ୯.୩, ସୋନପୁରରେ ୯.୮, ଅନୁଗୁଳରେ ୧୦, କେନ୍ଦୁଝରରେ ୧୦.୮, ସୁନ୍ଦରଗଡ଼ରେ ୧୧, ଟିଟିଲାଗଡ଼ରେ ୧୧.୧, ବାଲେଶ୍ବରରେ ୧୧.୩, କୋରାପୁଟରେ ୧୨, ସମ୍ବଲପୁରରେ ୧୨.୪, ବାରିପଦାରେ ୧୨.୬, ତାଳଚେର ଓ ଭବାନୀପାଟଣାରେ ୧୩, କଟକରେ ୧୩.୫ ଡିଗ୍ରି ରହିଥିଲା।

Leave a comment

Your email address will not be published. Required fields are marked *