#Exclusive

ରୋଷେଇ ପାଇଁ ସିମ୍‌ଲା ଲଙ୍କାକୁ କାଟିଲା ବେଳକୁ ସେଥିରୁ ବାହାରିଲା ବେଙ୍ଗ !

ଜୟପୁର : ସିମ୍‌ଲା ଲଙ୍କା ବିଭିନ୍ନ ପ୍ରକାର ସ୍ୱାଦିଷ୍ଟ ବ୍ୟଞ୍ଜନ ପ୍ରସ୍ତୁତ କରିଲା ବେଳେ ବ୍ୟବହାର କରାଯାଇଥାଏ। କିନ୍ତୁ ନିକଟରେ ଏମିତି ଏକ ଖବର ଓ ଚିତ୍ର ସାମ୍ନାକୁ ଆସିଛି ଯାହାକୁ ଦେଖିଲେ ଓ ଜାଣିଲେ ଆପଣ ଆଗକୁ ସିମ୍‌ଲା ଲଙ୍କାରେ ଖାଦ୍ୟ ପ୍ରସ୍ତୁତି କରିବା ପୂର୍ବରୁ ନିଶ୍ଚୟ ଥରଟେ  ଚିନ୍ତା କରିବେ।

ନିକଟରେ ଏକ ଦମ୍ପତି ରୋଷେଇ ପାଇଁ ସିମ୍‌ଲା ଲଙ୍କା କାଟିଲା ବେଳକୁ ସେଥିରୁ ବେଙ୍ଗ ବାହାରି ଥିବାର ଏକ ଘଟଣା ସାମ୍ନାକୁ ଆସିଛି।

ଜୟପୁରରେ ଘରଭଡା ନେଇ ରହୁଥିବା ଦମ୍ପତି ବ୍ୟାଙ୍କ ଅଧିକାରୀ ସୁନୀଲ ମହାପାତ୍ର ଏବଂ ପତ୍ନୀ ସେଫାଲିକା ଖାଦ୍ୟ ପ୍ରସ୍ତୁତି କରୁଥିଲେ। ଏହି ସମୟରେ ଯେମିତି ହିଁ ଦୁହେଁ ସିମ୍‌ଲା ଲଙ୍କା କାଟିଛନ୍ତି, ତା’ଭିତରୁ ଏକ ଜିଅନ୍ତା ବେଙ୍ଗ ବାହାରିଥିଲା। ଉଭୟ ଏହି ବେଙ୍ଗକୁ ଦେଖି ଭୟଭୀତ ହୋଇଯାଇଥିଲେ। ସେମାନେ ଯେଉଁ ସିମ୍‌ଲା ଲଙ୍କା ବଜାରରୁ ଆଣି କାଟିଥିଲେ ସେଥିରେ କୌଣସି ସ୍ଥାନରେ ହେଲେ ସାମାନ୍ୟ  ଛିଦ୍ର ନଥିଲା। ଏହା ସତ୍ତ୍ୱେ ସେଥିରୁ ବେଙ୍ଗ ବାହାରିବା ବଡ଼ ଆଶ୍ଚର୍ଯ୍ୟର କଥା ବୋଲି ଦମ୍ପତି କହିଛନ୍ତି।

ସିମ୍‌ଲା ଲଙ୍କାରୁ ଯେଉଁ ବେଙ୍ଗ ବାହାରିଥିଲା ସେ ତାହାକୁ ଏକ ଜାର୍‌ରେ ରଖି ଦେଇଥିଲେ। ପରେ ଜାଣିବାକୁ ପାଇଲେ ଏହି ବେଙ୍ଗ ବାସ୍ତବରେ ଏକ ‘ଗ୍ରିନ୍‌ ଟ୍ରି ଫ୍ରଗ୍‌’। ଏହାପରେ ଦମ୍ପତି ସ୍ଥାନୀୟ ବଜାରରେ ଏ ନେଇ ଅଭିଯୋଗ ବି କରିଥିଲେ। ବର୍ତ୍ତମାନ ଉକ୍ତ ବେଙ୍ଗ ଓ ସିମ୍‌ଲା ଲଙ୍କାକୁ ଉତରପ୍ରଦେଶରେ ଥିବା ଲ୍ୟାବ୍‌କୁ ଯାଞ୍ଚ ପାଇଁ ପଠାଇ ଦିଆଯାଇଛି।

Leave a comment

Your email address will not be published. Required fields are marked *