#Exclusive

କରୋନା ଦେଇଛି ଦୁଃଖ ; ୪୦ ଦିନ ହେଲା ବସ୍‌ଷ୍ଟାଣ୍ଡ୍‌ରେ ଦମ୍ପତି

ରଙ୍ଗେଇଲୁଣ୍ଡା, ୨୦/୦୬: କରୋନା କାହା ପାଇଁ କେମିତି ବିପତ୍ତି ଆଣିଛି । କିଏ ରୋଜଗାର ହରାଇ ଚାଲି ଚାଲି, ସାଇକେଲ୍‌, ବୋଟ୍‌ରେ ଭିଟାମାଟିରେ ପହଞ୍ଚିଛି ତ କିଏ ଅସହାୟ ହୋଇ ମୁଣ୍ଡ ଗୁଞ୍ଜିବା ସାଙ୍ଗକୁ ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ଏଣେତେଣେ ବୁଲୁଛି । ଏମିତି ଏକ ଦମ୍ପତିଙ୍କୁ ଦେଖିବାକୁ ମିଳିଛି ବ୍ରହ୍ମପୁର ଉପକଣ୍ଠ ହଳଦିଆପଦର ବସ୍‌ ଟର୍ମିନାଲ୍‌ ନିକଟରେ । ପ୍ରାୟ ଚାଳିଶ ଦିନ ହେଲା ଟର୍ମିନାଲ୍‌ ଛାତ ତଳେ ଆଶ୍ରୟ ନେଇଛନ୍ତି ସ୍ୱାମୀ ସଞ୍ଜୀବ ଦାସ ଓ ସ୍ତ୍ରୀ ସରୋଜା । କିଏ ଦେଲେ ଖାଉଛନ୍ତି, ନଚେତ୍‌ ଭୋକ ଉପବାସରେ ଦିନ କଟୁଛି । ଭଲ ମନ୍ଦ ପଚାରିବାକୁ କେହି ନାହାନ୍ତି ।

କ୍ୱାରେଣ୍ଟାଇନ୍‌ରୁ ଫେରିବା ପରେ ବି ସେମାନେ ଘରକୁ ଯାଇପାରିନାହାନ୍ତି । ଅସହାୟ ଅବସ୍ଥାରେ ୪୦ ଦିନ ହେଲା ହଳଦିଆପଦର ବସ୍‌ ଟର୍ମିନାଲ୍‌ରେ ଭୋକ ଉପାସରେ ପଡ଼ି ରହିଛନ୍ତି । ସଞ୍ଜୀବ ଓ ସରୋଜା ପଲାସାରେ ଏକ କାଜୁ କମ୍ପାନୀରେ କାମ କରୁଥିଲେ । ଲକ୍‌ଡାଉନ୍‌ ଯୋଗୁ କମ୍ପାନୀ ଏମାନଙ୍କୁ ବାହାର କରିଦେଲା । ସେଠାରେ ମାଗିଯାଚି କିଛି ଦିନ କୌଣସି ମତେ ଚଳିଗଲେ । ଶେଷରେ ଓଡ଼ିଶାକୁ ଚାଲି ଆସିଲେ । କ୍ୱାରେଣ୍ଟାଇନ୍‌ରେ ରହିବା ପରେ ଚାଲି ଚାଲି ହଳଦିଆପଦରରେ ପହଞ୍ଚିଥିଲେ । କିନ୍ତୁ ଯିବେ କୁଆଡ଼େ । ନା ଏମାନଙ୍କ ଘରଦ୍ୱାର ଅଛି ନା ଠିକଣା । ବ୍ୟାଗ୍‌ପତ୍ର ଧରି ସେହିଦିନରୁ ଦମ୍ପତି ସେଠାରେ ପଡ଼ି ରହିଛନ୍ତି ।

ସେମାନଙ୍କୁ ପଚାରିବାରୁ କହିଛନ୍ତି, ଦିଗପହଣ୍ଡି ନିକଟ ଦ୍ୱିତୀୟ ଧର୍ମପୁରରେ ଆମ ଘର, ସେଠି ପରିବାର ରହୁଥିଲେ । କିନ୍ତୁ କିଏ କେତେବେଳେ ମରି ହଜିଗଲେଣି । ଏବେ ନା ଘର ଅଛି ନା ବନ୍ଧୁବାନ୍ଧବ । ପେଟ ପାଇଁ ଦାନା ଯୋଗାଡ଼ କରିବାକୁ ପଲାସା ଚାଲି ଯାଇଥିଲେ । ହେଲେ ଏବେ ବାଧ୍ୟ ହୋଇ ଫେରିଛୁ ।

ସଞ୍ଜୀବ ଯୁକ୍ତ ୨ ବିଜ୍ଞାନ ଶିକ୍ଷା ପରେ ଟାଙ୍ଗୀ ପ୍ରଶିକ୍ଷଣ ବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇ ରଙ୍ଗେଇଲୁଣ୍ଡା ବ୍ଲକ୍‌ର ଏକ ସ୍କୁଲରେ ଶିକ୍ଷକତା କରୁଥିଲେ । କିନ୍ତୁ କୌଣସି କାରଣରୁ ସ୍କୁଲରୁ ବାହାର କରି ଦେଇଥିଲେ କର୍ତ୍ତୃପକ୍ଷ । ସେତେବେଳେ ତାଙ୍କ ମାଆ ନର୍ସ କାର୍ଯ୍ୟ କରୁଥିଲେ । ମାଆଙ୍କ ମୃତ୍ୟୁ ପରେ ପରିବାରର ଭାଇ ମଧ୍ୟରେ ବିବାଦ ହୋଇ ସମସ୍ତ ସମ୍ପତ୍ତି ବିକ୍ରି କରାଯାଇଥିଲା ।

୨୦୦୮ ମସିହାରେ ପ୍ରେମ ବିବାହ କହିଥିଲେ ଦୁହେଁ । ପରବର୍ତ୍ତୀ ସମୟରେ ସଞ୍ଜୀବ ପୁରୀର ଏକ ଧର୍ମଶାଳାରେ ରହି ଗାଁ ଗାଁରେ ଲୁଗାପଟା ବିକ୍ରି କରି ୯ ବର୍ଷ କାଳ ଚଳିଥିଲେ । ମାତ୍ର ଅଧିକ ରୋଜଗାର ହେଉନଥିବାରୁ ପଲାସା କାଜୁ ଫ୍ୟାକ୍ଟ୍ରିରେ କାମ କରିବାକୁ ସ୍ତ୍ରୀଙ୍କୁ ଧରି ଚାଲି ଯାଇଥିଲେ । ଏତେ ଦୁଃଖ କଷ୍ଟ ସହିବା ପରେ ବି ହାରିନାହାନ୍ତି ସଞ୍ଜୀବ । ଦିନରେ ଏଣେତେଣେ ବୁଲି କାମ ଅନ୍ୱେଷଣରେ ଯାଉଥିବା କହିଛନ୍ତି ସ୍ତ୍ରୀ ସରୋଜା । ମନରେ ଦୃଢ଼ତା ଅଛି, ରୋଜଗାର କରି ବଞ୍ଚିବା ପାଇଁ ଆଶା ରଖିଛନ୍ତି । ଆମ ଦୁହିଁଙ୍କ ପାଖରେ ପଇସା ନାହିଁ, କିନ୍ତୁ କାମ କରିବାକୁ ବଳ ଅଛି । କାମ ମିଳିଲେ ପରିଶ୍ରମ କରି ରୋଜଗାର କରିବୁ ବୋଲି କହିଛନ୍ତି ସରୋଜା ।

Leave a comment

Your email address will not be published. Required fields are marked *