#Exclusive

ପାସ୍‌ ମାଗିବାକୁ ଗଲେ ମହିଳା ଡାକ୍ତର, ଆଇଆଇସି କହିଲେ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’

ଭୁବନେଶ୍ବର : କୋଭିଡ୍‌-୧୯ ମୁକାବିଲାରେ ଆଗ ଧାଡ଼ିର ଯୋଦ୍ଧା ହେଉଛନ୍ତି ଡାକ୍ତର। ସରକାର ମଧ୍ୟ ସେମାନଙ୍କ ସୁରକ୍ଷା ପାଇଁ କଡ଼ା ଆଭିମୁଖ୍ୟ ଗ୍ରହଣ କରିଛନ୍ତି। ହେଲେ ଜଣେ ମହିଳା ଡାକ୍ତରଙ୍କୁ ଜଣେ ଇନ୍ସପେକ୍ଟର ଦୁର୍ବ୍ୟବହାର କରିଥିବା ନେଇ ଟ୍ବିଟର୍‌‌ରେ ଝଡ଼ ଉଠିଛି। ଘରୁ ହସ୍‌ପିଟାଲ ଆସିବା ପାଇଁ ଗାଡ଼ିର ପାସ୍‌ ମାଗିବାକୁ ଯାଇଥିବା ଜଣେ ମହିଳା ଡାକ୍ତରଙ୍କୁ ଇନ୍‌ସ୍‌ପେକ୍ଟର କହିଛନ୍ତି ‘ୟୁ ଆର ୱେଷ୍ଟିଙ୍ଗ୍‌ ମାଇଁ ଟାଇମ୍‌’। ଏନେଇ ଡାକ୍ତରାଣୀଙ୍କ ଭାଇ ଟ୍ବିଟ୍‌ କରିବା ପରେ ତନାଘନା ଆରମ୍ଭ ହୋଇଛି। ପୁଲିସ କମିସନର୍‌ ସୁଧାଂଶୁ ଷଡ଼ଙ୍ଗୀ ଏହାକୁ ଗୁରୁତ୍ବର ସହ ନେଇଛନ୍ତି। ସେ କହିଛନ୍ତି, ଡାକ୍ତରାଣୀ ପାସ୍ ମାଗିବା ପରେ ତୁରନ୍ତ ଦିଆଯାଇଛି। କିନ୍ତୁ ସେ ଏଭଳି କାହିଁକି ଅଭିଯୋଗ କଲେ, ତାହା ବୁଝାପଡ଼ୁନାହିଁ। ତେବେ ଘଟଣାର ତଦନ୍ତ କରିବାକୁ ଆମେ ସମ୍ପୃକ୍ତ ଡାକ୍ତର ଚାକିରି କରିଥିବା ହସ୍‌ପିଟାଲ ଏମ୍‌ସ କର୍ତ୍ତୃପକ୍ଷଙ୍କୁ କହିଛୁ ବୋଲି ସେ କହିଛନ୍ତି।

ସମ୍ପୃକ୍ତ ଡାକ୍ତରଙ୍କ ଭାଇଙ୍କ ଅଭିଯୋଗ ମୁତାବକ, ସବୁଦିନ ଡାକ୍ତର ଘରୁ ମେଡିକାଲ କାର୍‌ ଯୋଗେ ଯାଆନ୍ତି। କାର୍‌ରେ ଯିବା ପାଇଁ ପାସ୍‌ ପାଇଁ ସେ ଖଣ୍ଡଗିରି ଥାନା ଯାଇଥିଲେ। ସେଠାରେ ତାଙ୍କୁ ଉତ୍ତମ ଆଚରଣ ପ୍ରଦର୍ଶନ କରାଯାଇନଥିଲା। ଏମ୍‌ସ କର୍ତ୍ତୃପକ୍ଷ ଲେଖିକି ଦେଲେ ଯାଇ ପାସ୍‌ ମିଳିବ ବୋଲି କୁହାଯାଇଥିଲା। ହେଲେ ମୋର ଆଇକାର୍ଡ ଅଛି ବୋଲି ମହିଳା ଡାକ୍ତରଜଣକ କହିଥିଲେ ମଧ୍ୟ ପାସ୍‌ ଦିଆଯାଇନଥିଲା। ‘ମୋର ସମୟ ନଷ୍ଟ କରୁଛ’ ବୋଲି ଇନ୍ସପେକ୍ଟର କହିଥିଲେ। ଶେଷରେ ସେ ହତାଶ ହୋଇ ଫେରିଥିଲେ। ପରେ ଏମ୍‌ସ କର୍ତ୍ତୃପକ୍ଷ ମଧ୍ୟ ଲିଖିତ ଭାବେ ଜଣାଇବା ପରେ ପାସ୍‌ ମିଳି ନଥିଲା ବୋଲି ଅଭିଯୋଗ କରିଛନ୍ତି। ବିନା ପାସ୍‌ରେ ତାଙ୍କ ଭାଇ ତାଙ୍କୁ ନେବା ପାଇଁ ମେଡିକାଲ ଯାଉଥିବା ବେଳେ ଫାୟାର ଷ୍ଟେସନ୍‌ ଛକରେ ତାଙ୍କୁ ପୁଲିସ ଧରିଥିଲା। ବିନା ପାସ୍‌ରେ ଗାଡ଼ି ଯାଇପାରିବ ନାହିଁ ବୋଲି ଜରିମାନା କଷିବା ପାଇଁ କହିଥିଲା। ଦୀର୍ଘ ସମୟ ଧରି ଏ ନେଇ ଯୁକ୍ତିତର୍କ ହୋଇଥିଲା। ଏହାପରେ ମହିଳା ଡାକ୍ତର ପୁଲିସ ସହ ଯୋଗାଯୋଗ କରିଥିଲେ। ଇନ୍ସପେକ୍ଟର କହିଥିଲେ, ପରିବାର ଲୋକଙ୍କୁ ମେଡିକାଲରେ ରଖି ଦିଅ, ବିନା ପାସ୍‌ରେ ଯାଇପାରିବେ ନାହିଁ।’ ଏଭଳି ଆଚରଣ ମଧ୍ୟ ତାଙ୍କୁ ଘୋର ଆଘାତ ଦେଇଥିଲା ବୋଲି ମହିଳା ଡାକ୍ତର ଅଭିଯୋଗ କରିଛନ୍ତି। ତେବେ ବାସ୍ତବରେ କ’ଣ, ତାହା ତଦନ୍ତ ପରେ ଜଣାପଡ଼ିବ ବୋଲି ଆଶା କରାଯାଉଛି।

Leave a comment

Your email address will not be published. Required fields are marked *