#Exclusive

କରୋନା ପାଇଁ ୩ ମାସ ଯାଏ ୨ ଟଙ୍କାରେ ଗହମ ଓ ୩ ଟଙ୍କାରେ ଚାଉଳ ଦେବେ ମୋଦି ସରକାର

ନୂଆଦିଲ୍ଲୀ(୨୫/୦୩/୨୦୨୦) (ବ୍ୟୁରୋ): ଦେଶରେ କରୋନା ପାଇଁ ଜାରି ହୋଇଥିବା ଲକଡାଉନ ସମୟରେ ଲୋକଙ୍କ ପାଖକୁ ଅତ୍ୟାବଶ୍ୟକ ସାମଗ୍ରୀ ଯୋଗାଣରେ ଯେମିତି ଅସୁବିଧା ନ ହେବ ଏବଂ ଲୋକମାନେ ଯେମିତି ପର୍ଯ୍ୟାପ୍ତ ପରିମାଣର ଖାଦ୍ୟ ସାମଗ୍ରୀ ପାଇପାରିବେ, ସେକଥାକୁ ଆଜି କେନ୍ଦ୍ର ସରକାର ନିଶ୍ଚିତ କରିଛନ୍ତି।

ସବସିଡିରେ ଚାଉଳ ଓ ଗହମ ପାଉଥିବା ଧାର୍ଯ୍ୟ କୋଟାକୁ ଆଜି ୨ କେଜି ଲେଖାଏ ବୃଦ୍ଧି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ୟକ୍ଷତାରେ ବସିଥିବା କେନ୍ଦ୍ର କ୍ୟାବିନେଟ ନିଷ୍ପତ୍ତି ନେଇଛନ୍ତି। ଏଣିକି ସବସିଡିରେ ଖାଦ୍ୟ ସାମଗ୍ରୀ କିଣୁଥିବା ଲୋକମାନେ ରାସନ ଦୋକାନରୁ ୫ କେଜି ବଦଳରେ ୭ କେଜି ଚାଉଳ ଓ ଗହମ ନେଇପାରିବେ। ଏଥିପାଇଁ ଚାଉଳ କେଜି ପିଛା ୩ ଟଙ୍କା ଓ ଗହମ କେଜି ପିଛା ୨ ଟଙ୍କା ଦେବାକୁ ପଡ଼ିବ। ପ୍ରାୟ ୮୦ କୋଟି ଲୋକ ଏହାଦ୍ୱାରା ଲାଭବାନ ହେବେ।

କ୍ୟାବିନେଟ ନିଷ୍ପତ୍ତି ସମ୍ପର୍କରେ ସୂଚନା ଦେଇ କେନ୍ଦ୍ରମନ୍ତ୍ରୀ ପ୍ରକାଶ ଜାଭଡେକର କହିଛନ୍ତି, “ପିଡିଏସ୍‌ ଜରିଆରେ ୮୦ କୋଟି ଲୋକଙ୍କୁ ୭ କେଜି ଖାଦ୍ୟ ସାମଗ୍ରୀ ଯୋଗାଇ ଦେବାକୁ ନିଷ୍ପତ୍ତି ହୋଇଛି। ପୂର୍ବରୁ ୫ କେଜି ଲେଖାଏ ଚାଉଳ ଓ ଗହମ ମିଳୁଥିଲା। ହେଲେ ଏବେ ଏହାକୁ ୭ କେଜି କରାଯାଇଛି।

କେନ୍ଦ୍ର ସରକାର ଗହମ କେଜି ପିଛା ୨୭ ଟଙ୍କାରେ କିଣୁଥିବା ବେଳେ ଲୋକଙ୍କୁ ଏହା ୨ ଟଙ୍କାରେ ଯୋଗାଇ ଦେବେ। ସେହିପରି ଚାଉଳ କେଜି ପିଛା ୩୭ ଟଙ୍କାରେ କିଣି ୩ ଟଙ୍କାରେ ଲୋକଙ୍କ ପାଖରେ ପହଞ୍ଚାଇବେ।

ଏଥିପାଇଁ ୧ ଲକ୍ଷ ୮୦ ହଜାର କୋଟି ଟଙ୍କା ଖର୍ଚ୍ଚ ହେବ। ଏହି ଖାଦ୍ୟ ଶସ୍ୟକୁ ୩ ମାସ ଯାଏ ଅଗ୍ରୀମ ଭତ୍ତିରେ ରାଜ୍ୟ ସରକାରମାନଙ୍କୁ ଯୋଗାଇ ଦିଆଯିବ। ଲୋକମାନେ ୩ ମାସ ଯାଏ ଏଭଳି ଅତିରିକ୍ତ ୨ କେଜି ଚାଉଳ ଓ ଗହମ ପାଇପାରିବେ।”

ଏହି ସମୟରେ କରୋନା ଭାଇରସର ମୁକାବିଲା ପାଇଁ ସାମଜିକ ଦୂରତ୍ୱ କଥା ମଧ୍ୟ କହିଛନ୍ତି। ଏଥିସହ ଲୋକଙ୍କ ଆତଙ୍କିତ ନ ହେବାକୁ ପରାମର୍ଶ ମଧ୍ୟ ଦେଇଛନ୍ତି।

Leave a comment

Your email address will not be published. Required fields are marked *