#Breaking News

ବିଶ୍ବ ଓଡ଼ିଶାର ଅଷ୍ଟମ ପ୍ରତିଷ୍ଠା ଦିବସ

ଭୁବନେଶ୍ୱର(ଉଲାପ୍ର) : ଓଡ଼ିଶାର ଭାଷା, ସାହିତ୍ୟ, ସଂସ୍କୃତି, ଐତିହ୍ୟ ତଥା ଓଡ଼ିଆ ଅସ୍ମିତା ଜାତୀୟତାର ବିଶ୍ବବ୍ୟାପୀ ପ୍ରସାର କରିବା ପାଇଁ ଏକ ସମ୍ମିଳିତ ଜାଗରଣ ର ସମୟ ଆସିଛି ବୋଲି ଓଡ଼ିଶା ବିଧାନସଭାର ବାଚସ୍ପତି ତଥା ବିଶ୍ବ ଓଡ଼ିଶାର ସଭାପତି ଡ. ସୂର୍ଯ୍ୟ ନାରାୟଣ ପାତ୍ର ଆଜି ବିଶ୍ବ ଓଡ଼ିଶା ୮ମ ପ୍ରତିଷ୍ଠା ଦିବସକୁ ଉଦଘାଟନ କରି ଏହା କହିଛନ୍ତି ।

ସେ ଆହୁରି କହିଲେ ଯେ, ଓଡ଼ିଆ ଜାତିର ପୂର୍ବ ଗୌରବ ଆଜିର ପିଢ଼ି ଭୁଲିଯାଉଛନ୍ତି, ଏହାକୁ ମନେ ପକେଇ ଦେବା ପାଇଁ ବିଶ୍ବ ଓଡ଼ିଶା ଯେଉଁ ଉଦ୍ୟମ କରୁଛି ତାହା ପ୍ରଶଂସାଯୋଗ୍ୟ ।
ଆଗାମୀ ସମୟରେ ବିଶ୍ବ ଓଡ଼ିଶା ବିଶ୍ଵବ୍ୟାପୀ ଓଡ଼ିଆଙ୍କୁ ସଙ୍ଗଠିତ କରି ଓଡ଼ିଶାର ବିକାଶ କ୍ଷେତ୍ରରେ ଉଦ୍ୟମ କରୁ ।

ମୁଖ୍ୟ ଅତିଥି ଭାବରେ ବିଶିଷ୍ଟ ଶାସ୍ତ୍ରୀୟ ସଙ୍ଗୀତ ସାଧିକା ପଦ୍ମଶ୍ରୀ ଶ୍ୟାମାମଣି ଦେବୀ ଯୋଗ ଦେଇ ବିଶ୍ଵବ୍ୟାପୀ ଓଡ଼ିଆ ସଙ୍ଗୀତର ଆଦର ଥିବା କହିଥିଲେ। ଏହାକୁ ଆହୁରି ବିଶ୍ବାୟନ କରାଯିବା ଆବଶ୍ୟକ ବୋଲି ସେ କହିଲେ ।

ବିଶିଷ୍ଟ ବୈଜ୍ଞାନିକ ପଦ୍ମଶ୍ରୀ ଆଦିତ୍ୟ ପ୍ରସାଦ ଦାସ ବିଶିଷ୍ଟ ଅତିଥି ଭାବରେ ଯୋଗଦେଇ ଓଡ଼ିଆ ମାଟି ପାଣି ପବନରୁ ସେ ବୈଜ୍ଞାନିକ ହେବାର ସୁଯୋଗ ପାଇଛନ୍ତି, ତେଣୁ ଏ ମାତୃଭୂମି ପାଇଁ ମମତା ତାଙ୍କୁ ଚିର ବାନ୍ଧିରଖିଛି।

ବିଶିଷ୍ଟ ସାହିତ୍ୟିକ ଅଧ୍ୟାପିକା ଡ. ପ୍ରତିଭା ମହାରଥୀ ମୁଖ୍ୟବକ୍ତା ଭାବରେ ଓଡ଼ିଆ ଜାତିର ମହନୀୟତା ଉପରେ ଭାବଗର୍ଭକ ଅଭିଭାଷଣ କରିଥିଲେ ।

ଏହି ଅବସରରେ ପଦ୍ମଶ୍ରୀ ଶ୍ୟାମାମଣି ଦେବୀଙ୍କୁ ବିଶ୍ବ ଓଡ଼ିଶା ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା।

ଏଥିସହିତ ଡ. ସୁସନ୍ଧ୍ୟା ମହାନ୍ତିଙ୍କୁ ବିଶ୍ବ ଓଡ଼ିଶା ଶିକ୍ଷା ସମ୍ମାନ, ପଣ୍ଡିତ ବିପିନ ବିହାରୀ ଶତପଥୀଙ୍କୁ ବିଶ୍ବ ଓଡ଼ିଶା ସାରସ୍ୱତ ସମ୍ମାନ, ନିବେଦିତା ମହାନ୍ତି ପଟ୍ଟନାୟକ, ଗୁରୁଶ୍ରୀ ପିତାମ୍ବର ବିଶ୍ୱାଳ, ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକଙ୍କୁ ବିଶ୍ବ ଓଡ଼ିଶା ସଂସ୍କୃତି ସମ୍ମାନ, ସମ୍ଭବ ଅନୁଷ୍ଠାନ, ସତ୍ୟନଗର ମହିଳା ଫୋରମ, ଯୋରନ୍ଦା ଗ୍ରାମ ପଞ୍ଚାୟତ ସ୍ତରୀୟ ମହିଳା ମହାସଙ୍ଘ, ଜୟ ଜଗନ୍ନାଥ ଚାରଣ ଗୋଷ୍ଠୀ ମହିଳା ସଂଘଙ୍କୁ ବିଶ୍ୱ ଓଡ଼ିଶା ସମ୍ବେଦନା ସମ୍ମାନ, ଅଧ୍ୟାପିକା ଶକୁନ୍ତଳା ଭୂୟାଁ, ଗୀତାଞ୍ଜଳି ମହାନ୍ତିଙ୍କୁ ବିଶ୍ୱ ଓଡ଼ିଶା ସ୍ୱରବର୍ଣ୍ଣା ସମ୍ମାନ, ଭୋଳାନାଥ ରାମଙ୍କୁ ବିଶ୍ବ ଓଡ଼ିଶା ଯୁବ ସମ୍ମାନ ପ୍ରଦାନ କରାଯାଇଥିଲା ।

ପ୍ରାରମ୍ଭରେ ସୁରଭି ଅନୁଷ୍ଠାନର ଛାତ୍ରୀ ସ୍ୱାତୀ ପଟ୍ଟନାୟକ, ଅଭୀପ୍ସା ଭଞ୍ଜ, ଅର୍ପିତା ସାମଲ ଆକର୍ଷଣୀୟ ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ।
ଉପସଭାପତି ଦ୍ବୀପାୟନ ପଟ୍ଟନାୟକ ସ୍ୱାଗତ ଅଭିଭାଷଣ କରିଥିବା ବେଳେ ସମ୍ପାଦକ ମନୋଜ ମନ୍ମୟ ସମ୍ପାଦକୀୟ ବିବରଣୀ ଉପସ୍ଥାପନ କରିଥିଲେ । ଉପସଭାପତି ଦିଲୀପ ରାୟ ଧନ୍ୟବାଦ ଦେଇଥିଲେ।

ସଂଯୋଜିକା ରଶ୍ମିତା ରାଉତ, ପ୍ରଭାତୀ ମହାପାତ୍ର, ଡ. ମାନସୀ କର, ମୀରା ବେଉରା, ରତ୍ନପ୍ରଭା ବାଇ, ସଂଯୋଜକ ଗୌରାଙ୍ଗ ରାଉତ, ଦୀନବନ୍ଧୁ ଷଡ଼ଙ୍ଗୀ, ଇଂ. ଫକୀର ମୋହନ ସାହୁ, ପ୍ରଦୀପ କୁମାର ଜେନା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

ଶୁଭେନ୍ଦୁ କୁମାର ରାଉତରାୟଙ୍କ ସଭାପତିତ୍ବରେ ଏକ କବିତା ଆସର ଅନୁଷ୍ଠିତ ହୋଇଥିଲା। ପ୍ରଭାସ କୁମାର ସାମନ୍ତରାୟଙ୍କ ନେତୃତ୍ୱରେ ସାଙ୍ଗଠନିକ ଆଲୋଚନାରେ ଅନନ୍ତ ଦାସ, ପ୍ରଶାନ୍ତ ଧଳ, ମଧୁସୂଦନ ଶତପଥୀ, ନଦିଆ ବିହାରୀ ସାହୁ, ଶୁଭଶ୍ରୀ ରାୟ, ଇତିଶ୍ରୀ ମାନଲକ୍ଷ୍ମୀ ଜେନା, ସୁନୀଲ ପଣ୍ଡା, ଧୀରେନ ମହାନ୍ତି ଭାଗନେଇଥିଲେ ।

ଅପରାହ୍ନ ଅଧିବେଶନରେ ପଦ୍ମଶ୍ରୀ ଶ୍ରୀମଦ ବାବା ବଳିଆଙ୍କ ରଚିତ ଓଡ଼ିଆ ଦେଶାତ୍ମବୋଧକ ଗୀତ ‘ଉତ୍କଳ ଜନନୀ ମମତାମୟୀ’ ର ଲୋକାର୍ପଣ ହୋଇଥିଲା । ବାବା ବଳିଆ ଏହାକୁ ଲୋକାର୍ପିତ କରି କହିଥିଲେ ଯେ, ଉତ୍କଳ ଜନନୀଙ୍କ ପ୍ରତି ଏହା ତାଙ୍କର ବନ୍ଦନା । ବିଶ୍ବ ଓଡ଼ିଶା ଆନୁକୂଲ୍ୟରେ ଏହାର ବିଶ୍ଵବ୍ୟାପୀ ଶୁଭମୁକ୍ତି କରାଯିବ ବୋଲି ସଙ୍ଗୀତ ନିର୍ଦ୍ଦେଶକ ପବିତ୍ର ପଟ୍ଟନାୟକ ସୂଚନା ଦେଇଥିଲେ । ଏହି ଅବସରରେ ପଦ୍ମଶ୍ରୀ ବାବା ବଳିଆଙ୍କୁ ବିଶ୍ବ ଓଡ଼ିଶା ସମ୍ବର୍ଦ୍ଧନା ଓ ସମସ୍ତ ଗାୟକ ଗାୟିକାଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା

Leave a comment

Your email address will not be published. Required fields are marked *