#Exclusive

ପୁଅର ଉନ୍ମତ୍ତ କାଣ୍ଡ: ବାପାଙ୍କୁ ପିଟିପିଟି ମାରିଦେଲା, ମା’ ଗୁରୁତର

ତୁମୁଡିବନ୍ଧ: ଅଧରାତିରେ ପୁଅର ଉନ୍ମତ୍ତ କାଣ୍ଡ ଦେଖିବାକୁ ମିଳିଛି। ପୁଅର କାଠ ଫାଳିଆ ମାଡ଼ରେ ବାପାଙ୍କ ମୃତ୍ୟୁ ଘଟିଥିବା ବେଳେ ମା’ଙ୍କୁ ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି କରାଯାଇଛି। କନ୍ଧମାଳ ଜିଲ୍ଲା ବେଲଘର ଥାନା ଅଞ୍ଚଳରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଝାଲିପଡ଼ା ଗାଁରେ ପୁଅ ବେଲାରସେନାର ଆକ୍ରମଣର ଶିକାର ହୋଇଛନ୍ତି ବାପା ଅଗାଧୁ ନାୟକ ଓ ମା’ ଲକ୍ଷ୍ମୀ ନାୟକ।ମିଳିଥିବା ସୂଚନା ଅନୁସାରେ କୌଣସି ଏକ କାରଣକୁ ନେଇ ବେଲାରସେନ ବିଳମ୍ବିତ ରାତିରେ ତାର ବାପା ଅଗାଧୁ ନାୟକ ଓ ମା’ ଲକ୍ଷ୍ମୀ ନାୟକ ଶୋଇଥିବା ବେଳେ ତାଙ୍କ ଉପରେ ଅତର୍କିତ ଭାବେ ଏକ କାଠ ଫଳିଆରେ ଆକ୍ରମଣ କରିଥିଲା। ଫଳରେ ଘଟଣା ସ୍ଥଳରେ ବାପାର ମୃତ୍ୟୁ ଘଟିଥିଲା ଏବଂ ମା’ଙ୍କୁ ଗୁରୁତର ଅବସ୍ଥାରେ ସ୍ଥାନୀୟ ଲୋକମାନେ ଉଦ୍ଧାର କରି ଚିକିତ୍ସା ପାଇଁ ବାଲିଗୁଡ଼ା ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ। ସେଠାରେ ସ୍ୱାସ୍ଥ୍ୟାବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବ୍ରହ୍ମପୁର ବଡ଼ ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।ସେପଟେ ବେଲଘର ପୁଲିସ ଅଗାଧୁଙ୍କ ମୃତଦେହକୁ ଜବତ କରିବା ପରେ ତୁମୁଡିବନ୍ଧ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ବ୍ୟବଚ୍ଛେଦ କରିଛି। ବାପାଙ୍କୁ ମାରି ସାରିବା ପରେ ପୁଅ ବେଲାରସେନ ଦୀର୍ଘ ସମୟ ପର୍ଯ୍ୟନ୍ତ ଏକ ଧାରୁଆ ଅସ୍ତ୍ର ଧରି କୋକୁଆ ଭୟ ସୃଷ୍ଟି କରିଥିଲା। ବେଲଘର ଥାନା ଠାରୁ ମାତ୍ର ଅଳ୍ପ ଦୂରତାରେ ଘଟଣା ଘଟିଥିଲେ ମଧ୍ୟ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ନ ଥିଲା। ଫଳରେ ବେଲାରସେନ ଦୀର୍ଘ ସମୟ ପର୍ଯ୍ୟନ୍ତ ଅଞ୍ଚଳବାସୀଙ୍କୁ ଭୟଭୀତ କରିଦେଇଥିଲା। ପୁଲିସ ନ ଆସିବାରୁ ଲୋକମାନେ ବେଲାରସେନକୁ କାବୁ କରିଥିଲେ। ସେମାନେ ଏକ ରସିରେ ବେଲାରସେନକୁ ବାନ୍ଧି କୋଠରୀ ଭିତରେ ବନ୍ଦ କରି ଦେଇଥିଲେ। ପୁଲିସ ବିଳମ୍ବରେ ଘଟଣାସ୍ଥଳରୁ ବେଲାରସେନକୁ ଉଦ୍ଧାର କରି ଥାନାକୁ ନେଇଥିଲା।

Leave a comment

Your email address will not be published. Required fields are marked *