#Exclusive

ରଥଯାତ୍ରା ବନ୍ଦ ନିଷ୍ପତ୍ତି ନେଇ ସମସ୍ତେ ଚୁପ୍ , ବିଜେପିରେ ଦ୍ୱନ୍ଦ୍ୱ

ଭୁବନେଶ୍ୱର(ଓଡ଼ିଶା ରିପୋର୍ଟର): କରୋନା ସଙ୍କଟ ଯୋଗୁ ଚଳିତବର୍ଷ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ବିଶ୍ୱପ୍ରସିଦ୍ଧ ରଥଯାତ୍ରା ନକରିବା ପାଇଁ ସୁପ୍ରିମକୋର୍ଟଙ୍କ ରାୟ ପରେ ଶାସକ ବିଜେଡି ସମ୍ପୂର୍ଣ୍ଣ ନିରବତା ଅବଲମ୍ବନ କରିଛି। ତେବେ ରଥଯାତ୍ରା ବନ୍ଦ ପାଇଁ ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିଥିବ ବୋଲି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ କହିଥିବାବେଳେ ରାଜ୍ୟ ବିଜେପିରେ ଦ୍ୱନ୍ଦ୍ୱ ଦେଖିବାକୁ ମିଳିଛି।

ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେପି ରାଜ୍ୟ ସଭାପତି ସମୀର ମହାନ୍ତି ଟ୍ୱିଟ୍ ଓ ପରେ ପ୍ରେସ୍ ରିଲିଜ୍ ମାଧ୍ୟମରେ କହିଛନ୍ତି ଯେ, ମହାପ୍ରଭୁଙ୍କ ରଥଯାତ୍ରା ବନ୍ଦ କରିବାକୁ ସୁପ୍ରିମକୋର୍ଟଙ୍କ କଠୋର ନିଷ୍ପତ୍ତିକୁ ମନ ନମାନିଲେ ବି ସ୍ୱୀକାର କରିବାକୁ ପଡ଼ିବ। ଏହା ବୋଧହୁଏ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଇଚ୍ଛା ବୋଲି ଶ୍ରୀ ମହାନ୍ତି କହିଥିଲେ। କିନ୍ତୁ ଏହି ପ୍ରସଙ୍ଗରେ ସେ ରାଜ୍ୟ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ପଦୁଟିଏ କହିନାହାନ୍ତି। ଅନ୍ୟପକ୍ଷରେ ବିରୋଧୀ ଦଳ ନେତା ତଥା ବିଜେପି ବିଧାୟକ ଦଳ ନେତା ପ୍ରଦୀପ୍ତ କୁମାର ନାଏକ ରଥଯାତ୍ରା ବନ୍ଦ ପାଇଁ ସିଧାସଳଖ ରାଜ୍ୟ ସରକାରଙ୍କ ଭୂମିକାକୁ ସମାଲୋଚନା କରିଛନ୍ତି। ଶ୍ରୀ ନାଏକ କହିଛନ୍ତି ଯେ ରଥଯାତ୍ରା ନକରିବା ନିମନ୍ତେ ସରକାରଙ୍କ ଆଗରୁ ଯୋଜନା ଥିଲା। ସାମାଜିକ ଦୂରତ୍ୱ ରକ୍ଷା କରି ରଥ ଟଣା ହୋଇପାରିଥାନ୍ତା। ଏନେଇ ମୁକ୍ତିମଣ୍ଡପ ଓ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ସହ କଥା ହୋଇ ସରକାର ନିଷ୍ପତ୍ତି ନେଇପାରିଥାନ୍ତେ। ଲୋକମାନେ ବି ନିୟମ ମାନି ରଥଯାତ୍ରାକୁ ଯାଇନଥାନ୍ତେ। ଗଜପତି ମହାରାଜା ମଧ୍ୟ ସ୍ନାନଯାତ୍ରାକୁ ଯାଇନଥିଳେ। ତେଣୁ ସୁପ୍ରିମକୋର୍ଟ ଯାଇ ଆଳ ଦେଖାଇ ମନା କରିବାର ଅର୍ଥ ଅନ୍ୟ ମାଧ୍ୟମରେ ଅଠା ବୋଳିବା ଭଳି ହୋଇଛି। କିଏ ରଥଯାତ୍ରା ବନ୍ଦ କରିବାର ମୁଖ୍ୟ ପୁରୋଧା ତାହା ଜଗନ୍ନାଥ ବିଚାର କରିବେ। ଜଗନ୍ନାଥ ସବୁ ଦେଖୁଛନ୍ତି ବୋଲି ସେ କହିଛନ୍ତି।
ତେବେ ଗତ କିଛିଦିନ ଧରି ରଥଯାତ୍ରା କରିବା ପ୍ରସଙ୍ଗରେ ତୁରନ୍ତ ନିଷ୍ପତ୍ତି ନେବା ପାଇଁ ରାଜ୍ୟ ସରକାରଙ୍କ ଉପରେ ଚାପ ପକାଉଥିବା ରାଜ୍ୟ ବିଜେପି କିନ୍ତୁ ଅଚାନକ ଚୁପ୍ ହୋଇଯାଇଛି। ଯଦିଓ ସୁପ୍ରିମକୋର୍ଟଙ୍କ ରାୟକୁ ଦଳ ସ୍ୱାଗତ କରିଛି କିନ୍ତୁ ସରକାରଙ୍କ ପଦକ୍ଷେପ ସମ୍ପର୍କରେ ରାଜ୍ୟ ସଭାପତି ଶ୍ରୀ ମହାନ୍ତି ପଦୁଟିଏ କହିନଥିବାବେଳେ ରାଜ୍ୟ ବିଜେପି ବିଧାୟକ ଦଳ ନେତା ଶ୍ରୀ ନାଏକ କିନ୍ତୁ ସରକାରଙ୍କ ଉପରେ ବର୍ଷିଛନ୍ତି। ତେଣୁ ବାସ୍ତବରେ ରଥଯାତ୍ରା ବନ୍ଦ ପ୍ରସଙ୍ଗରେ ବିଜେପିର ଆଭିମୁଖ୍ୟ କ’ଣ ତାକୁ ନେଇ ଦ୍ୱନ୍ଦ୍ୱ ଲାଗି ରହିଛି।

ସେହିପରି ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତି ଉପରେ କିଛି କହିବା ଉଚିତ୍ ନୁହେଁ ବୋଲି କହିଥିଲେ ମଧ୍ୟ ରଥଯାତ୍ରାକୁ ନେଇ ପରମ୍ପରା ଭଙ୍ଗ ହେଉଥିବାରୁ ଜଗନ୍ନାଥପ୍ରେମୀ ନିଶ୍ଚିତ ଦୁଃଖିତ ହେବେ। ସୁପ୍ରିମକୋର୍ଟଙ୍କ ରାୟ ଜଗନ୍ନାଥପ୍ରେମୀଙ୍କୁ ମର୍ମାହତ କରିବ ବୋଲି କହିଛନ୍ତି। ତେବେ କଂଗ୍ରେସ ବିଧାୟକ ତାରାପ୍ରସାଦ ବାହିନୀପତି ରଥଯାତ୍ରା ବନ୍ଦ ହେବା ପ୍ରସଙ୍ଗରେ ରାଜ୍ୟ ସରକାରଙ୍କ ଭୂମିକାକୁ କଡ଼ା ଭାଷାରେ ସମାଲୋଚନା କରିଛନ୍ତି।
ଉଲ୍ଲେଖଯୋଗ୍ୟ, ରଥଯାତ୍ରା ପ୍ରସଙ୍ଗରେ ସୁପ୍ରିମକୋର୍ଟଙ୍କ ରାୟ ଆସିବା ପରେ ବିଜେଡି ନେତାମାନଙ୍କୁ ଗଣମାଧ୍ୟମରେ କୌଣସି ପ୍ରତିକ୍ରିୟା ନଦେବା ପାଇଁ ଦଳ ପକ୍ଷରୁ ତାଗିଦ୍ କରାଯାଇଛି। ଏପରିକି ସୋସିଆଲ ମିଡିଆରେ ମଧ୍ୟ କିଛି ନଲେଖିବାକୁ ଦଳର ବରିଷ୍ଠ ନେତା ଓ ମୁଖପାତ୍ରମାନଙ୍କୁ କୁହାଯାଇଛି। ରାଜ୍ୟ କ୍ୟାବିନେଟ ବୈଠକ ପରେ ହିଁ ବିଜେଡି ତା’ର ଆଭିମୁଖ୍ୟ ଗଣମାଧ୍ୟମ ସମ୍ମୁଖରେ ରଖିବ ବୋଲି ଜଣାପଡ଼ିଛି।

Leave a comment

Your email address will not be published. Required fields are marked *