#Headlines

ସରକାରଙ୍କ ଭାବମୂର୍ତ୍ତି ସୁଧାରିବାକୁ ୨୭୦୮ଟି ନୂଆ ପଦବୀ ଜରୁରୀ: ସମବାୟ ରେଜିଷ୍ଟ୍ରାର

ଭୁବନେଶ୍ୱର(ବ୍ୟୁରୋ ): ଗ୍ରାମାଞ୍ଚଳରେ ଚାଷୀମାନଙ୍କ ମଧ୍ୟରେ ବୃଦ୍ଧି ପାଉଥିବା ଅସନ୍ତୋଷକୁ ପ୍ରଶମିତ କରି ସମବାୟ ନିର୍ବାଚନରେ ସଫଳ ହେବାକୁ କ୍ଷମତାସୀନ ବିଜେଡି ସରକାର ଏବେ ନୂଆ ବ୍ଲୁ-ପ୍ରିଣ୍ଟ୍ ପ୍ରସ୍ତୁତ କରିଛି। ଗ୍ରାମାଞ୍ଚଳରେ ଚାଷୀଙ୍କ ସମସ୍ୟା ଓ ଅସନ୍ତୋଷକୁ ତ୍ୱରିତ୍ ସମାଧାନ ସହ ରାଜ୍ୟ ସରକାରଙ୍କ ଭାବମୂର୍ତ୍ତି ସୁଧାରିବା ପାଇଁ ୨୭୦୮ଟି ନୂଆ ପଦବୀ( ମୁଖ୍ୟ କାର୍ଯ୍ୟନିର୍ବାହୀ ଅଫିସର) ସୃଷ୍ଟି କରାଯିବ। ଏଥିପାଇଁ ବାର୍ଷିକ ପ୍ରାୟ ୧୧୫ କୋଟି ଟଙ୍କା ଖର୍ଚ୍ଚ ହେବ। ଯଦି ସବୁକିଛି ଠିକଠାକ୍ ରୁହେ ଓ ରାଜ୍ୟ ସମବାୟ ସୋସାଇଟି ରେଜିଷ୍ଟ୍ରାରଙ୍କ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀଙ୍କ ଅନୁମୋଦନ ମିଳେ ତା’ହେଲେ ଖୁବଶୀଘ୍ର ପ୍ରାଥମିକ କୃଷି ସମବାୟ ସମିତି,ଲ୍ୟାମ୍ପସ୍ ଓ କୃଷି ସେବା ସମବାୟ ସମିତି(ଏଫଏସସିଏସ୍)ଗୁଡ଼ିକରେ ଜଣେ ଲେଖାଏ ପ୍ରିନ୍ସିପାଲ ଚିଫ ଏକଜ୍ୟୁକିଟିଭ ଅଫିସର(ପିସିଇଓ) ନିଯୁକ୍ତି ପାଇବେ ଓ ସେମାନଙ୍କ ମାଧ୍ୟମରେ ଏସବୁ ସଂସ୍ଥା ଉପରେ ସିଧାସଳଖ ସରକାରଙ୍କ ନିୟନ୍ତ୍ରଣରେ ରହିବ।

ରାଜ୍ୟରେ ଥିବା ପ୍ୟାକ୍ସ, ଲ୍ୟାମ୍ପସ୍ ଓ ଏଫଏସସିଏସଗୁଡ଼ିକରେ ପ୍ରଶାସନିକ ସଂସ୍କାର ଆଣିବା ପାଇଁ ସମବାୟ ରେଜିଷ୍ଟ୍ରାର ଆଜି ଚିଠି ଲେଖି ସମବାୟ ସଚିବଙ୍କୁ ପ୍ରସ୍ତାବ ଦେଇଛନ୍ତି। ଏସବୁ ସମବାୟ ସମିତିରେ କାର୍ଯ୍ୟରତ ସମ୍ପାଦକ(ସିଇଓ)ମାନେ ଅପାରଗ, ଦୁର୍ନୀତିଗ୍ରସ୍ତ, ଆର୍ଥିକ ଅନିୟମିତତା, ଜାଲସାଦି ଓ ମନମୁଖୀ କାରବାରରେ ଲିପ୍ତ ରହୁଥିବା ଯୋଗୁ ଚାଷୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଉଛି ବୋଲି ସେ କହିଛନ୍ତି। ଏପରିକି ଅଧିକାଂଶ ଅଭିଯୋଗର ତଦନ୍ତବେଳେ ତାହା ପ୍ରମାଣିତ ମଧ୍ୟ ହୋଇଛି। ଯେଉଁଥିପାଇଁ ସରକାରଙ୍କୁ ଅପ୍ରୀତିକର ପରିସ୍ଥିତିର ସମ୍ମୁଖୀନ ମଧ୍ୟ ହେବାକୁ ପଡ଼ୁଛି । କିନ୍ତୁ ଏହି ସମ୍ପାଦକମାନେ ସମ୍ପୃକ୍ତ ସମବାୟ ସମିତିର ପରିଚାଳନା କମିଟି ଅଧୀନରେ ରହୁଥିବାରୁ ସେମାନଙ୍କ ବିରୁଦ୍ଧରେ ଉଚିତ୍ ସମୟରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ନେବା ସରକାରଙ୍କ ପକ୍ଷେ ସମ୍ଭବପର ହେଉନି। ଗ୍ରାମାଞ୍ଚଳରେ ସରକାରଙ୍କ ଭାବମୂର୍ତ୍ତି ମଧ୍ୟ ଅନେକାଂଶରେ ଏହି ସମବାୟ ସମିତିଗୁଡ଼ିକ ପରିଚାଳନା ଓ ସମ୍ପାଦକମାନଙ୍କ ଆଚରଣ ଉପରେ ନିର୍ଭର କରୁଛି। ତେଣୁ ଏସବୁ କାରଣରୁ ସ୍ୱଳ୍ପକାଳୀନ କୃଷି ଋଣ ଢାଞ୍ଚାରେ ପ୍ରଶାସନିକ ସୁଧାର ଆବଶ୍ୟକ ହୋଇପଡ଼ିଛି।

ସମ୍ପାଦନା – ମନୋରଞ୍ଜନ ମହାପାତ୍ର

Leave a comment

Your email address will not be published. Required fields are marked *