#Exclusive

ତିନି ମାସର ଫି’ କୋହଳ କରିବେ ଘରୋଇ ସ୍କୁଲ

ଭୁବନେଶ୍ୱର : ସମଗ୍ର ଦେଶ ତଥା ବିଶ୍ୱ ଏବେ କରୋନା ମହାମାରୀ ଜନିତ ବିପର୍ଯ୍ୟୟରେ ଜର୍ଜରିତ ଓ ସାଧାରଣ ଜୀବନାତ୍ରା ସମ୍ପୂର୍ଣ୍ଣ ରୂପେ ବିପର୍ଯ୍ୟସ୍ତ। ଏହି ଘଡ଼ିସନ୍ଧି ମୁହୂର୍ତ୍ତରେ ସାଧାରଣ ଜନତା ତଥା ଅଭିଭାବକମାନଙ୍କର ଆର୍ଥିକ ଅବସ୍ଥା ଓ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ଦ୍ୱାରା ବିଭିନ୍ନ ଗଣମାଧ୍ୟମ ଜରିଆରେ ସ୍କୁଲ ଫି’ ଛାଡ଼, କୋହଳ ବା ସହାନୁଭୂତିର ସହିତ ବିଚାର କରିବାକୁ ଦିଆଯାଇଥିବା ଅପିଲକୁ ସମ୍ମାନ ଜଣାଇ ଅଲ୍ ଓଡ଼ିଶା ପ୍ରାଇଭେଟ୍ ସ୍କୁଲ୍ସ୍ ଆସୋସିଏସନ୍ (ଅପୋସା)ର ରାଜ୍ୟସ୍ତରୀୟ ଅଧିକାରୀମାନଙ୍କ ମଧ୍ୟରେ ଗଣମାଧ୍ୟମ ଜରିଆରେ ଏକ ଆଲୋଚନା ଚକ୍ର ସୋମବାର ସଂଗଠିତ ହୋଇଥିଲା। ଏଥିରେ ସଂଘର ପ୍ରତ୍ୟେକ ଜିଲ୍ଲାର ଅଧିକାରୀମାନଙ୍କର ମତକୁ ପ୍ରାଧାନ୍ୟ ଦିଆଯିବା ସହ ଛାତ୍ରଛାତ୍ରୀ ତଥା ଅଭିଭାବକମାନଙ୍କର ବୃହତ୍ ସ୍ୱାର୍ଥକୁ ଗୁରୁତ୍ୱ ପ୍ରଦାନ କରି ଏକ ବିଶେଷ ପ୍ରସ୍ତାବ ଗୃହୀତ ହୋଇଥିଲା।
ସମଗ୍ର ରାଜ୍ୟର ଅଭିଭାବକମାନଙ୍କର ଆର୍ଥିକ ଓ ସାମାଜିକ ଦୁସ୍ଥତାକୁ ଦୃଷ୍ଟିରେ ରଖି ସଂଘ ତାର ସାମାଜିକ ଦାୟିତ୍ୱ ସ୍ୱରୂପ ତିନି ମାସ (ଏପ୍ରିଲ, ମେ ଏବଂ ଜୁନ୍)ର ସ୍କୁଲ ଫି’ ପଇଠ କରିବାର ଅବଧିକୁ କୋହଳ କରିଛି ଓ ଏହାକୁ ବିଦ୍ୟାଳୟ ଖୋଲିବା ପରେ ଜୁନ୍ ମାସ ଶେଷ ସୁଦ୍ଧା ପଇଠ କରିବାର ବିକଳ୍ପ ପ୍ରଦାନ କରିଛି। ଏହି ବର୍ଦ୍ଧିତ ସମୟ ପାଇଁ ଅଭିଭାବକମାନଙ୍କୁ କୌଣସି ବିଳମ୍ବ ଦେୟ ପ୍ରଦାନ କରିବାକୁ ପଡ଼ିବ ନାହିଁ। ଏହା ଦ୍ୱାରା ‘ଲକଡ଼ାଉନ୍’ ଯୋଗୁଁ ଯେଉଁ ଅଭିଭାବକମାନଙ୍କର ଆୟ ଗଭୀରଭାବେ ପ୍ରଭାବିତ ହୋଇଛି ସେମାନଙ୍କର ବୋଝ କିଛି ମାତ୍ରାରେ ଲାଘବ ହେବ।

Leave a comment

Your email address will not be published. Required fields are marked *