#Exclusive

୨୦୦୨ ମସିହାରେ ମୃତ ମହିଳା ୨୦୧୮ରେ ଫାର୍ମ ଖୋଲିବା ପାଇଁ ଭଡ଼ାରେ ଦେଇଛନ୍ତି ଆପାର୍ଟମେଣ୍ଟ ।(ମଲା ଲୋକଙ୍କ ସହ ହୋଇଛି ଘର ଭଡ଼ା ଏଗ୍ରିମେଣ୍ଟ୍ ଏକାଧିକ ମାଫିଆ ଲୁଚିଛନ୍ତି ନେପାଳରେ ୭୨ କୋଟି ଆଦାୟ କରିବାକୁ ୧୩ କମିସନରଙ୍କୁ ‌ଚିଠି)

କଟକ: କମିସନରେଟ୍ ପୁଲିସ ଇଲାକାରେ ରହୁଥିବା ଜଣେ ମହିଳାଙ୍କ ୨୦୦୨ ମସିହାରେ ଦେହାନ୍ତ ହୋଇଯାଇଛି। କିନ୍ତୁ ୨୦୧୮ରେ ଅର୍ଥାତ ୧୬ ବର୍ଷ ପରେ ସମ୍ପୃକ୍ତ ମୃତ ମହିଳା ସ୍କ୍ରାପ୍ ମାଫିଆଙ୍କୁ ନିଜ ଆପାର୍ଟମେଣ୍ଟର ତଳ ମହଲାକୁ ଫାର୍ମ ଖୋଲିବା ପାଇଁ ଭଡ଼ାରେ ଦେଇଛନ୍ତି। ଏଥିପାଇଁ ଅଗ୍ରୀମ ୩୫ ହଜାର ଟଙ୍କା ସେ ନେଇଥିବା ବେଳେ ମାସିକ ୩ ହଜାର ୫୦୦ ଟଙ୍କା ଭଡ଼ା ପାଇଁ ରେଣ୍ଟ ଏଗ୍ରିମେଣ୍ଟ ବି କରିଛନ୍ତି। ଏଗ୍ରିମେଣ୍ଟ ପେପରରେ ମୃତକଙ୍କ ଦସ୍ତଖତ ବି ରହିଛି। ଜିଏସ୍‌ଟି ଫାଙ୍କିବା ପାଇଁ ଏଭଳି କେଳେଙ୍କାରୀ କରିଛନ୍ତି କୋଟିପତି ସ୍କ୍ରାପ୍ ମାଫିଆ। କଟକସ୍ଥିତ ବାଣିଜ୍ୟକର ଓ ଜିଏସ୍‌ଟି କମିସନରଙ୍କ ଏନ୍‌ଫୋର୍ସମେଣ୍ଟ ବିଭାଗର ସ୍ବତନ୍ତ୍ର ଟିମ୍ ହାତରେ ଏଭଳି ଚାଂଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ଆହୁରି ଚକିତ କଲା ପରି ଘଟଣା ହେଉଛି- ବାସ୍ତବରେ ସେହି ଆପାର୍ଟମେଣ୍ଟରେ ଫାର୍ମ ନଥିବା ବେଳେ ଓଲଟି ସେଠାରେ ଖୋଦ ଜିଏସ୍‌ଟି କମିସନର ଅଫିସର ଜଣେ ବରିଷ୍ଠ ଅଧିକାରୀ ଓ କମିସନରେଟ ପୁଲିସର ଜଣେ ପୁଲିସ ଏସ୍ଆଇ ଭଡ଼ାରେ ରହୁଛନ୍ତି। ଘର ମାଲିକାଣୀଙ୍କ ମୃତ୍ୟୁ ପରେ ଏବେ ତାଙ୍କ ପୁଅଙ୍କ ମାଲିକାନାରେ ଉକ୍ତ ଘର ରହିଛି। ଏହି ମାଫିଆ ଗ୍ୟାଙ୍ଗ୍ ରାଜ୍ୟରେ ୬୦ ଜଣ ଗରିବ ଶ୍ରେଣୀର ଲୋକଙ୍କୁ ଫାର୍ମ ମାଲିକ ଦର୍ଶାଇଛନ୍ତି। ଏମାନଙ୍କ ନାଁରେ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇ ସ୍କ୍ରାପ୍ କିଣାବିକା ବାବଦ ଅର୍ଥ କାରବାର କରାଯାଇଛି। ଏଭଳି କାରବାର ପରେ ଟ୍ୟାକ୍ସ ଜମା କରାଯାଇନଥିବାରୁ ଉକ୍ତ ଗରିବଙ୍କ ଆକାଉଣ୍ଟରେ ବର୍ତ୍ତମାନ ସୁଦ୍ଧା ପାଖାପାଖି ୨୦୦ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କି ହୋଇଥିବା ଧରାପଡ଼ିଛି।

ସୂଚନା ଅନୁଯାୟୀ, ଜିଏସଟି କମିସନରଙ୍କ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ୨୦୧୯ ଅଗଷ୍ଟ ୮ ତାରିଖରୁ ଆଜି ପର୍ଯ୍ୟନ୍ତ ତିନୋଟି ପର୍ଯ୍ୟାୟରେ ରାଉରକେଲା, ଯାଜପୁର ଓ ଟିଟିଲାଗଡ଼ରୁ ୭ ଜଣ ସ୍କ୍ରାପ୍୍ ମାଫିଆଙ୍କୁ ଗିରଫ କରିଛି। ଏମାନେ ୨୦୧୮-୧୯ରେ ମୋଟ ୨୭୪ କୋଟି ଟଙ୍କା ଜିଏସଟି ଫାଙ୍କିଛନ୍ତି। ଜାଲ୍ ବିଲ୍ ପ୍ରସ୍ତୁତ କରି ଏଭଳି କେଳେଙ୍କାରୀ କରାଯାଇଛି। ସ୍କ୍ରାପ୍ କାରବାର ବାବଦ ଅର୍ଥ ଦିନ ମଜୁରିଆ, ଟ୍ରଲି ଚାଳକ, ଘରୋଇ ଚାକର, ପାନ ଦୋକାନୀ, ପାଣି ପାଇପ୍‌ ମିସ୍ତ୍ରିଙ୍କ ନାଁରେ ଖୋଲାଯାଇଥିବା ବ୍ୟାଙ୍କ ଆକାଉଣ୍ଟରେ କରାଯାଇଛି। ଏହି ବର୍ଗର ଲୋକଙ୍କୁ ନିଯୁକ୍ତିର ପ୍ରଲୋଭନ ଦେଖାଇ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଥିଲା। ଏମାନଙ୍କ ବ୍ୟାଙ୍କ ଆକାଉଣ୍ଟରେ କୋଟି କୋଟି ଟଙ୍କାର ଅର୍ଥ କାରବାର ହେବା ଓ ଆକାଉଣ୍ଟଧାରୀ ଟ୍ୟାକ୍ସ ଦାଖଲ ନକରିବା ପରେ କେଳେଙ୍କାରୀ ସାମନାକୁ ଆସିଥିଲା। ତେବେ ପ୍ରଥମ ପର୍ଯ୍ୟାୟରେ ୨୦୧୯ ଅଗଷ୍ଟ ୮ ତାରିଖ ମାମଲାରେ ଦୁଇ ଜଣ ଗରିବ, ଦ୍ବିତୀୟ ପର୍ଯ୍ୟାୟରେ ୨୦୧୯ ଅକ୍ଟୋବର ୨୫ ତାରିଖରେ ୨୦ ଜଣ ଏବଂ ତୃତୀୟ ପର୍ଯ୍ୟାୟରେ ଚଳିତ ବର୍ଷ ଜାନୁଆରି ୨୩ ତାରିଖ ମାମଲାରେ ୨୮ ଜଣ ଗରିବ ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ ବ୍ୟବହାର କରାଯାଇଥିଲା। ମୋଟ ୫୩ ଜଣ ଗରିବଙ୍କୁ ବର୍ତ୍ତମାନ ସୁଦ୍ଧା ଚିହ୍ନଟ କରାଯାଇଛି। ଏମାନଙ୍କ ବ୍ୟାଙ୍କ୍ ଆକାଉଣ୍ଟ ସ୍କ୍ରାପ ମାଫିଆ ବ୍ୟବହାର କରିଛନ୍ତି। ତେବେ ଆହୁରି ୬୦ ଜଣ ଗରିବଙ୍କୁ ଚଳିତ ସପ୍ତାହରେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ଚିହ୍ନଟ କରିଛି। ଏମାନେ ରାଉରକେଲା, ଅନୁଗୁଳ, ତାଳଚେର, ସମ୍ବଲପୁର, ବୌଦ୍ଧ, ଜଗତସିଂହପୁର, ଢେଙ୍କାନାଳ, ବାଲେଶ୍ବର, ଭଦ୍ରକ, ପାଣିକୋଇଲି, କେନ୍ଦ୍ରାପଡ଼ା, କଟକ ଓ ଦେବଗଡ଼ର ଲୋକ ବୋଲି ସୂଚନା ମିଳିଛି। ଏମାନଙ୍କୁ ଫାର୍ମ ମାଲିକ ଦର୍ଶାଯାଇଥିବା ବେଳେ ବ୍ୟାଙ୍କ ଆକାଉଣ୍ଟ ବି ଖୋଲାଯାଇଛି। ଜାଲ ବିଲ୍ ବଳରେ ସ୍କ୍ରାପ୍ ଚାଲାଣ ଏମାନଙ୍କ ନାଁରେ ହୋଇଛି। ଏହି ୬୦ ଜଣ ଗରିବଙ୍କ ମୁଣ୍ଡରେ ପାଖାପାଖି ୨୦୦ କୋଟି ଟଙ୍କାର ଜିଏସ୍‌ଟି ଫାଙ୍କିର ବୋଝ ରହିଛି। ତେଣୁ ସେମାନଙ୍କୁ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ପକ୍ଷରୁ ସମନ ପଠାଯାଇଛି। କିନ୍ତୁ ସେମାନେ ଭୟରେ ଜିଏସଟି କମିସନଙ୍କ କାର୍ଯ୍ୟାଳୟରେ ହାଜର ହେଉନାହାନ୍ତି। କେବଳ ଗରିବ ଲୋକ ନୁହନ୍ତି, ବାର୍ଦ୍ଧକ୍ୟଜନିତ ରୋଗରେ ପୀଡ଼ିତ ୮୦ ବର୍ଷୀୟ ବୃଦ୍ଧବୃଦ୍ଧାଙ୍କୁ ବି ଫାର୍ମ ମାଲିକ ଦର୍ଶାଯାଇ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି। ଏମାନେ ଏଭଳି ରୋଗରେ ପଡ଼ିଛନ୍ତି ଯେ ଏନଫୋର୍ସମେଣ୍ଟ ସ୍କ୍ବାଡ୍ ସେମାନଙ୍କୁ ଗିରଫ କରିବା ବି ସମ୍ଭବପର ହେଉନାହିଁ।

କଟକର ପୁରୀଘାଟ, ସଦର ଓ ଭୁବନେଶ୍ବର ଚନ୍ଦ୍ରଶେଖରପୁର, ନୟାପଲ୍ଲୀ ଅଞ୍ଚଳର ନିର୍ଦ୍ଦିଷ୍ଟ ଚାଟାର୍ଡ ଆକାଉଣ୍ଟାଣ୍ଟ ଏଭଳି କେଳେଙ୍କାରୀ ପଛରେ ମୁଖ୍ୟ ସୂତ୍ରଧର ବୋଲି କୁହାଯାଉଛି। ଏମାନଙ୍କୁ ଠାବ କରିବାକୁ ସ୍କ୍ବାଡ୍ ଏବେ ପ୍ରମାଣ ଯୋଗାଡ଼ କରିବାରେ ଲାଗିଛି। କେଳେଙ୍କାରୀରେ ସଂପୃକ୍ତି ଯୋଗୁଁ ବର୍ତ୍ତମାନ ସୁଦ୍ଧା ୭ ଜଣ ସ୍କ୍ରାପ୍ ମାଫିଆ ଗିରଫ ହୋଇଥିବା ବେଳେ କଟକ, ଭୁବନେଶ୍ବର, ସୁନ୍ଦରଗଡ଼ ଓ ରାଉରକେଲାର ଆହୁରି ୮ ଜଣ ମାଫିଆ ଓ ୭୦ ପାଖାପାଖି ଦଲାଲଙ୍କୁ ଚିହ୍ନଟ କରାଯାଇଛି। ଚିହ୍ନଟ େହାଇଥିବା ଦଲାଲଙ୍କୁ ଜିଏସଟି କମିସନଙ୍କ କାର୍ଯ୍ୟାଳୟରେ ହାଜର ପାଇଁ ନୋଟିସ୍ ପଠାଯାଇଥିଲା। କିନ୍ତୁ ହାଜର ହେବା ବଦଳରେ ସେମାନେ ରାଜ୍ୟ ବାହାରକୁ ଚାଲିଯାଇଛନ୍ତି। ନେପାଳରେ ଦୁଇ ଜଣ ଲୁଚିଥିବା ବେଳେ ଅନ୍ୟମାନେ ବିହାର, ହରିଆନା ଓ ଛତିଶଗଡ଼ ପଳାଇଛନ୍ତି। ଦଲାଲମାନେ ଧରାପଡ଼ିଲେ ମୁହଁ ଖୋଲିବାର ଆଶଙ୍କା ଥିବାରୁ ମାଫିଆମାନେ ଦେଶ ଓ ବିଦେଶର ବିଭିନ୍ନ ହୋଟେଲରେ ସେମାନଙ୍କୁ ଲୁଚାଇ ରଖିଛନ୍ତି। ଅନ୍ୟପଟେ ବିନା ଟିକସ୍ ପୈଠରେ ଜାଲ୍ ବିଲ ବଳରେ ରାଜ୍ୟ ବାହାରକୁ ଯେଉଁ ଚୋରା ସ୍କ୍ରାପ୍ ଚାଲାଣ ହୋଇଛି, ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ୭୨ କୋଟି ଟଙ୍କା ସମ୍ପୃକ୍ତ ସ୍କ୍ରାପ୍ ମାଫିଆଙ୍କ ନିକଟରୁ ଆଦାୟ କରିବା ପାଇଁ ୧୩ଟି ରାଜ୍ୟର ଜିଏସଟି କମିସନରଙ୍କୁ ଗଲା ଶୁକ୍ରବାର କଟକସ୍ଥିତ ଜିଏସଟି କମିସନରଙ୍କ ପକ୍ଷରୁ ଚିଠି ଲେଖାଯାଇଛି। ଏହି ରାଜ୍ୟ ତାଲିକାରେ ପଞ୍ଜାବ, ଛତିଶଗଡ଼, ଉତ୍ତରପ୍ରଦେଶ, ତେଲେଙ୍ଗାନା, ମଧ୍ୟପ୍ରଦେଶ, ମହାରାଷ୍ଟ୍ର, ହରିଆନା ରହିଛି। ଉକ୍ତ ରାଜ୍ୟକୁ ଓଡ଼ିଶାରୁ ଚୋରା ସ୍କ୍ରାପ୍ ଯାଇଥିବା ବେଳେ ମାଫିଆ ଜାଲ୍ ବିଲ୍ ବଳରେ ଟିକସ୍ ଫାଙ୍କିଥିବା ସୂଚନା ମିଳିଛି।

Leave a comment

Your email address will not be published. Required fields are marked *