#Uncategorized

ଦୁଇ କାର୍‌ ମୁହାଁମୁହିଁ ଧକ୍କା, ତିନିଜଣ ଗୁରୁତର


ବାଲିଗୁଡା,(ଉଲାପ୍ର): କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ଥାନା ସତ୍‌ସଙ୍ଗ କେନ୍ଦ୍ର ନିକଟ ବୁଲାଣି ରାସ୍ତାରେ ଦୁଇକାର୍‌ ମୁହାଁମୁହିଁ ଧକ୍କା ହେବା ଫଳରେ ୫ଜଣ ଗୁରୁତର ହୋଇଛନ୍ତି । ସମସ୍ତ ଗୁରୁତରଙ୍କୁ ରାଇକିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ସେଥିମଧ୍ୟରୁ ତିନିଜଣଙ୍କ ଅବସ୍ଥା ଅଧିକ ଗୁରୁତର ଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ରାଇକିଆ ପୋଲିସ୍‌ ପହଞ୍ଚି ତଦନ୍ତ ଆରମ୍ଭ କରିଛି । ସୂଚନା ପ୍ରକାରେ ଏକ ଓଲା କାର୍‌ ଭୂବନେଶ୍ୱର ଆଡ଼କୁ ଯାଉଥିବା ବେଳେ ବିପରୀତ ଦିଗରୁ ଅନ୍ୟ ଏକ ସ୍ୱିପ୍ଟ୍‌ ଡିଜାର କାର୍‌ ଦାରିଙ୍ଗବାଡ଼ି ଅଭିମୁଖେ ଯାଉଥିବାବେଳେ ରାଇକିଆ ସତ୍‌ସଙ୍ଗ କେନ୍ଦ୍ର ନିକଟରେ ମୁହାଁମୁହିଁ ଧକ୍କା ହୋଇଥିଲା । ଓଲା କାର୍‌ରେ ବସିଥିବା ଯାତ୍ରୀ ଓ ଡ଼୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ସ୍ୱିଫ୍ଟ୍‌ କାରରେ ବସିଥିବା ୫ଜଣ ଯାତ୍ରୀ ଗୁରୁତର ଆହତ ହୋଇପଡ଼ିଥିଲେ । ଘଟଣାସ୍ଥଳରେ ରାଇକିଆ ପୋଲିସ୍‌ ପହଞ୍ଚି ଆହତଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଇଛନ୍ତି । ଆହତଙ୍କ ମଧ୍ୟରୁ ତିନିଜଣଙ୍କ ଅବସ୍ଥା ଗୁରୁତର ଥିବାରୁ ପ୍ରାଥମିକ ଚିକିତ୍ସା ପରେ ସେମାନଙ୍କୁ ଫୁଲବାଣୀ ସ୍ଥାନାନ୍ତର କରାଯାଇଛି । ସମସ୍ତ ଆହତ ଜି.ଉଦୟଗିରି ଓ ରାଇକିଆ ଅଞ୍ଚଳର ହୋଇଥିବା ଜଣାପଡ଼ିଛି ।

Leave a comment

Your email address will not be published. Required fields are marked *