#Exclusive

ଶ୍ରୀମନ୍ଦିର ଟଙ୍କା: ବିଜୟ ସାହୁଙ୍କ ବହିଷ୍କାର ଦାବି କଲା କଂଗ୍ରେସ

ଭୁବନେଶ୍ୱର(ବ୍ୟୁରୋ): ଶ୍ରୀଜଗନ୍ନାଥ ମନ୍ଦିରର ଅର୍ଥ ସବକମିଟିର ମୁଖ୍ୟ ତଥା ଚାଟାର୍ଡ ଆକାଉଟାଣ୍ଟ ବିଜୟ ସାହୁଙ୍କ ବହିଷ୍କାର ଦାବିରେ ଛାତ୍ର କଂଗ୍ରେସ ପକ୍ଷରୁ ଆଜି ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ନଫେରିବା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ବୋଲି ଛାତ୍ର କଂଗ୍ରେସ ପକ୍ଷରୁ ସ୍ପଷ୍ଟ କରାଯାଇଛି ।ଆଜି ଆଜି ପ୍ରଦେଶ ଛାତ୍ର କଂଗ୍ରେସର ରାଜ୍ୟ ସଂଯୋଜକ ୟାସିର ନୱାଜଙ୍କ ନେତୃତ୍ୱରେ ୟେସ ବ୍ୟାଙ୍କରେ ଜମା ହୋଇଥିବା ୫୪୫ କୋଟି ଟଙ୍କା ତୁରନ୍ତ ରାଜ୍ୟ ସରକାର ଫେରାଇ ଆଣିବା ଦାବିରେ ବିକ୍ଷୋଭ କରାଯାଇଥିଲା। ଛାତ୍ର କଂଗ୍ରେସ କର୍ମକର୍ତାମାନେ କଂଗ୍ରେସ ଭବନରୁ ବାହାରି ମାଷ୍ଟରକ୍ୟାଂଟିନ୍ ଛକ ପର୍ଯ୍ୟନ୍ତ ଯାଇ ସେଠାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ଏହି ପରିପ୍ରେକ୍ଷୀରେ ନୱାଜ କହିଛନ୍ତି ଯେ ଓଡ଼ିଶା ଲୋକଙ୍କର ନବୀନ ସରକାରଙ୍କ ଉପରେ ଭରସା ନାହିଁ। କାରଣ ନବୀନ ସରକାର ସାଧାରଣ ଲୋକଙ୍କୁ ଚିଟ୍‌ଫଣ୍ଡ ଟଙ୍କା ଫେରାଇ ଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ଏପର୍ଯ୍ୟନ୍ତ ଚିଟ୍‌ଫଣ୍ଡ ଟଙ୍କା ଫେରାଇବା ତ ଦୂରର କଥା ଗତ ୪ ତାରିଖ ଦିନ ଏଥିପାଇଁ ହୋଇଥିବା କମିଶନଙ୍କ କାର୍ଯ୍ୟକାଳକୁ ବନ୍ଦ କରି ଦେଇଛନ୍ତି। ତେଣୁ ଯେପର୍ଯ୍ୟନ୍ତ ଶ୍ରୀମନ୍ଦିର ଟଙ୍କା

ୟେସ ବ୍ୟାଙ୍କରୁ ଫେରି ନଆସିଛି ସେ ପର୍ଯ୍ୟନ୍ତ ଓଡ଼ିଶାବାସୀ ଆଶ୍ୱସ୍ତ ହେବେ ନାହିଁ। ଶ୍ରୀ ନୱାଜ ପ୍ରଶ୍ନ କରିଛନ୍ତି ଯେ ସରକାର ଜାଣିଶୁଣି ଏକ ଘରୋଇ ବ୍ୟାଙ୍କରେ କ’ଣ ପାଇଁ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଟଙ୍କା ରଖିଥିଲେ। ତିରୁପତି ମନ୍ଦିର ଟ୍ରଷ୍ଟ ୟେସ୍ ବ୍ୟାଙ୍କ ଦେବାଳିଆ ହୋଇଯାଉଥିବା ଜାଣି ୧୩୦୦ କୋଟି ଟଙ୍କା ଉଠାଇ ନେଇଥିବା ବେଳେ ଓଡ଼ିଶା ସରକାର ଚୁପ୍ ରହିଲେ କାହିଁକି? ଏହି ବ୍ୟାଙ୍କରେ ଟଙ୍କା ରଖିବା ପାଇଁ ପିସି କାରବାର ହୋଇଛି । ଚାଟାର୍ଡ ଆକାଉଣ୍ଟାଣ୍ଟ ତଥା ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିର ମୁଖ୍ୟ ବିଜୟ କୁମାର ସାହୁ ୟେସ ବ୍ୟାଙ୍କରେ ରଖାଯାଇଥିବା ଟଙ୍କାର କମିଶନରେ ମଉଜ କରିଛନ୍ତି ବୋଲି ନୱାଜ ଅଭିଯୋଗ କରିଛନ୍ତି। ଶ୍ରୀ ସାହୁ ଜଣେ ଶିକ୍ଷା ବ୍ୟବସାୟୀ। ସେ ସାଧାରଣତଃ ଆଉ ଚାଟାର୍ଡ ଆକାଉଣ୍ଟାଣ୍ଟ ଭାବେ କାର୍ଯ୍ୟ କରୁନାହାନ୍ତି। ଏଭଳି ଜଣେ ବ୍ୟକ୍ତିଙ୍କୁ ଅର୍ଥ ସବ୍‌କମିଟିର ମୁଖ୍ୟ ଭାବେ କାହିଁକି ନିଯୁକ୍ତି ଦିଆଯାଇଛି। ତାଙ୍କ ପରାମର୍ଶକ୍ରମେ ପ୍ରଭୁ ଶ୍ରୀଜଗନ୍ନାଥଙ୍କର ଅର୍ଥ ଆଜି ବୁଡ଼ିଯିବା ପରିସ୍ଥିତିକୁ ଯାଇଥିବାରୁ ସେଥିପାଇଁ ଶ୍ରୀ ସାହୁଙ୍କୁ ତୁରନ୍ତ ଶ୍ରୀମନ୍ଦିର ଅର୍ଥ ସବ୍‌କମିଟିରୁ ବହିଷ୍କାର କରିବା ସହ ତାଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ନୱାଜ ଦାବି କରିଛନ୍ତି।

Leave a comment

Your email address will not be published. Required fields are marked *