#Breaking News #Uncategorized

କନ୍ଧମାଳ:ସହରରେ କଡାକଡ଼ି ପାଳନ : ଗାଁରେ ଖୋଲାଖୋଲି ଆସର ଜମୁଛି


କନ୍ଧମାଳ,୧୫/୦୫.(ସଞ୍ଜୟ କୁମାର ପାଣିଗ୍ରାହୀ): କରୋନାର ଦ୍ୱିତୀୟ ଲହରି ଦିନକୁ ଦିନ ଭୟଙ୍କର ହେଉଥିବା ବେଳେ ଏହା ଉପରେ ରୋକ ଲଗାଇବା ଲାଗି ସରକାର ଲକଡାଉନ ଘୋଷଣା କରିଛନ୍ତି । ପୋଲିସ ଓ ପ୍ରଶାସନକୁ ତାଲାବନ୍ଦକୁ କଡାକଡି ଭାବେ ପାଳନ କରିବାକୁ ସରକାର ନିର୍ଦ୍ଦେଶ ଦେଇଛନ୍ତି । ସରକାରଙ୍କ ନିର୍ଦ୍ଦେଶ ପରେ ଏହି ତାଲାବନ୍ଦର ପ୍ରଭାବ କନ୍ଧମାଳ ଜିଲ୍ଲାର ସହର ଉପରେ ପଡୁଥିବା ଦେଖିବାକୁ ମିଳୁଛି । ହେଲେ ଗାଁରେ ସେମିତିି କିଛି ପ୍ରଭାବ ପଡୁଥିବା ମନେ ହେଉନି । ସବୁକିଛି ଖୁଲମଖୁଲା ଚାଲିଛି । କରୋନାକୁ ମୁକାବିଲା କରିବା ଲାଗି ସରକାର ସାରା ରାଜ୍ୟକୁୁ ଲକଡାଉନ ଘୋଷଣା କରିଛନ୍ତି । ଲକଡାଉନ ବେଳେ ଘରୁ ନବାହାରିବାକୁ ମୁଖ୍ୟମନ୍ତ୍ରୀ ଙ୍କ ସମେତ ଜିଲ୍ଲା ତଥା ଉପଖଣ୍ଡ ପ୍ରଶାସନ ତରଫରୁ ବାରମ୍ବାର ନିବେଦନ କରାଯାଉଛି । ଜିଲ୍ଲାର ପ୍ରାୟ ସବୁ ସହରାଂଚଳରେ ଲକଡାଉନ ବା କରୋନା କଟକଣାକୁ ପାଳନ କରାଯାଉଛି । ହେଲେ ଗାଁ ଗହଳିରେ ଲୋକେ ପ୍ରଶାସନ ସହ ଲୁଚକାଳି ଖେଳୁଛନ୍ତି । ଲକଡାଉନ ବେଳେ ଘରୁ ବାହାରିବା ସହ ଗାଁରେ ବାହାଘର ଶୋଭାଯାତ୍ରା, ଭୋଜିଭାତ ସ୍ୱାଭାବିକ ଭାବେ ଜାରି ରହିଛି । ଜିଲ୍ଲାର କେତେକ ସ୍ଥାନରେ ପୋଲିସ ଓ ପ୍ରଶାସନ ପକ୍ଷରୁ ଚଢାଉ କରାଯାଇଛି, ହେଲେ ଅନେକ ସ୍ଥାନରେ ପ୍ରଶାସନ ପହଁଚି ପାରିନାହିଁ । ଏଥିସହିତ ଗାଁର ଯୁବପୀଢିମାନେ ପଡିଆରେ କ୍ରିକେଟ ଖେଳିବା ସହିତ ଛକ ଛକରେ ବସି ତାସ ଖେଳୁଥିବା ଦେଖିବାକୁ ମିଳିଛି । କାହାରି ମୁହଁରେ ମାସ୍କ ନ ଥିବା ସହ ସାମାଜିକ ଦୂରତା ରହୁନି । ଏନେଇ ପୋଲିସରେ ଅଭିଯୋଗ ହେବା ପରେ କେତେକ ସ୍ଥାନରେ ପୋଲିସ ଚଢଉ କରୁଥିବା ବେଳେ ଆଉ କେତେକ ସ୍ଥାନକୁ ପ୍ରଶାସନ ଯାଇପାରିନାହିଁ । ଯଦି ଗାଁ ଗହଳିରେ ଲୋକେ ଏଭଳି ବେପରୁଆ ହୁଅନ୍ତି, ତେବେ ଆଗାମୀ ଦିନରେ ଗାଁରେ ଗୋଷ୍ଠୀ ସଂକ୍ରମଣ ବ୍ୟାପିବାକୁ ଏଡାଇ ଦିଆଯାଇନପାରେ । ତେଣୁ ପ୍ରଶାସନ ଏହାକୁ ଦୃଷ୍ଟି ଦେବା ସହ ଲୋକେ ସଚେତନ ହେବାର ଆବଶ୍ୟକତା ରହିଛି । ନହେଲେ ନେଢିଗୁଢ କହୁଣୀକୁ ବହିଯିବ ଏଥିରେ ସନ୍ଦେହ ନାହିଁ । ଏ ସମ୍ପର୍କରେ ବୁଝାସୁଝା ଓ ସଚେତନ ପରେ ଯଦି ଲୋକେ ନବୁଝନ୍ତି, ତେବେ ଆଗକୁ ଆଇନକୁ କଡାକଡି କରାଯିବ ଓ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ଲକ୍‌ଡାଉନ ସମୟରେ ଯଦି କେହି ବିନା କାରଣରେ ବାହାରେ ବୁଲନ୍ତି, ତା’ହେଲେ ସେମାନଙ୍କ ବିରୋଧରେ ଆଇପିସି ଧାରା ୧୮୮, ୨୬୯, ୨୭୦ ଦଫା ଲଗାଯାଇ ଗିରଫ କରିବାକୁ ବାଧ୍ୟ ହେବୁ ବୋଲି ପୋଲିସ ପ୍ରଶାସନ ପକ୍ଷରୁ କୁହାଯାଇଛି l

Leave a comment

Your email address will not be published. Required fields are marked *