#Exclusive

କଥା ଦେଇ ଥିଲେ ଆରଥରକୁ ଫେରିଲେ…

ବାଲିଗୁଡ଼ା/ରାଇରଙ୍ଗପୁର/ ଭୁବନେଶ୍ୱର(ଉଲାପ୍ର ): ଗଲଓ୍ୱାନ୍ ଉପତ୍ୟକାରେ ଚୀନ ସେନା ସହ ରକ୍ତାକ୍ତ ସଂଘର୍ଷରେ ସହିଦ ହୋଇଛନ୍ତି ୨୦ ନୀର୍ଭିକ ଭାରତୀୟ ଯବାନ।  ସେମାନଙ୍କ ମଧ୍ୟରେ ୨ ଓଡ଼ିଆ ବୀରପୁଅ ବି ବୀରଗତିପ୍ରାପ୍ତ ହୋଇଛନ୍ତି । ଏହି ଦୁଃଖଦ ଖବର ଶୁଣି, ସେମାନଙ୍କ ପରିବାର ଲୁହରେ ଭାସୁଥିବା ବେଳେ, ସାରା ଦେଶ ଶୋକରେ ବୁଡ଼ିଛି । ସତେକି ଗୁମୁରି ଗୁମୁରି ନିଜ ବୀର ସନ୍ତାନଙ୍କୁ ଝୁରୁଛି, ସହିଦଙ୍କ ଜନ୍ମମାଟି ।ସ୍ୱପ୍ନ ସବୁ ଚୁରମାର ହୋଇଯିବା ପରେ, ଆଉଟି ଯାଉଛି ବାପର ଦୁର୍ବଳିଆ ଛାତି । ଲୁହକୁ ଚାପି ଦେଉଛି ସିନା, ହେଲେ କୋହକୁ ଚାପି ପାରୁନି।ଚୀନ ସେନାର ଔଦ୍ଧତ୍ୟକୁ ମୁହଁତୋଡ଼ ଜବାବ୍ ଦେଇ, ବୀରଗତି ପାଇଛନ୍ତି କନ୍ଧମାଳ ରାଇକିଆ ବିଅରପାଙ୍ଗାରର ଚନ୍ଦ୍ରକାନ୍ତ ପ୍ରଧାନ। ୨୦୧୪ରେ ବିହାର-୧୬ ରେଜିମେଣ୍ଟ୍ରେ ଯୋଗ ଦେଇଥିଲେ ଚକ୍ରଧର।  ଗତ ଡିସେମ୍ବରରେ ଘରକୁ ଆସି ଫେବୃଆରୀରେ ଫେରିଥିଲେ।  କିଏ ଜାଣିଥିଲା, ଆଉ ପୁଅ ଫେରିବନି, ଫେରିବ ତା ସହିଦ ହେବା ଖବର।ଏପଟେ ସହିଦ ଯବାନ ନନ୍ଦୁରାମ ସୋରେନଙ୍କ ଜନ୍ମମାଟି ମୟୂରଭଞ୍ଜ ବିଜାତଳା ବଡ଼ଚମ୍ପାଉଦା ଗାଁ ବି ଶୋକରେ ବୁଡ଼ିଛି । ୧୯୯୭ରେ ବିହାର-୧୬ ରେଜିମେଣ୍ଟରେ ଯୋଗ ଦେଇଥିଲେ । ଘରେ ସ୍ତ୍ରୀ ଓ ତିନି ଝିଅ  ଗତ ଜାନୁଆରୀରେ ମଝିଆ ଭାଇଙ୍କ ମୃତ୍ୟୁ ପରେ ଦଶାହ କର୍ମରେ ଯୋଗଦେବାକୁ ଘରକୁ ଆସିଥିଲେ ନନ୍ଦୁରାମ । କହିଥିଲେ ଏଥର ଫେରିଲେ ରାଇରଙ୍ଗପୁରରେ ନୂଆଘରର ପ୍ରତିଷ୍ଠା କରିବେ।ସେପଟେ ସହିଦ ଯବାନଙ୍କ ମହାନ୍ ବଳିଦାନକୁ ସାଲ୍ୟୁଟ୍ କରିବା ସହ ଏହା ବ୍ୟର୍ଥ ଯିବ ନାହିଁ ବୋଲି ଟ୍ୱିଟ୍‌ କରିଛି ଭାରତୀୟ ସ୍ଥଳସେନା। ଏଥିସହ ସେମାନଙ୍କ ଅମର ଆତ୍ମାର ସଦଗତି କାମନା କରି ଦେଶର ବିଭିନ୍ନ ସ୍ଥାନରେ ବହୁ ସଂଗଠନ ଓ ରାଜନୈତିକ ଦଳ ପକ୍ଷରୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି।ଲଦାଖରେ ଚୀନ ସେନାର ଆକ୍ରମଣରେ ସହିଦ ହୋଇଥିବା ୨ ଓଡ଼ିଆ ଯବାନଙ୍କ ପ୍ରତି ଗଭୀର ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଦେଶ ପାଇଁ ବଳିଦାନକୁ ମୁଖ୍ୟମନ୍ତ୍ରୀ ପ୍ରଶଂସା କରିବା ସହ ଯବାନଙ୍କ ପରିବାରକୁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ୍‌ ପାଣ୍ଠିରୁ ୨୫ ଲକ୍ଷ ଟଙ୍କା ଲେଖାଏଁ ସହାୟତା ଘୋଷଣା କରିଛନ୍ତି।

Leave a comment

Your email address will not be published. Required fields are marked *