#Exclusive

ପଶ୍ଚିମବଙ୍ଗ ଫେରନ୍ତାଙ୍କୁ ନେଇ ଘାରିଲା ଚିନ୍ତା: ବଢ଼ୁଛି ଆକ୍ରାନ୍ତଙ୍କ ସଂଖ୍ୟା, ୧୦୦୦ରୁ ଅଧିକ ନମୁନା ପରୀକ୍ଷା ଲାଗି ଯାଇଛି

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲାରେ କରୋନା ଭୂତାଣୁ ସଂକ୍ରମଣ ଦିନକୁଦିନ ବୃଦ୍ଧି ପାଇବାରେ ଲାଗିଛି। ବିଶେଷ କରି ବାହାର ରାଜ୍ୟରୁ ଫେରୁଥିବା ପ୍ରବାସୀଙ୍କୁ ନେଇ ଚିନ୍ତା ବଢ଼ୁଥିବା ବେଳେ ବୁଧବାର ପୁଣି ଖଇରା ବ୍ଲକ କୁରୁଣ୍ଟା ପଞ୍ଚାୟତ ବାରିଙ୍ଗିଆ ଗ୍ରାମରୁ ଜଣେ ପଶ୍ଚିମବଙ୍ଗ ଫେରନ୍ତା କରୋନାରେ ଚିହ୍ନଟ ହୋଇଛନ୍ତି। ଏହି ବ୍ୟକ୍ତିଙ୍କ ବୟସ ୪୮ ବର୍ଷ ହେବ ବୋଲି ଜଣାପଡ଼ିଛି।ସୂଚନାଯୋଗ୍ୟ, କରୋନା ଆକ୍ରାନ୍ତ ହୋଇଥିବା ସମ୍ପୃକ୍ତ ବ୍ୟକ୍ତି କୋଲକାତାସ୍ଥିତ ଏକ ଟ୍ରାନପୋର୍ଟିଂ ସଂସ୍ଥାରେ କାମ କରୁଥିଲେ। ଲକଡାଉନ ଯୋଗୁ ଗତ ମାର୍ଚ୍ଚ ମାସ ୨୯ ତାରିଖରେ ସ୍ଥାନୀୟ ଅଞ୍ଚଳର ଆଉ ୧୧ ଜଣଙ୍କ ସହ ମିଶି ସେ ଏକ ବୋଲେରୋ ଯୋଗେ ଘରକୁ ପଳାଇ ଆସିଥିଲେ। ପରେ ସେମାନେ ଏ ବିଷୟରେ କାହାକୁ କିଛି ନ ଜଣାଇ ଏବଂ ସଙ୍ଗରୋଧରେ ନରହି ବାହାରେ ବୁଲାବୁଲି କରିଥିଲେ। ଏ ନେଇ ଅଭିଯୋଗ ହେବା ପରେ ସେଠାକାର ସରପଞ୍ଚ ଗତ ଏପ୍ରିଲ ୨୮ ତାରିଖରେ ସ୍ୱାସ୍ଥ୍ୟ ବିଭାଗ ଟିମ୍‌ ଡକାଇ ସେମାନଙ୍କ ଠାରୁ ସ୍ୱାବ୍‌ ସଂଗ୍ରହ କରାଇଥିଲେ।ତେବେ ଆଜି ଆସିଥିବା ରିପୋର୍ଟ ଅନୁସାରେ ଉକ୍ତ ଆକ୍ରାନ୍ତ ବ୍ୟକ୍ତିଙ୍କୁ ବାଦ୍‌ ଦେଲେ ତାଙ୍କ ସହ ଆସିଥିବା ଅନ୍ୟ ସମସ୍ତଙ୍କର ନମୁନା ରିପୋର୍ଟ ନେଗେଟିଭ ଆସିଛି। ଏହି ବ୍ୟକ୍ତିଙ୍କୁ ମିଶାଇ ବାଲେଶ୍ୱର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨୫କୁ ଛୁଇଁ ଯାଇଛି। ତେବେ କେବଳ ଖଇରା ବ୍ଲକରେ ରୋଗୀସଂଖ୍ୟା ୩ରେ ପହଞ୍ଚିଥିବା ଜଣାଯାଇଛି।ଅନ୍ୟପକ୍ଷରେ ବାଲେଶ୍ୱର ଜିଲ୍ଲାରେ ଗତକାଲି ବସ୍ତା ବ୍ଲକ ଅଞ୍ଚଳରୁ ୨ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିଲେ। ଏଥିସହ ସୋର ବ୍ଲକ ତଳନଗର ଅଞ୍ଚଳରୁ ୩ ଜଣ, ବାହାନଗା ବିଷ୍ଣୁପୁର ଅଞ୍ଚଳରୁ ଜଣେ ଓ ଭୋଗରାଇ ବ୍ଲକରେ ଥିବା ଏକ ସଙ୍ଗରୋଧ କେନ୍ଦ୍ରରେ ରହିଥିବା ସିମୁଳିଆ ବ୍ଲକର ଜଣେ ଲେଖାଏଁ ବ୍ୟକ୍ତି କରୋନା ଆକ୍ରାନ୍ତ ହୋଇସାରିଲେଣି।ସବୁଠୁ ବଡ଼ କଥା ହେଉଛି ଜିଲ୍ଲାରୁ ସଂଗ୍ରହ ହୋଇ ଯାଇଥିବା ୧ହଜାରରୁ ଅଧିକ ନମୁନା ଯେଉଁଥିରେ ପଶ୍ଚିମବଙ୍ଗରୁ ଫେରିଥିବା ଲୋକଙ୍କ ନମୁନା ରହିଛି। ସେଗୁଡ଼ିକର କୌଣସି କାରଣ ଯୋଗୁ ରିପୋର୍ଟ ଆସିପାରିନାହିଁ।

Leave a comment

Your email address will not be published. Required fields are marked *