#Breaking News

ନବଜାତ ଶିଶୁ କନ୍ୟାକୁ ନଦୀ କୂଳରେ ଫିଙ୍ଗି ଦେଲା ମାଆ :ଆଦିବାସୀ ଦମ୍ପତି ଉଦ୍ଧାର କରି ପାଳିଲେ


ବାଲିଗୁଡା,୩୦/୬.(ସଞ୍ଜୟ କୁମାର ପାଣିଗ୍ରାହୀ): ସରକାର କନ୍ୟା ସନ୍ତାନର ସୁରକ୍ଷା ପାଇଁ ଅନେକ ଯୋଜନା କରିଛନ୍ତି । ଏପରିକି କନ୍ୟା ସନ୍ତାନମାନେ ଦେଶର ଅମୂଲ୍ୟ ସମ୍ପତ୍ତି ବୋଲି ସରକାର ଅନେକ ଥର କହିଛନ୍ତି । ସେଥିପାଇଁ କେନ୍ଦ୍ର ସରକାର ବେଟି ବଚାଓ, ବେଟି ପଢ଼ାଓ ଯୋଜନା କରିଛନ୍ତି । ଏସବୁ ସତ୍ୱେ ଏବେ ବି ଶିଶୁକନ୍ୟା ଅଲୋଡ଼ା ହୋଇପଡିଛି । ଜନ୍ମ ଦେବାପରେ ଶିଶୁ କନ୍ୟାଟିକୁ ଜନ୍ମ ଦେଇଥିବା ମା ନଦୀ କୂଳେ ଫୋପାଡି ଚାଲିଯାଇଥିଲା । ସେ କେମିତିକା ମା’, ଯିଏ ଶିଶୁ କନ୍ୟାକୁ ଜନ୍ମ ଦେବାପରେ ନଦୀ କୂଳରେ ଫୋପାଡ଼ି ଦେଇ ଚାଲିଯାଉଛି । କିନ୍ତୁ ନିୟତିର ନିତି କିଛି ଅଲଗା ଥିଲା । ନବଜାତ ଶିଶୁ କନ୍ୟାର କୁଆଁ କୁଆଁ କାନ୍ଦ ବାଜିଲା ଜଣେ ସହୃଦୟ ଆଦିବାସୀ ବ୍ୟକ୍ତିଙ୍କ କାନରେ । ଭାବପ୍ରବଣ ହୋଇ କୋଳେଇ ନେଲେ ଶିଶୁ କନ୍ୟାକୁ ଏବଂ ସାଥିରେ ଘରକୁ ବି ନେଇଗଲେ ବ୍ୟକ୍ତି ଜଣକ । ଏଭଳି ଘଟଣା ଦେଖିବାକୁ ମିଳିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡି ବ୍ଲକ୍‌ ଗଦଡ଼ି ଗାଁ ରେ । ମା’ର ଅନେକ ରୂପ । ସେ ଜନ୍ମଦାତ୍ରୀ, ମମତାମୟୀ, ସ୍ନେହମୟୀ । କୁହାଯାଏ ମା’ର ପଣତକାନୀ ପିଲାଙ୍କୁ ସବୁ ସଙ୍କଟ, ବାଧା ବିଘ୍ନରୁ ମୁକ୍ତି ଦିଏ । ମା’ ଥିବା ପିଲାଙ୍କର କେବେ କିଛି ଅଭାବ ହୁଏ ନାହିଁ । ହେଲେ ଏଭଳି ଘଟଣା ସବୁ ମା’ଙ୍କୁ ଆଚମ୍ବିତ କରିବ । ୯ମାସ ଗର୍ଭରେ ଧରି ଛୁଆକୁ ଜନ୍ମ ଦେବା ପରେ କୋଉ ମା’ କେବେ କ’ଣ ତା ଛୁଆକୁ ଫୋପାଡ଼ି ଦେବ । ଏକଥା ବିଶ୍ୱାସ ନଲାଗିଲେ ବି ସତ । ଏଭଳି ଏକ ଘଟଣା ସାମ୍ନାକୁ ଆସିଛି । ୨୯ ତାରିଖ,ସମୟ ପାଖାପାଖି ରାତି ୯ଟା ହେବ । ଦାରିଙ୍ଗବାଡି ବ୍ଲକ୍‌ ଗଦଡ଼ି ଗାଁ ର ଆଦିବାସୀ ବ୍ୟକ୍ତି ଶାମସନ୍‌ ପ୍ରଧାନ କାମରୁ ଫେରିବା ସମୟରେ ଗଦଡ଼ି ନାଳ ନିକଟରେ କଅଁଳା ଛୁଆର କୁଆଁକୁଆଁ କାନ୍ଦ ଶୁଣି ପ୍ରଥମେ ଚମକି ପଡ଼ିଥିଲେ । କିନ୍ତୁ ପରବର୍ତ୍ତୀ ସମୟରେ ସାହାସ କରି କାନ୍ଦ ଶୁଭୁଥିବା ସ୍ଥାନ ଆଡ଼କୁ ଯାଇଥିଲେ । ସେଠାରେ ଦେଖିଲା ବେଳକୁ ଗୋଟିଏ ନବଜାତ ଶିଶୁକନ୍ୟା ରାହା ଧରି କାନ୍ଦୁଛି । ଭାବପ୍ରବଣ ହୋଇ ଶାମସନ୍‌ ଶିଶୁ କନ୍ୟାକୁ କୋଳେଇ ନେବାସହ ଘରକୁ ନେଇଯାଇଥିଲେ । ଏହାପରେ ଉଭୟ ସ୍ୱାମୀ ସ୍ତ୍ରୀ ନିଜ ସନ୍ତାନ ଭଳି ଶିଶୁ କନ୍ୟାର ଯତ୍ନ ନେଉଛନ୍ତି । ପୂର୍ବରୁ ଶାମସନଙ୍କ ୪ଟି ପୁଅ ଓ ଗୋଟିଏ କନ୍ୟା ସନ୍ତାନ ଅଛନ୍ତି । ଶାମସନ୍‌ ଗରିବ ଶ୍ରେଣୀର ହୋଇଥିବା ବେଳେ ମୁଲ ଲାଗି ପରିବାର ପ୍ରତିପୋଷଣ କରୁଛନ୍ତି । ଗଦଡ଼ି ଗାଁ ର ଶାମସନ୍‌ ପ୍ରଧାନ,ମୁଲ ଲାଗିଲେ ଘର ଚଳୁଛି । ଅଭାବ ଅନଟନରେ ନିଜର ୫ଟି ଛୁଆକୁ ପାଳନ କରିବା ସତ୍ୱେ ନଦୀ କଡ଼ରୁ କଅଁଳା ଶିଶୁ କନ୍ୟାକୁ ଆଣି ପାଳନ କରିବା ସହ ତା ଭବିଷ୍ୟତ ମଧ୍ୟ ଚିନ୍ତା କରୁଛନ୍ତି ଶାମସନ୍‌ ଓ ତାଙ୍କ ସ୍ତ୍ରୀ ନିଜ ଓ ନିଜ ପରିବାର କଥା ନଭାବି ନିଷ୍ଠାପର ଶିଶୁ କନ୍ୟାକୁ କୋଳେଇ ନେଇ ମାନବିକତାର ପରିଚୟ ଦେଇଛନ୍ତି ଆଦିବାସୀ ବ୍ୟକ୍ତି ଶାମସନ୍‌ ।ଶାମସନଙ୍କ ଏଭଳି ମହତ କାର୍ଯ୍ୟକୁ ଅଞ୍ଚଳବାସୀ ବେଶ୍‌ ପ୍ରଶଂସା କରିଛନ୍ତି ।

Leave a comment

Your email address will not be published. Required fields are marked *