#Breaking News

ପୋଲିସ ସୁରକ୍ଷା ଓ ସିସିଟିଭି ନଜରରେ ସମ୍ବେଦନଶୀଳ ଭୋଟ କେନ୍ଦ୍ରକୁ ରଖାଯାଉ

ଆଠଗଡ଼(ଉଲାପ୍ର)ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ବେଳେ ସମ୍ପୂର୍ଣ୍ଣ ଶାନ୍ତି ଶୃଙ୍ଖଳାରେ ମତଦାନ କରାଯିବା ପାଇଁ ବିଭିନ୍ନ ମହଲରୁ ମତପ୍ରକାଶ ପାଉଛି । ଆଠଗଡ଼ ନିର୍ବାଚନ ମଣ୍ଡଳୀ ଅନ୍ତର୍ଗତ ତିନି ନମ୍ବର ଜୋନର କଂଗ୍ରେସ ଜିଲ୍ଲା ପରିଷଦ ପ୍ରାର୍ଥୀ ସୁନିଲ୍ କୁମାର ସୂତାର ନିଜ ସପକ୍ଷରେ ମତଦାତାଙ୍କୁ ଭେଟୁଥିବା ବେଳେ କେତେକ ସମ୍ବେଦନଶୀଳ ବୁଥ୍ ସମ୍ପର୍କରେ ଜାଣିବାକୁ ପାଇଥିଲେ । ଏହାପରେ ସେ ଗତ ୦୭ ତାରିଖ ସୋମବାର ଦିନ ତୁରନ୍ତ ଭୁବନେଶ୍ବର ଯାଇ ରାଜ୍ୟ ନିର୍ବାଚନ କମିଶନଙ୍କ ଅଭିଯୋଗ ପ୍ରକୋଷ୍ଠରେ ଏହି ସ୍ପର୍ଶକାତର ଆଶଙ୍କା ସମ୍ପର୍କରେ ସୂଚୀତ କରାଇ ପ୍ରତିଷେଧକ ବ୍ୟବସ୍ଥା ପାଇଁ ପୋଲିସ ସୁରକ୍ଷା ଓ ସିସିଟିଭି ନଜରରେ ଉପରୋକ୍ତ ବୁଥ୍ ଗୁଡ଼ିକୁ ପରିଚାଳନା ପାଇଁ ଦୃଷ୍ଟି ଆକର୍ଷଣ କରାଇଛନ୍ତି । ଏଥିସହ କଟକ ଜିଲ୍ଲାପାଳ, ଜିଲ୍ଲା ଆରକ୍ଷୀ ଅଧିକ୍ଷକ, ଆଠଗଡ଼ ଉପଜିଲ୍ଲାପାଳଙ୍କ ସମେତ ଆଠଗଡ଼ ଥାନା ନୀରିକ୍ଷକଙ୍କୁ ପତ୍ର ମାଧ୍ୟମରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ପ୍ରାର୍ଥୀ ଶ୍ରୀ ସୂତାର ନିଜ ଜୋନ୍ ର ମତଦାନ କେନ୍ଦ୍ର ଗୁଡିକ ମଧ୍ୟରୁ ସୁନିଆମୁହଁ, ପାଇକେରାପୁରା, ନଣ୍ଡେଇଲୋ, ରାଉତରାୟପୁର, ଘଣ୍ଟିଖାଲ, ଅନନ୍ତପୁର, କଟିକିଆସାହି, ରାଜନଗର, ବେଣ୍ଟପଦା ଓ ରାଧାଗୋବିନ୍ଦପୁର ବୁଥ୍ ଗୁଡିକ ବେଶ୍ ସମ୍ବେଦନଶୀଳ ରହିଥିବା ସେ ଦର୍ଶାଇଛନ୍ତି । ତେଣୁ ମତଦାନ ବେଳେ ମତଦାତା ମାନେ ଯେପରି ଶାନ୍ତିଶୃଙ୍ଖଳାର ସହ ମତଦାନ କରିପାରିବେ ଓ ବୁଥ୍ ଜବରଦଖଲ ଭଳି କୈାଣସି ଅପ୍ରତ୍ୟାଶିତ ଅଘଟଣ ନଘଟେ ସେଥିପାଇଁ ଉପରୋକ୍ତ ବୁଥ୍ ଗୁଡ଼ିକୁ କଡ଼ା ପୋଲିସ ସୁରକ୍ଷା ସହ ସିସିଟିଭି କ୍ୟାମେରା ନଜରରେ ରଖିବାକୁ ସେ ଅନୁରୋଧ କରିଛନ୍ତି ।

Leave a comment

Your email address will not be published. Required fields are marked *