#Exclusive

କରୋନା ଯୋଗୁଁ ପ୍ରଭାବିତ ହେବ ଭାରତୀୟ ଅର୍ଥନୀତି, ସହାୟତା ପ୍ୟାକେଜ ସଂପର୍କରେ ସରକାରଙ୍କ ବିଚାର

ନୂଆଦିଲ୍ଲୀ : ଦେଶରେ କରୋନା ଭାଇରସ ସଂକ୍ରମିତଙ୍କ ସଂଖ୍ୟା ବଢିଚାଲିଥିବାରୁ ଅର୍ଥନୀତି ଗୁରୁତର ଭାବେ ପ୍ରଭାବିତ ହେବାର ଆଶଙ୍କା ରହିଛି । କେବଳ ଭାରତ ନୁହେଁ, ସମଗ୍ର ବିଶ୍ୱର ଅର୍ଥନୀତି ଏକ ବଡ଼ ଧରଣର ମାନ୍ଦାବସ୍ଥା ଆଡ଼କୁ ମୁହାଁଇଛି । ଏହାକୁ ଦୃଷ୍ଟିରେ ରଖି ଚୀନ, ଆମେରିକା, ଫ୍ରାନ୍ସ, ଜର୍ମାନି, ଅଷ୍ଟ୍ରେଲିଆ ପ୍ରଭୃତି ଦେଶ ନିଜ ନିଜର ଶିଳ୍ପ ସଂସ୍ଥାମାନଙ୍କ ପାଇଁ ଅର୍ଥନୈତିକ ପ୍ୟାକେଜ ଘୋଷଣା କରୁଛନ୍ତି । ଭାରତ ଏପର୍ଯ୍ୟନ୍ତ କୌଣସି ପ୍ୟାକେଜ ଘୋଷଣା କରିନଥିଲେ ମଧ୍ୟ ଆଗକୁ ଅର୍ଥନୀତିକୁ ସଜାଡ଼ିବାକୁ କେତେକ ଯୋଜନା ସଂପର୍କରେ ବିଚାର କରାଯାଉଥିବା ଜଣାଯାଇଛି ।
ବିଶେଷକରି କରୋନା ଯୋଗୁଁ କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ସଂସ୍ଥାଗୁଡ଼ିକ ସବୁଠାରୁ ଅଧିକ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବାରୁ ସେମାନଙ୍କ ପାଇଁ ସହାୟତା ପ୍ୟାକେଜ, ଋଣ ସବସୀଡି, ଋଣ ପୁନର୍ଗଠନ, ଋଣଛାଡ଼, ଜିଏସଟି ଛାଡ଼ ଆଦି ସଂପର୍କରେ ବିଚାର କରାଯାଉଛି । ସେହିପରି ପର୍ଯ୍ୟଟନ, ହୋଟେଲ, ବିମାନ ଚଳାଚଳ, ଉତ୍ପାଦନ ଉଦ୍ୟୋଗ ପାଇଁ ସରକାର ସହାୟତା ପ୍ୟାକେଜ ଘୋଷଣା କରିପାରନ୍ତି ।
କରୋନା ଭାଇରସ ଏବେ ବିଶ୍ୱର ୧୭୦ଟି ଦେଶରେ ପହଞ୍ଚିଥିବାବେଳେ ପ୍ରାୟ ୨ ଲକ୍ଷ ୨୦ ହଜାର ଲୋକ ସଂକ୍ରମିତ ହୋଇଛନ୍ତି ଓ ୮୯୮୭ ରୁ ଅଧିକ ଲୋକ ମୃତ୍ୟୁବରଣ କରିଛନ୍ତି । ଭାରତରେ ଏପର୍ଯ୍ୟନ୍ତ ୧୬୬ ଜଣ ସଂକ୍ରମିତ ବ୍ୟକ୍ତି ଚିହ୍ନଟ ହୋଇଛନ୍ତି ଓ ୩ ଜଣ ମୃତ୍ୟୁବରଣ କରିଛନ୍ତି ।

Leave a comment

Your email address will not be published. Required fields are marked *