#Breaking News

ଟ୍ରେନ ଦୁର୍ଘଟଣାରେ ଦାଦନ ଶ୍ରମିକଙ୍କ ମୃତ୍ୟୁ, ଶବ ଆଣିବା ପାଇଁ ପ୍ରଶାସନକୁ ନିବେଦନ କଲେ ପରିବାର ଲୋକ


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ):ନିଜ ଗାଁରେ କାମ ନ ମିଳିବାରୁ ଦାଦନ ଖଟିବାକୁ କେରଳ ଯାଇଥିଲେ । ହେଲେ ସେଠାରେ ଟ୍ରେନ ଦୁର୍ଘଟଣାରେ ଚାଲିଗଲା ଜୀବନ । ଶବ ଆଣିବାକୁ ପରିବାର ଲୋକଙ୍କ ପାଖରେ ନାହିଁ ଅର୍ଥ । ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ କିସୁବାଡ଼ି ଗ୍ରାମରେ ଦେଖିବାକୁ ମିଳିଛି ଏଭଳି ଦୁଃଖ ଦାୟକ ଘଟଣା । ଏହି ଗ୍ରାମର ଲକ୍ଷ୍ମୀକାନ୍ତ ପ୍ରଧାନଙ୍କ ୨୨ ବର୍ଷୀୟ ପୁଅ ରମାକାନ୍ତ ପ୍ରଧାନ ଦାଦନ ଖଟିବାକୁ କେରଳର ତ୍ରିଶୁର ଅଂଚଳକୁ ଗତ ୨୦୧୯ ମସିହାରେ ଯାଇଥିଲା । ପରିବାର ପ୍ରତିପୋଷଣ ପାଇଁ ଘରକୁ ଟଙ୍କା ମଧ୍ୟ ପଠାଉଥିଲା । ହେଲେ ପରିବାର ଲୋକ ବୁଧବାର ଦିନ ଖବର ପାଇଲେ , ପୁଅ ରମାକାନ୍ତ ପ୍ରଧାନର ଶବ କେରଳ ସ୍ଥିତ କୋରାଟେ ପୋଲିସ ଷ୍ଟେସନ ଅଂଚଳର ଏକ ରେଳ ଲାଇନ ଉପରେ ପଡ଼ିରହିଛି । ଶବକୁ ରେଳ ପୋଲିସ ଜବତ କରି ଦାରିଙ୍ଗବାଡ଼ି ଥାନାକୁ ସୂଚନା ଦେଇଥିଲା । ଏ ନେଇ କୋରାଟେ ପୋଲିସ ଷ୍ଟେସନରେ ଅପମୃତ୍ୟୁ ମାମଲା ନଂ ୮୨୮/୨୧ ରୁଜୁ କରି ପୋଲିସ ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଶବ ନେବାକୁ ପରିବାର ଲୋକଙ୍କୁ ଜଣାଇଦେବାକୁ ରେଳବାଇ ପୋଲିସ ଦାରିଙ୍ଗବାଡ଼ି ଥାନାକୁ କହିଥିଲେ । ଦାରିଙ୍ଗବାଡ଼ି ପୋଲିସ ରମାକାନ୍ତଙ୍କ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ଜଣାଇବା ସହ ସ୍ଥାନୀୟ ତହସିଲଦାର ଓ ବିଡ଼ିଓଙ୍କୁ ମଧ୍ୟ ଘଟଣା ସମ୍ପର୍କରେ ସୂଚନା ଦେଇଥିବା ଥାନା ଅଧିକାରୀ କୌଶିକ ମାଝୀ ପ୍ରକାଶ କରିଛନ୍ତି । ତେବେ ବର୍ତ୍ତମାନ ପରିବାର ଲୋକଙ୍କ ପାଖରେ ଟଙ୍କା ନ ଥିବା ଯୋଗୁଁ ସେମାନେ ଏତେ ଦୂରରୁ ପୁଅର ଶବ ଆଣିବାକୁ ସକ୍ଷମ ନୁହନ୍ତି । ଏଣୁ ଏଥିପ୍ରତି ଜିଲ୍ଲା ପ୍ରଶାସନ ଦୃଷ୍ଟି ଦେଇ ପୁଅର ଶବ ଆଣିଦେବାକୁ ପରିବାର ଲୋକଙ୍କ ସମେତ ଅଞ୍ଚଳ ବାସୀ ପ୍ରଶାସନକୁ ଅନୁରୋଧ କରିଛନ୍ତି ।

Leave a comment

Your email address will not be published. Required fields are marked *