#Breaking News

ଦ୍ୱିତୀୟ ପର୍ଯ୍ୟାୟ ମତଦାନ : ତୁମୁଡିବନ୍ଧ ଓ କୋଟଗଡ଼ରେ ଶାନ୍ତିପୂର୍ଣ୍ଣ ମତଦାନ, ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା


ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ)ଶୁକ୍ରବାର କନ୍ଧମାଳ ଜିଲ୍ଲାର ମାଓ ଅଧ୍ୟୁଷିତ ତୁମୁଡିବନ୍ଧ ଓ କୋଟଗଡ଼ ଦୁଇଟି ବ୍ଲକରେ ଦ୍ୱିତୀୟ ପର୍ଯ୍ୟାୟ ଭୋଟ ଗ୍ରହଣ ଶାନ୍ତିଶୃଙ୍ଖଳାର ସହ ସମାପନ ହୋଇଛି । ତୁମୁଡିବନ୍ଧରେ ୭୬.୨୨ ପ୍ରତିଶତ ମତଦାନ ହୋଇଥିବା ବେଳେ କୋଟଗଡ ରେ ୮୨.୬୯ ପ୍ରତିଶତ ମତଦାନ ହୋଇଥିଲା l ସକାଳୁ ସକାଳୁ ଲୋକେ ଭୋଟ ଦେବା ଲାଗି ଭୋଟ ଦାନ କେନ୍ଦ୍ରକୁ ଆସି ନିଜ ନିଜର ପସନ୍ଦର ପ୍ରାର୍ଥୀଙ୍କୁ ଭୋଟ ଦେଉଥିବା ଦେଖିବାକୁ ମିଳିଥିଲା । ବିଶେଷକରି ମହିଳାମାନେ ବେଶି ଆଗ୍ରହ ପ୍ରକାଶ କରି ଆସି ଭୋଟ ଦେଉଥିବା ଦେଖାଯାଇଥିଲା । ମହିଳାମାନଙ୍କ ପାଇଁ ମହିଳା କର୍ମଚାରୀଙ୍କ ଦ୍ଵାରା ପ୍ରତି ବ୍ଳକରେ ଦୁଇଟି ଲେଖାଁଏ ପିଙ୍କ ଭୋଟଦାନ କେନ୍ଦ୍ର ମଧ୍ୟ ଖୋଲାଯାଇଛି। ଜିଲ୍ଲାପ୍ରଶାସନ ଓ ପୋଲିସ ପ୍ରଶାସନ ପକ୍ଷରୁ ଏହି ଦୁଇ ବ୍ଲକରେ ଶାନ୍ତିପୂର୍ଣ୍ଣ ଭାବେ ଭୋଟ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ସତର୍କ ନଜର ରଖାଯିବା ସହ ସମସ୍ତ ପ୍ରକାର ପଦକ୍ଷେପ ମାନ ଗ୍ରହଣ କରାଯାଇଥିଲା । ମଙ୍ଗଳବାର ମାଓ ହମଲା ପରେ ଭଣ୍ଡରଙ୍ଗୀ ପଞ୍ଚାୟତର ୩ଟି ଓ ବେଲଘର ପଞ୍ଚାୟତର ଦୁଇଟି ଏପରି ୫ଟି ବୁଥ ବଦଳାଯାଇଛି । ବାଲିଗୁଡ଼ା
ଉପଜିଲ୍ଲାପାଳ ଦୁଃଖବନ୍ଧୁ ନାଏକ, ବାଲିଗୁଡ଼ା ପୋଲିସ ଏସଡିପିଓ, ବିଡିଓ ପ୍ରମୁଖ ଉପସ୍ଥିତ ରହି ନିର୍ବାଚନ ଯେପରି ମୁକ୍ତ ଅବାଧ ଓ ନିରପେକ୍ଷ ହେବ ସେ ନେଇ ସୁପରିଚାଳନା କରିଥିଲେ l ତୁମୁଡିବନ୍ଧ ବ୍ଲକରେ ଗୋଟିଏ ଜିଲା ପରିଷଦ ସଭ୍ୟ, ୧୧ଟି ସରପଞ୍ଚ ଓ ୧୧ଟି ସମିତି ସଭ୍ୟ, ୱାର୍ଡସଭ୍ୟ ୫୫ ପଦବୀ ପାଇଁ ଭୋଟ ଗ୍ରହଣ ହୋଇଥିଲା l ହେଲେ ଏହି ବ୍ଲକ ର କେତେକ ୱାର୍ଡରେ ଅନେକ ଭୋଟର ଙ୍କ ନାମ ନ ଥିବାରୁ ଚାପା ଉତ୍ତେଜନା ସୃଷ୍ଟି ହେବାର ଦେଖିବାକୁ ମିଳିଥିଲା । ସେହିପରି କୋଟଗଡ଼ ବ୍ଳକରେ ଗୋଟିଏ ଜିଲ୍ଲା ପରିଷଦ ଓ ୧୫ସରପଞ୍ଚ ଓ ୧୫ସମିତି ସଭ୍ୟ ଏବଂ ୱାର୍ଡ ସଭ୍ୟ ପାଇଁ ଭୋଟ ହୋଇଥିଲା l କୋଟଗଡ଼ ବିଡିଓ ଏବଂ ସହକାରୀ ଯନ୍ତ୍ରୀ ଓ କର୍ମଚାରୀମାନଙ୍କ ସହଯୋଗରେ ଭୋଟ ଗ୍ରହଣ ବେଶ ଶାନ୍ତିଶୃଙ୍ଖଳାର ସହିତ ସମାପନ ହୋଇଥିଲା। ଲୋକେ ବେଶ ଉତ୍ସାହର ସହ ନିର୍ଭୟରେ ଭୋଟଦାନ କେନ୍ଦ୍ରକୁ ଆସି ଭୋଟ ଦେଇଥିବା କହିଛନ୍ତି ।

Leave a comment

Your email address will not be published. Required fields are marked *