#Breaking News #District

ଟାଟା ଷ୍ଟିଲ ତରଫରୁ ବିଶ୍ୱନାଥ ବିଦ୍ୟପୀଠ ଠାରେ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଅନୁଷ୍ଠିତ


ଆଠଗଡ଼( ଉଲ୍ଲାପ୍ର )ଟାଟା ଷ୍ଟିଲ୍ ପକ୍ଷରୁ ପଠାଣି ସାମନ୍ତ ପ୍ଲାନେଟୋରିୟମ୍‌, ଭୁବନେଶ୍ୱର ସହଭାଗିତାରେ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ (ୟାଟ୍‌ସ)ର ୧୭ତମ ସଂସ୍କରଣ ଜୁଲାଇ ୨୮, ୨୦୨୩ରେ ଶୁଭାରମ୍ଭ ହୋଇଯାଇଛି । ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ମହାକାଶ ବିଜ୍ଞାନ, ମହାଜାଗତିକ ପଦାର୍ଥ ବିଜ୍ଞାନ କ୍ଷେତ୍ର ଓଡ଼ିଶାର ଛାତ୍ରଛାତ୍ରୀମାନଙ୍କୁ ନିଜର ପ୍ରତିଭା ପ୍ରଦର୍ଶନ କରିବାପାଇଁ ଏକ ମଂଚ ପ୍ରଦାନ କରିଛି । ଓଡ଼ିଆ ଜ୍ୟୋର୍ତିବିଜ୍ଞାନୀ କିମ୍ବଦନ୍ତୀ ପୁରୁଷ ପଠାଣି ସାମନ୍ତଙ୍କ ସମ୍ପର୍କରେ ସଚେତନତା ସୃଷ୍ଟି କରିବା ପାଇଁ ଏହି କାର୍ଯ୍ୟକ୍ରମ ଉତ୍ସଗ୍ରୀକୃତ ।

ଏହି କ୍ରମରେ ଆଠଗଡ଼ସ୍ଥିତ ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଛାତ୍ରଛାତ୍ରୀ ମାନଙ୍କୁ ନେଇ ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଯାଇଛି। ଛାତ୍ରଛାତ୍ରୀମାନେ ମହାକାଶ ବିଜ୍ଞାନ ତଥା ମହାଜାଗତିକ ପଦାର୍ଥ ବିଜ୍ଞାନ ଉପରେ କୁଇଜ୍ କାର୍ଯ୍ୟକ୍ରମରେ ଭାଗନେଇ ଥିଲେ। ବିଜୟୀ ପ୍ରତିଭା ମାନଙ୍କୁ ଟାଟା ଷ୍ଟିଲ ପକ୍ଷରୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା।

ଚଳିତ ବର୍ଷ ଦୁଇଟି ମାଧ୍ୟମରେ ପ୍ରତିଯୋଗିତା ଆୟୋଜିତ ହେଉଛି । ଛାତ୍ରଛାତ୍ରୀମାନେ ନିଜ ବିଦ୍ୟାଳୟରେ କିମ୍ବା ୟାଟ୍‌ସର ୱେବସାଇଟ୍ (https://bit.ly/YATS2023) ଜରିଆରେ ଅନଲାଇନ୍‌ରେ ପରୀକ୍ଷାରେ ଭାଗ ନେଇପାରିବେ । ଅନଲାଇନ ମାଧ୍ୟମରେ ଅଂଶଗ୍ରହଣ କରିବା ପାଇଁ ସେମାନଙ୍କୁ ୱେବସାଇଟ୍‌ରେ ପଞ୍ଜୀକରଣ କରିବାକୁ ପଡ଼ିବ । ଯେଉଁମାନେ ଚୂଡ଼ାନ୍ତ ପର୍ଯ୍ୟାୟକୁ ଉନ୍ନୀତ ହେବେ ସେମାନଙ୍କୁ ଡିସେମ୍ବର ୧୩, ୨୦୨୩ ତାରିଖରେ ଭୁବନେଶ୍ୱରରେ ଆୟୋଜିତ ହେବାକୁଥିବା ପୁରସ୍କାର ବିତରଣୀ ଉତ୍ସବକୁ ନିମନ୍ତ୍ରଣ କରାଯିବ । ସେହିଦିନଟି ହେଉଛି ପଠାଣି ସାମନ୍ତ ଭାବେ ପରିଚିତ ବିଶିଷ୍ଟ ଓଡ଼ିଆ ଜ୍ୟୋତିର୍ବିଜ୍ଞାନୀ ମହାମହୋପାଧ୍ୟାୟ ଚନ୍ଦ୍ରଶେଖର ସିଂହ ହରିଚନ୍ଦନ ମହାପାତ୍ରଙ୍କ ଜନ୍ମଜୟନ୍ତୀ ।

ଚଳିତ ବର୍ଷ ୟାଟ୍‌ସର ବିଷୟବସ୍ତୁ ରହିଛି “ଚନ୍ଦ୍ରର ଆଧାର-ମହାକାଶ ପାଇଁ ଭବିଷ୍ୟତର ଲଂଚ୍‌ପ୍ୟାଡ୍‌’ । ଏଥିରେ ଷଷ୍ଠରୁ ଅଷ୍ଟମ ଶ୍ରେଣୀ ପର୍ଯ୍ୟନ୍ତର ଛାତ୍ରଛାତ୍ରୀମାନଙ୍କ ପାଇଁ ସ୍କୁଲରେ କୁଇଜ୍ କାର୍ଯ୍ୟକ୍ରମ ଆୟୋଜନ କରାଯିବ । ଏଥିସହ ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କ ପାଇଁ ବିଦ୍ୟାଳୟ ଏବଂ ଅନଲାଇନରେ ଏମ୍‌ସିକ୍ୟୁ (ଏକାଧିକ ବିକଳ୍ପ ପ୍ରଶ୍ନ) ମୂଲ୍ୟାୟନ ପରୀକ୍ଷା ମଧ୍ୟ ଆୟୋଜିତ ହେବ ।

ଓଡ଼ିଶାର ପ୍ରତି ଜିଲ୍ଲାରୁ ଅଂଶଗ୍ରହଣକାରୀ ଚୟନ କରି ୨୦୨୩ ଡିସେମ୍ବର ୧୩ରେ ଭୁବନେଶ୍ୱରରେ ଆୟୋଜିତ ହେବାକୁ ଥିବା ଗ୍ରାଣ୍ଡ୍ ଫାଇନାଲ୍ ପାଇଁ ଆମନ୍ତ୍ରଣ କରାଯିବ । ସେହିଦିନ ଆଉ ଏକ ପ୍ରତିଯୋଗିତା ଆୟୋଜନ କରାଯାଇ ବିଜୟୀମାନଙ୍କ ନାମ ଘୋଷଣା କରି ପୁରସ୍କୃତ କରାଯିବ ।

ଗତ ୧୬ ବର୍ଷ ଧରି ମହାକାଶ ବିଜ୍ଞାନର ଆଶ୍ଚର୍ଯ୍ୟଗୁଡ଼ିକୁ ଅନ୍ୱେଷଣ କରିବା ଲାଗି ଯୁବବର୍ଗଙ୍କୁ ୟାଟ୍‌ସ ଅନୁପ୍ରାଣିତ କରୁଛି । ୟାଟ୍‌ସର ୧୬ତମ ସଂସ୍କରଣର ବିଜେତା ଛାତ୍ରଛାତ୍ରୀମାନେ ୨୦୨୩ ଜୁନ୍ ପ୍ରଥମ ସପ୍ତାହରେ ଭାରତୀୟ ମହାକାଶ ଗବେଷଣା କେନ୍ଦ୍ର(ଇସ୍ରୋ)ର ଅମ୍ମଦାବାଦ ସ୍ଥିତ ମହାକାଶ ପ୍ରୟୋଗ କେନ୍ଦ୍ର (ଏସ୍‌ଏସି) ପରିଦର୍ଶନ କରିଥିଲେ ଏବଂ କେନ୍ଦ୍ରର ନିର୍ଦ୍ଦେଶକଙ୍କ ସମେତ ବିଶିଷ୍ଟ ମହାକାଶ ବିଜ୍ଞାନୀଙ୍କ ସହ ଆଲୋଚନାର ସୁଯୋଗ ପାଇଥିଲେ ।

ବିଶ୍ଵନାଥ ବିଦ୍ୟାପୀଠ ହାଇସ୍କୁଲଠାରେ ଆୟୋଜିତ ଆଜିର ଏହି ଯୁବ ଜ୍ୟୋତିର୍ବିଜ୍ଞାନୀ ପ୍ରତିଭା ଅନ୍ୱେଷଣ କାର୍ଯ୍ୟକ୍ରମରେ ଛାତ୍ରଛାତ୍ରୀମାନଙ୍କ ସହ ବିଦ୍ୟାଳୟର ପ୍ରଧାନଶିକ୍ଷକ ରଘୁନାଥ ସାସମଲ, ବିଜ୍ଞାନ ଶିକ୍ଷକ ସରିତା ମିଶ୍ର ଓ କାଶୀନାଥ ସାହୁ, କଳା ଶିକ୍ଷକ ବିଜୟ କୁମାର ସାହୁ, ସହକାରୀ ଶିକ୍ଷକ ଶ୍ରଦ୍ଧାଞ୍ଜଳି ଲେଙ୍କା ଉପସ୍ଥିତ ଥିଲେ। ଟାଟା ଷ୍ଟିଲ ପକ୍ଷରୁ କାର୍ଯ୍ୟକ୍ରମକୁ କଳ୍ପନା ପ୍ରଧାନ ଓ ଯାଜ୍ଞସେନି ଦାସ ପରିଚାଳନା କରିଥିଲେ।

Leave a comment

Your email address will not be published. Required fields are marked *