#Uncategorized

ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀ ଉଦଯାପିତ ,ବିଶ୍ୱବ୍ୟାପି କୋଭିଡ ମୁକାବିଲା ନେଇ ଭୂମିକା ମହତ୍ଵପୁର୍ଣ


କଟକ/ ଭୁବନେଶ୍ୱର/ ଟରୋଣ୍ଟୋ /ନଉଜିଲ୍ୟାଣ୍ଡ/ ନିୟୁଜର୍ସି / ଦୋହା / ସିଡନୀ / ସେଲାଙ୍ଗର / ଫ୍ରାଙ୍କଫର୍ଟ / ୱେଲିଂଟନ/ ରାଇପୁର / ନୂଆଦିଲ୍ଲୀ ତା.୧୬.୧୨.: ସାରା ବିଶ୍ୱରେ ମହାମାରୀ କରୋନା ର କଡ଼ା ମୁକାବିଲା କରିବାନେଇ ମହିଳାମାନେ ଗ୍ରହଣ କରୁଥିବା ମହତ୍ୱପୂର୍ଣ୍ଣ ଭୂମିକାକୁ ସବୁ ସ୍ତରରେ ଭୁରୀ ଭୁରୀ ପ୍ରଶଂସା କରାଯାଇଛି | ଆନ୍ତର୍ଜାତୀକ ଅଶୋଭନୀୟତା ନିରୋଧ ଆନ୍ଦୋଳନ ତରଫରୁ ଆୟୋଜିତ ଶୋଭନୀୟ ବିଶ୍ୱ ମହିଳା ୱେବ ସମ୍ମିଳନୀରେ ପୃଥିବୀ ର ବିଭିନ୍ନ ଦେଶରୁ ଅଂଶଗ୍ରହଣ କରିଥିବା ନାରୀନେତ୍ରୀ ମାନେ ସାଂପ୍ରତିକ ଯୁଗରେ ସୁସ୍ଥ, ଶାଳୀନ ଓ ଶୋଭନୀୟ ସମାଜ ଗଠନ କ୍ଷେତ୍ରରେ ମହିଳା ମାନଙ୍କର ନିର୍ଣ୍ଣାୟକ ଯୋଗଦାନ ଅବଶ୍ୟଭାମ୍ବି ଓ ଅନସ୍ବୀକାର୍ଯ୍ୟ ବୋଲି ମତପ୍ରକାଶ କରିଥିଲେ | “ସାରା ବିଶ୍ୱରେ କୋଭିଡ – ୧୯ କୁ କାବୁ କରିବାନେଇ ମହିଳା ମାନଙ୍କର ପ୍ରଭାବଶାଲୀ ଭୂମିକା ଏବଂ “ଶିଶୁ କନ୍ୟାର ନିରାପତ୍ତା ଓ ସୁରକ୍ଷା ପାଇଁ ମାନବ ସମାଜକୁ ଜନାଦେଶ ” ଆଦି ଦୁଇଟି ବିଷୟବସ୍ତୁ କୁ ଆଧାର କରି ଅନୁଷ୍ଠିତ ୱେବିନାର କୁ ବିଶିଷ୍ଟ ସମାଜସେବୀ ଡ଼ଃ ଚିଦାତ୍ମିକା ଖଟୁଆ ପରିଚାଳନା କରିଥିଲେ |
ଆଲୋଚନାରେ ଅଂଶ ଗ୍ରହଣ କରି ନୂଆଦିଲ୍ଲୀ ସ୍ଥିତ ବାଳ ବିକାଶ ସମିତି ର ବରିଷ୍ଠ ସଦସ୍ୟା ଡଃ ସରିତା ସଡଙ୍ଗୀ, ଦିନେ ସମଗ୍ର ମାନବ ସମାଜକୁ ଦିଗଦର୍ଶନ ଦେଉଥିବା ଏବଂ ଦେବୀ ରୂପରେ ମଣ୍ଡପରେ ପୂଜା ପାଉଥିବା ନାରୀ, ଆଜି ରାଜରାସ୍ତାରେ ଅତ୍ୟାଚାରିତା, ଶୋଷିତ, ଲାଞ୍ଛିତ ହେବା ସହିତ ନିଜେ ପଥ ଓ ଦିଗ୍ଭ୍ରଷ୍ଟ ହୋଇଥିବା ନେଇ କ୍ଷୋଭପ୍ରକାଶ କରିଥିଲେ | ସୁପ୍ରସିଦ୍ଧ ନୃତ୍ୟଶିଳ୍ପୀ ତଥା ଛତିଶଗଡ଼ ଜନଜାତି ସାଂସ୍କୃତିକ ବିଭାଗ ର ଉପସଚିବ ପୂର୍ଣ୍ଣଶ୍ରୀ ରାଉତ ଜନଜାତି ଅନ୍ଧ, ମୂକ, ବଧିର ପିଲାମାନଙ୍କୁ ଏହି କୋଭିଡ ସମୟ ରେ ନୃତ୍ୟ, ସଂଗୀତ ଓ ବୈଷୟିକ ଶିକ୍ଷା ପ୍ରଦାନ କରି ସେମାନଙ୍କୁ ଯୋଗ୍ୟ ଏବଂ ସ୍ୱୟଂସମ୍ପନ୍ନ ବନାଯିବାର ଅବଶ୍ୟକତା ଉପରେ ଜୋର ଦେଇଥିଲେ |

ଚାଟାର୍ଡ ଆକାଉଂଟଣ୍ଟ ଶୀତଳ ବୈଦ୍ୟ ଦେଶପାଣ୍ଡେ ଉପନିଷଦର ପଂକ୍ତିକୁ ଉଦ୍ଧାରକରି, ବସୁଧୈବ କୁଟୁମ୍ବକଂ ଆଧାରିତ ଭାରତୀୟ ସଂସ୍କୃତି ସମଗ୍ର ବିଶ୍ୱର ନର ଓ ନାରୀଙ୍କୁ ଏକ ପରିବାର ମଧ୍ୟରେ ଆବଦ୍ଧ କରି ଉଭୟଙ୍କୁ ସମାନ ମାନ୍ୟତା ପ୍ରଦାନ କରୁଛି ବୋଲି ମତ ପ୍ରକାଶ କରିଥିଲେ | ନିଉଜିଲାଣ୍ଡରୁ ସୁରଭି ପଟ୍ଟନାୟକ ବର୍ତ୍ତମାନ ସମୟରେ ନାରୀର ସଂଜ୍ଞାରେ ବ୍ୟାପକ ମାତ୍ରାରେ ପରିବର୍ତ୍ତନ ପରିଲକ୍ଷିତ ହେଉଛି, ବୋଲି ଦର୍ଶାଇ ଶିକ୍ଷାର ପରିସରକୁ କେବଳ ନାରୀ ଓ ନରଙ୍କ ଭେଦଭାବ ଭିତରେ ସୀମିତ ନରଖିବାକୁ ପରାମର୍ଶ ଦେଇଥିଲେ | ଅନଲାଇନ ସମାବେଶରେ ଉଦବୋଧନ ଦେଇ କାନାଡ଼ା ଓଡ଼ିଆ ସମାଜ ର ସଭାପତି ଡଃ ସୁନନ୍ଦା ମିଶ୍ର ପଣ୍ଡା ନାରୀ, ବ୍ୟକ୍ତି, ଗୋଷ୍ଟି, ଏବଂ ବିଶ୍ୱ ଆଦି ତିନୋଟି ସ୍ତରରେ ସାଂପ୍ରତିକ କୋଭିଡ ମହାମାରୀ ଦ୍ୱାରା ବ୍ୟାପକ ଭାବେ ଆକ୍ରାନ୍ତ ସମାଜର ଅନବରତ ସେବା କରିଚାଲିଛି ବୋଲି ଦର୍ଶାଇଥିଲେ | ସମାଜର ମେରୁଦଣ୍ଡ କୁହାଯାଉଥିବା ମହିଳା ମାନଂକର ଯୁଗଯୁଗ ଧରି ଏକ ସ୍ୱତନ୍ତ୍ର ସ୍ଥାନ ରହିଆସିଛି ଏବଂ ଏବେବି ରହିଛି ତଥା ଭବିଷ୍ୟତରେ ମଧ୍ୟ ରହିଥିବ ବୋଲି ଡ଼ଃ ମିଶ୍ରପଣ୍ଡା ଉଲ୍ଲେଖ କରିଥିଲେ | ଜର୍ମାନୀରୁ ମାଳତୀ ଟି କୃଷ୍ଣସ୍ୱାମୀ ନିଜ ପରିବାରର ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ଏବଂ ଏହାକୁ ଆଗେଇନେବା ଦିଗରେ ନାରୀମାନଙ୍କର ଭୂମିକା ଅତି ମହତ୍ୱପୂର୍ଣ୍ଣ ବୋଲି ସୁଚାଇଥିଲେ | ଆମେରିକାରୁ ଶୁଭଶ୍ରୀ ଦାଶ କରୋନା ମହାମାରୀ ଯୋଗୁଁ ନାରୀ ମାନେ ବହୁ ଭାବରେ ମାନସିକ ଦୁଶ୍ଚିନ୍ତା ର ଶିକାର ହୋଇଛନ୍ତି ବୋଲି ଦର୍ଶାଇ ନାରୀ ଜାତିର ସଶକ୍ତିକରଣ ତଥା କନ୍ୟାସନ୍ତାନର ଶିକ୍ଷା, ଦୀକ୍ଷା ଉପରେ ଗୁରୁତ୍ୱ ଆରୋପ କରିଥିଲେ |
ଏହି ଇଣ୍ଟରନେଟ ଅଧିବେଶନ ରେ ଉଦବୋଧନ ଦେଇ କତାରର ଭାରତୀୟ ମହିଳା ସଂଗଠନର ସଭାପତି ସୁସ୍ମିତା ପଟ୍ଟନାୟକ କୋଭିଡ ମହାମାରୀ କୁ କାବୁ କରିବାରେ ନାରୀ ମାନଙ୍କର ବଳିଷ୍ଠ ଯୋଗଦାନ କୁ ଭୁରୀ ଭୁରୀ ପ୍ରଶଂସା କରିଥିଲେ | ବିଖ୍ୟାତ ଚଷୁ ବିଶେଷଜ୍ଞ ଓ ସାହିତ୍ୟକ ଡ଼ଃ. ଅନିତା ପଣ୍ଡା ନାରୀ ର ବିକାଶ ହେଲେ ହିଁ ସମାଜ ଉନ୍ନତି ପଥେ ଅଗ୍ରସର କରିପାରିବ ବୋଲି ମତ ପ୍ରକାଶ କରିଥିଲେ | ମାଲେସିଆର ଗ୍ରୀନ ଔର୍ଲଡ ଫୋରମର ମହାସଚିବ ମାଗେଶ୍ୱରୀ ନାଦରାଜନ ସାରା ପୃଥିବୀରେ ମହିଳା ମାନେ ଏହି କୋଭିଡ କାଳରେ ନିଭାଉଥିବା ଗୁରୁତ୍ୱପୂର୍ଣ ଭୂମିକାକୁ ପ୍ରାଞ୍ଜଳ ଓ ଜୀବନ୍ତ ଭାବେ ଅବତାରଣା କରିଥିଲେ | ଅଷ୍ଟ୍ରେଲିଆରୁ ଡ଼ଃ ପ୍ରଭାତୀ ପାଣିଗ୍ରାହୀ କନ୍ୟା ସନ୍ତାନର ଶିକ୍ଷା ଓ ସମ୍ପନ୍ନତା ଦିଗରେ ସରକାରୀ ଓ ବେସରକାରୀ ସ୍ତରରେ ଅଗ୍ରାଧିକାର ଦିଆଯିବାକୁ ନିବେଦନ ଜଣାଇଥିଲେ |
ଏହି ଅବସରରେ ଭିଡିଓ କାନଫରେନସିଂ ଜରିଆରେ ଅନୁଷ୍ଠିତ “ମାନବିକତାର ସର୍ବବ୍ୟାପୀ ପ୍ରତିଫଳନ” ଶୀର୍ଷକ କବିତା ଆସର ରେ ଦେଶର ବହୁ ପ୍ରତିଷ୍ଠିତ କବୟିତ୍ରୀ ଭାଗ ନେଇଥିଲେ |ବିଶ୍ଵବ୍ୟାପୀ ମାନବିକତା ର ପ୍ରଦର୍ଶନ ଓ ପ୍ରତିଫଳନ ନେଇ ମହିଳା ମାନଙ୍କ ର ପ୍ରଭାବୀ ଭୂମିକା ତଥା ମହାମାରୀ କରୋନା କୁ ଆୟତ୍ତ୍ୱାଧୀନ ରଖିବା ନେଇ ମାତୃଶକ୍ତିର ବିଶେଷତ୍ୱକୁ ଆଧାର କରି କବି ମାନେ ସେମାନଙ୍କର କବିତା ମାଧ୍ୟମରେ ଅନନ୍ୟ ଓ ଅପୂର୍ବ ସୃଜନଶୀଳ ପ୍ରତିଭା ତଥା ପାରଦର୍ଶିତାର ପରିଚୟ ପ୍ରଦାନ କରିଥିଲେ | କବି ସମ୍ମିଳନୀ ରେ ଅଂଶଗ୍ରହଣ କରିଥିବା ବିଶିଷ୍ଟ ସାରସ୍ୱତ ସାଧିକା ମାନଙ୍କ ମଧ୍ୟରେ ଡ଼ଃ ଲକ୍ଷ୍ମୀ ଭଟ୍ଟ, ଲତା ବିନୋଦ ନୋବାଲ, ଡ଼ଃ ଅନିତା ସାବତ, ତପତି ପାଣିଗ୍ରାହୀ, ମାହିଯା ଦଳବେହେରା, ନେହା ଆଲ୍ଲାହାବାଦୀ, ଡ଼ଃ ସିଗମା ସତୀଶ, ଜୟଶ୍ରୀ ମହାପାତ୍ର ଓ ରୀତା ପାତ୍ର ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ |

ପ୍ରଖ୍ୟାତ କଣ୍ଠଶିଳ୍ପୀ ଅନିନ୍ଦିତା ଦାସଙ୍କ ଦ୍ୱାରା କୁମାର ଭାଇଙ୍କର ରଚିତ ଆବାହନୀ ସଂଗୀତ ‘ମାଲୋମା’ ର ଗାୟନ ବେଶ ମନମୁଗ୍ଧକର ଥିଲା | ଶୋଭନୀୟ ଆନ୍ଦୋଳନର ସଦସ୍ୟ ଡ଼ଃ ବନଲତା ଦେବୀ ଧନ୍ୟବାଦ ପ୍ରଦାନ କରି ଆଜିର ସମାଜ ହିଂସା , ଈର୍ଷା , କାତରତା ର କରାଳ ଛାୟାରୁ ଖୁବ ଶୀଘ୍ର ମୁକ୍ତ ହେବ ବୋଲି ଆଶା ପ୍ରକଟ କରିଥିଲେ |କବିତା ଆସରକୁ ଈପସା ପ୍ରତିବିମ୍ବିତା ଷଡ଼ଙ୍ଗୀ ଖୁବ ସୁନ୍ଦର, ସୁଚାରୁ ଓ ସାବଲୀଳ ଢଙ୍ଗରେ ସଂଚାଳନା କରିଥିଲେ | ସମଗ୍ର କାର୍ଯ୍ୟକ୍ରମ ଶୋଭନୀୟ ଆନ୍ଦୋଳନର ନିର୍ଦେଶକ ତଥା ସମ୍ମିଳନୀର ଅଧ୍ୟକ୍ଷା ଡ଼ଃ ଅରୁନ୍ଧତୀ ଦେବୀଙ୍କର ସକ୍ରୀୟ ତତ୍ୱାବଧାନ ରେ ସଂପନ୍ନ ହୋଇଥିଲା | ସଭା ଶେଷରେ ଡ଼ଃ ଦେବୀଙ୍କ ନେତୃତ୍ୱରେ ବୃନ୍ଦଗାନ ଜଗତକଲ୍ୟାଣ ପ୍ରାର୍ଥନା ପରିବେଷଣ କରାଯାଇଥିଲା | ଏହି ଆୟୋଜନରେ ଗୁରୁମା ମମତା ପ୍ରଧାନ ସହଯୋଗ କରିଥିଲେ | ନନ୍ଦନ ଦ୍ବିବେଦୀ ଡିଜିଟାଲ ମଞ୍ଚକୁ ଦକ୍ଷତାର ସହିତ ନିୟନ୍ତ୍ରଣ କରିଥିଲେ |

Leave a comment

Your email address will not be published. Required fields are marked *