#Uncategorized

ବାଲିଗୁଡା:ଖରାଦିନ ଆରମ୍ଭରୁ ଜଳକଷ୍ଟ, ଟାଙ୍କି ଅଛି ହେଲେ ପାଣି ନାହିଁ


ବାଲିଗୁଡା,୫/୪.(ସଞ୍ଜୟ କୁମାର ପାଣିଗ୍ରାହୀ): ବର୍ତ୍ତମାନ ଖରାଦିନ ଆସିଯାଇଛି , ଟୋପେ ବିଶୁଦ୍ଧ ପିଇବାପାଣି ପାଇଁ ଡହଳ ବିକଳ ହେଉଛନ୍ତି ଅଞ୍ଚଳବାସୀ । ହେଲେ ଦୁଃଖ ଶୁଣୁଛି କିଏ..? ସରକାରଙ୍କ ବସୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି, ହେଲେ ଏଯାଏଁ କାର୍ଯ୍ୟକ୍ଷମ ହୋଇପାରିନାହିଁ । ଏଭଳି ଅଭିଯୋଗ ଆସିଛି କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ କ.ନୂଆଗାଁ ବ୍ଲକ୍‌ ଜିରିଡ଼ିକିଆ ପଞ୍ଚାୟତରୁ । ଗତ ପଞ୍ଚାୟତ ନିର୍ବାଚନ ପୂର୍ବରୁ ୧୧ଟି ୱାର୍ଡକୁ ନେଇ ନୂତନ ଭାବେ ଏହି ପଞ୍ଚାୟତ ଗଠନ ହୋଇଥିଲା । ନିର୍ବାଚନ ବି ହେଲା ପ୍ରାର୍ଥୀ ମଧ୍ୟ ନିର୍ବାଚିତ ହେଲେ । କିନ୍ତୁ ପୂର୍ବ ଭଳି ସମସ୍ୟା ଭୋଗୁଛନ୍ତି ଅଞ୍ଚଳବାସୀ । ପ୍ରତି ପଞ୍ଚାୟତରେ ଲୋକେ ଘରକୁ ପାଇପ୍‌ ଯୋଗେ ବିଶୁଦ୍ଧ ପାନୀୟ ଜଳ ପାଇବା ପାଇଁ ସରକାର ଯୋଜନା ମାଧ୍ୟମରେ ସବୁ ବ୍ୟବସ୍ଥା କରୁଛନ୍ତି । ହେଲେ କିଛି ସରକାରୀ ବାବୁଙ୍କ ଅବହେଳା ଯୋଗୁଁ ଗ୍ରାମାଞ୍ଚଳର ଲୋକେ ଯୋଜନାର ସୁଫଳ ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହେଉଛି । ବସୁୁଧା ଯୋଜନାରେ ପାଣି ଟାଙ୍କି ନିର୍ମାଣ ସରିଛି । ଘରକୁ ଘରପାଇପ୍‌ କନେକ୍ସନ୍‌ ମଧ୍ୟ ହୋଇଛି । ହେଲେ ନିର୍ମାଣ କାର୍ଯ୍ୟ ସରିବାର ଛ ମାସ ବିତିଯାଇଥିଲେ ମଧ୍ୟ ଏଯାବତ୍‌ ଅଞ୍ଚଳବାସୀ ସେବା ପାଇବାରୁ ବଞ୍ଚିତ ଅଛନ୍ତି । ବାଧ୍ୟହୋଇ ଦୂଷିତ ଚୁଆ ପାଣି ବ୍ୟବହାର କରୁଥିବା କହିଛନ୍ତି ଅଞ୍ଚଳବାସୀ । ଆଗକୁ ଆସୁଛି ଆହୁରି ବଡ଼ ଖରାଦିନ । ଏବେଠାରୁ ନଈ, ନାଳ, ପୋଖରୀ, ଚୁଆ ଶୁଖିବାକୁ ଲାଗିଲାଣି । ଦୁଷିତ ପାଣି ବ୍ୟବହାର କରି ଲୋକେ ବିଭିନ୍ନ ଅଜଣା ରୋଗରେ ପଡ଼ୁଥିବା ଅଭିଯୋଗ ମଧ୍ୟ ହେଉଛି । ଏଭଳି ପରିସ୍ଥିତିରେ ଯଥାଶୀଘ୍ର ନିର୍ମାଣଧୀନ ପାଣି ଟାଙ୍କି କାର୍ଯ୍ୟକ୍ଷମ ହେଲେ ଜିରିଡ଼ିକିଆ ପଞ୍ଚାୟତର ଚାରୋଟି ୱାର୍ଡର ୨୦୦ରୁ ଉର୍ଦ୍ଧ୍ୱ ପରିବାର ଉପକୃତ ହୋଇପାରିବେ ବୋଲି କହିଛନ୍ତି ଅଞ୍ଚଳବାସୀ ।

Leave a comment

Your email address will not be published. Required fields are marked *