#Breaking News #Uncategorized

ଆମେରିକାରେ ଓଡ଼ିଶାର ବ୍ୟବସାୟିକ ସୁଯୋଗ ସମ୍ପର୍କରେ ଆଲୋଚନା


ନିଉୟର୍କ / ନିଉଇଂଲଣ୍ଡ / ରୋଡ୍‍ସ୍‍ ଆଇଲ୍ୟାଣ୍ଡ / ଭୁବନେଶ୍ୱର, ୧୧ା୪ : ‘ବ୍ୟବସାୟ ପାଇଁ ଓଡ଼ିଶାରେ ମହଯୁଦ ଆକର୍ଷକ ସୁଯୋଗ ଓ
ପ୍ରୋତ୍ସାହନକୁ ପରଖିବା’ ବିଷୟବସ୍ତୁ ଶୀର୍ଷକ ଏକ ଅନ୍‍ଲାଇନ୍‍ ଆଲୋଚନାଚକ୍ର ନିକଟରେ ଆମେରିକାରେ ଅନୁଷ୍ଠିତ ହୋଇଯାଇଛି ।
ନିଉୟର୍କସ୍ଥିତ ଭାରତୀୟ କନ୍‍ସୁଲେଟ୍‍, ମିଲନ୍‍ ସାଂସ୍କୃତିକ ସଂଘ ଏବଂ ନିଉଇଂଲଣ୍ଡ ଓଡ଼ିଶା ସମାଜର ମିଳିତ ଆନୁକୂଲ୍ୟରେ ଆୟୋଜିତ ଏହି
ଭର୍ଚ୍ଚୁଆଲ ସଭାରେ ବିଶିଷ୍ଟ ବକ୍ତାମାନେ ଯୋଗ ଦେଇ ବ୍ୟବସାୟ ପାଇଁ ଓଡ଼ିଶାରେ ଭରି ରହିଥିବା ଅପାର ସୁବିଧା, ସୁଯୋଗ ସମ୍ପର୍କରେ
ଆଲୋକପାତ କରିବା ସହିତ ପୂର୍ବଭାରତର ଏହି ଶିଳ୍ପ ସମୃଦ୍ଧ ଲକ୍ଷ ପ୍ରଦେଶକୁ ଆପଣେଇବାକୁ ଆମେରିକୀୟ ଉଦ୍ୟୋଗପତିମାନଙ୍କୁ ସାଦର
ନିମନ୍ତ୍ରଣ ଜଣାଇଥିଲେ । ବିଶେଷ କରି ଓଡ଼ିଶାରେ ଉପଲବ୍ଧ ବ୍ୟାପକ ଖଣିଜ ସମ୍ପଦ, ପର୍ଯ୍ୟଟନ ସମ୍ଭାର ଏବଂ ନିର୍ମାଣଗତ ଭିତ୍ତିଭୂମିର ସଠିକ୍‍
ଉପଯୋଗ ପାଇଁ ଛୋଟ, ବଡ଼ ଉଦ୍ୟୋଗ ଏବଂ ଷ୍ଟାର୍ଟଅପ୍‍ ୟୁନିଟ୍‍ ସ୍ଥାପନ ପାଇଁ ସେମାନେ ଶିଳ୍ପୋଦ୍ୟୋଗୀମାନଙ୍କର ଦୃଷ୍ଟି ଆକର୍ଷଣ କରିଥିଲେ ।


ରାଜ୍ୟରେ ମହଯୁଦ ଥିବା ଇସ୍ପାତ ଓ ଆଲୁମିନିୟମ ସ୍ମେଲଟର୍‍ ପ୍ଲାଣ୍ଟ, ଆଲୁମିନିୟମ ଆଧାରିତ ଏରୋସ୍ପେସ୍‍, ପ୍ରତିରକ୍ଷା ଉତ୍ପାଦନ କେନ୍ଦ୍ର, ବିମାନ
ଚାଳନା, ରକ୍ଷଣାବେକ୍ଷଣ ଏବଂ ମରାମତି ନେଇ ବୈଷୟିକ ସୁବିଧା, ସୂଚନା ଓ ପ୍ରଯୁକ୍ତି ବିଦ୍ୟା, ଜୈବିକ ଜ୍ଞାନକୌଶଳ, ପେଟ୍ରୋଲିୟମ,
କେମିକାଲ୍ସ, ପେଟ୍ରୋ କେମିକାଲ୍ସ, ଫାର୍ମାସିଉଟିକାଲ୍ସ, ପ୍ଲାଷ୍ଟିକ୍‍ସ, ପଲିମର୍‍ସ, ଇ.ଏସ୍‍.ଡି.ଏମ୍‍ ୟୁନିଟ୍‍ସ ଏବଂ ସର୍ବୋପରି ଆନ୍ତରିକ
ଆତିଥେୟତା ଆଦି ସାକାରତ୍ମକ ସଂସାଧନର ଉପସ୍ଥିତି ଯୋଗୁଁ ରାଜ୍ୟ ବିଦେଶୀ ପୁଞ୍ଜି ଆକୃଷ୍ଟ କରିବାର ପ୍ରକୃତ କ୍ଷେତ୍ର ବନିଥିବା ସେମାନେ
ଦର୍ଶାଇଥିଲେ । ଓଡ଼ିଶାର ମହାନ ନୌବାଣିଜ୍ୟ ଐତିହ୍ୟର ଦୃଷ୍ଟାନ୍ତ ଦେଇ ଏବେ ଭାରତର ଅନ୍ୟତମ ବୃହତ୍‍ ବନ୍ଦର ପାରଦ୍ୱୀପ, ଆସିଆନ୍‍ ରାଷ୍ଟ୍ର
ସମୂହର ପୂର୍ବ ପ୍ରବେଶ ଦ୍ୱାରର ମାନ୍ୟତା ହାସଲ କରିପାରିଥିବା ସୂଚାଇଥିଲେ । ରାଜ୍ୟର ଶିଳ୍ପ ସୁହାଇବା ବାତାବରଣ ତଥା ଉଦ୍ୟୋଗୀକରଣ
ପ୍ରେରିତ ନୀତିରୁ ଆମେରିକୀୟ କର୍ପୋରେଟ ଜଗତ ଭରପୂର ଫାଇଦା ହାସଲ କରିବାକୁ ସେମାନେ ନିବେଦନ କରିଥିଲେ ।
ଆଲୋଚନାରେ ଭିଡିଓ କନ୍‍ଫରେନ୍ସିଂ ଜରିଆରେ ଅଂଶଗ୍ରହଣ କରି ନିଉୟର୍କରେ ଅବସ୍ଥାପିତ ଭାରତୀୟ କନ୍‍ସଲ୍‍ ଜେନେରାଲ ରଣଧୀର
ଜୟସ୍ୱାଲ୍‍, ଭାରତ ବର୍ଷର ସ୍ୱାଧୀନତାର ୭୫ତମ ବାର୍ଷିକୀ ପାଳନ ଅବସରରେ ଓଡ଼ିଶା ହାସଲ କରିଥିବା ଅସୀମ ପ୍ରଗତି ଓ ରାଜ୍ୟର ଅପରିମିତ
ପ୍ରାଚୁର୍ଯ୍ୟ ସମ୍ପର୍କରେ ଉଲ୍ଲେଖ କରିଥିଲେ । ନିଉୟର୍କ୍‍ସ୍ଥିତ ଭାରତ ସରକାରଙ୍କର ପର୍ଯ୍ୟଟନ ସହ ନିର୍ଦ୍ଦେଶକ ଭି.ସେଥୁର କୁମାରନ୍‍ ଓଡ଼ିଶାର
ସାମଗ୍ରିକ ଶିଳ୍ପାୟନ ମାନଚିତ୍ରକୁ ଖୁବ୍‍ ପ୍ରାଞ୍ଜଳଭାବେ ଉପସ୍ଥାପନ କରିଥିଲେ । ରାଜ୍ୟ ସରକାରଙ୍କର ବ୍ୟାପାର ଓ ପରିବହନ ବିଭାଗର ପ୍ରମୁଖ
ସଚିବ ମଧୁସୂଦନ ପାଢ଼ୀ, ଓଡ଼ିଶାର ବନ୍ଦର ନୀତି ତଥା ବିକଳ୍ପ ଶକ୍ତି ଉତ୍ସ ସମ୍ପର୍କରେ ବିସ୍ତୃତ ଭାବେ ବାଖ୍ୟା କରିଥିଲେ ।
ୱେବ୍‍ ସମାବେଶକୁ ସମ୍ବୋଧନ କରି ରାଜ୍ୟ ଶିଳ୍ପ, ଶକ୍ତି ଏବଂ ଗୃହମନ୍ତ୍ରୀ କ୍ୟାପ୍‍ଟେନ୍‍ ଦିବ୍ୟଶଙ୍କର ମିଶ୍ର, ଅଚଳାଚଳ ପ୍ରାକୃତିକ ସମ୍ପଦ ଓ ଉନ୍ନତ
ମାନବସମ୍ବଳ ଭରା ଓଡ଼ିଶା, ଶିଳ୍ପ ସମୃଦ୍ଧିର ଶୀର୍ଷତ୍ୱ ହାସଲ କରିବାର ଯୋଗ୍ୟତା ରଖିଥିବା ଦର୍ଶାଇଥିଲେ । ଆମେରିକାର କେ.ଏମ୍‍.ଏଫ୍‍ ଗ୍ରୁପ୍‍ର
ଅଧ୍ୟକ୍ଷ କେ.ଭି. କୁମାର, କୃଷି ଏବଂ ଔଷଧୀୟ କ୍ଷେତ୍ରରେ ଭାରତ ଓ ଆମେରିକାର ଦୀର୍ଘ ତଥା ନିବିଡ଼ ବ୍ୟାପାରିକ ସମ୍ପର୍କ ସମ୍ବନ୍ଧରେ ତଥ୍ୟ
ପ୍ରଦାନ କରିଥିଲେ । ଆଟ୍‍ମୋସ୍‍ଫିୟର ହୋଟେଲ ଏଣ୍ଡ ରିସର୍ଚ୍ଚସ୍‍ର ପ୍ରତିଷ୍ଠାତା ଓ ପରିଚାଳନା ନିର୍ଦ୍ଦେଶକ ସଲିଲ୍‍ ପାଣିଗ୍ରାହୀ ଓ ଓଡ଼ିଶାର ବାର୍‍
ଏବଂ ରେସ୍ତୋରାଁ ସଂଘର ସମ୍ପାଦକ ସତ୍ୟ ମହାନ୍ତି, ଓଡ଼ିଶାରେ ପର୍ଯ୍ୟଟନ ଶିଳ୍ପର ପ୍ରସାରଣ ନେଇ ତାଙ୍କ ପକ୍ଷରୁ ଗ୍ରହଣ କରାଯାଉଥିବା
ପଦକ୍ଷେପଗୁଡ଼ିକ ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ । ବିତର୍କରେ ଭାଗନେଇ ଏଚ୍‍.ସି.ଏଲ୍‍ର ବରିଷ୍ଠ ଉପ-ସଭାପତି ଶିବ ଶତପଥୀ ପ୍ରତିରକ୍ଷା
ଓ ଏରୋସ୍ପେସ୍‍, ଭ୍ଲିଙ୍କ୍‍ ଇଙ୍କ୍‍ର ସଭାପତି ଶରଦ୍‍ ପାଟ୍‍ନେ ଆଇ.ଟି ଉଦ୍ୟୋଗ, ‘କନେକ୍ଟଏମ୍‍’ର ଅଧ୍ୟକ୍ଷ ଭାସ୍କର ପାଣିଗ୍ରାହୀ ସ୍ୱଚ୍ଛଶକ୍ତି ଏବଂ
ବାୟୋ-ଫାର୍ମାସ୍ୟୁଟିକାଲ ବ୍ୟାପାରର ବିଶେଷଜ୍ଞ ଡଃ ଅରୁଣ ମହାନ୍ତି ସ୍ୱାସ୍ଥ୍ୟସେବା ଶିଳ୍ପ ସମ୍ପର୍କରେ ଚର୍ଚ୍ଚା କରିଥିଲେ ।
ମିଲନ ସାଂସ୍କୃତିକ ସଂଘର ଅଧ୍ୟକ୍ଷ ସୁରେଶ ଶର୍ମା ଡିଜିଟାଲ ମଞ୍ଚରେ ଅତିଥିମାନଙ୍କର ସ୍ୱାଗତ ସମ୍ଭାଷଣ କରିଥିଲେ । ନିଉଇଂଲଣ୍ଡ ଓଡ଼ିଶା ସମାଜର
ସଭାପତି ଦେବଦତ୍ତ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ । ରେସ୍‍ମା ଲାଲ୍‍ୱାନୀ ସମଗ୍ର କାର୍ଯ୍ୟକ୍ରମର ସୁସଂଯୋଜନା କରିଥିଲେ ।
ୱେବିନାରରେ ଉପସ୍ଥିତ ମାନ୍ୟଗଣ୍ୟ ବ୍ୟକ୍ତିମାନଙ୍କ ମଧ୍ୟରେ ଅଜୟ ମହାନ୍ତି, ନଳିନୀ ପଟ୍ଟନାୟକ, କିଶୋର ଦ୍ୱିବେଦୀ, ଅକ୍ଷୟ ମହାନ୍ତି, ହରି
ଶର୍ମା, ମାନବେଶ ଦାସ, ନବୀନ ପାଠକ, ଅଶୋକ ପାଣିଗ୍ରାହୀ ଓ ସରୋଜ ପାଣିଗ୍ରାହୀ ପ୍ରମୁଖ ଅନ୍ତର୍ଭୁକ୍ତ ଥିଲେ ।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *