#Uncategorized

ଭୟଙ୍କର ଦୁର୍ନୀତିର କଳାପାହାଡ :ବାପ ବିଷ ନମ୍ବରି ବେଟା ଚାଲିସ ନମ୍ବରି

ଭୁବନେଶ୍ୱର(ଉଲାପ୍ର)ଆଇଏଫଏସ୍ ତଥା ଅତିରିକ୍ତ ପିସିସିଏଫ୍ ଅଭୟକାନ୍ତ ପାଠକଙ୍କ ଘରେ ଚଢ଼ଉ ପରେ ଯେତିକି ଆୟବର୍ହିଭୁତ ଅର୍ଥ ମିଳିଲାଣି ତାହା ଭିଜିଲାନ୍ସ ବିଭାଗର ଅଫିସରଙ୍କ ହୋସ୍ ଉଡ଼ାଇ ଦେଇଛି। ଆଇଏଫଏସ୍ ଶ୍ରୀ ପାଠକଙ୍କ କାର୍ଯ୍ୟକଳାପ ଯେତିକି ର୍ଦୁନୀତିଗ୍ରସ୍ତ ତାଙ୍କଠୁ ଢ଼େରଗୁଣ ଅଧିକ ବିଳାସପୂର୍ଣ୍ଣ ଜୀବନ ବିତାଇଛନ୍ତି ତାଙ୍କ ପୁଅ ଆକାଶ ପାଠକ। ମୁମ୍ବାଇରେ ବିଳାସପୂର୍ଣ୍ଣ ଜୀବନ ବିତାଉଥିବା ଆକାଶ ଭଡ଼ାରେ ରହିବା ନିମନ୍ତେ ଘରଭଡ଼ା ବାବଦରେ କୋଟିଏ ଟଙ୍କାରୁ ଅଧିକ ଦେଇଥିବାବେଳେ ମୁମ୍ବାଇର ତାଜ୍ ପ୍ୟାଲେସ୍ ହୋଟେଲରେ ୯୦ଲକ୍ଷରୁ ଅଧିକ ଟଙ୍କାର ବିଲ୍ ପୈଠ କରିଛନ୍ତି। କେବଳ ସେତିକି ନୁହେଁ ମାଲେସିଆ, ହଂକଂ, ୟୁକେ, ୟୁଏ ଇ ଓ ମାଳଦୀପ ଭଳି ଦେଶକୁ ଚାର୍ଟର ପ୍ଲେନରେ ଯିବା ପାଇଁ ୩କୋଟି ଟଙ୍କାରୁ ଅଧିକ ଖର୍ଚ୍ଚ କରିଛନ୍ତି। ଉଭୟ ଅଭୟ ଓ ତାଙ୍କ ପୁଅ ଆକାଶଙ୍କର ଜୀବନଶୈଳୀ ଓ ଜବତ ହେଉଥିବା ଆୟବର୍ହିଭୁତ ସମ୍ପତ୍ତି କୁ ଦେଖିଲେ ରାଜ୍ୟ ରାଜକୋଷକୁ କିଭଳି ଚଳୁ କରାଯାଇଛି ତାହା ଜଣାପଡ଼ୁଛି।

କଟକସ୍ଥିତ ଭିଜିଲାନ୍ସ ଏସପି ଦେଇଥିବା ତଥ୍ୟ ଅନୁସାରେ, ଆଇଏଫଏସ ଅଭୟଙ୍କ ପୁଅ ଆକାଶର ବ୍ୟାଙ୍କ ଆକାଉଣ୍ଟରେ ପ୍ରାୟ ୯.୪କୋଟି ଟଙ୍କା ଜମା ଥିବା ଜଣାପଡ଼ିଛି। ଆଉ ଏଥିରୁ କେବଳ ୮.୪୦କୋଟି ଟଙ୍କା ଭୁବନେଶ୍ୱରରେ ଜମା ହୋଇଛି। ସବୁଠୁ ରୋଚକ କଥା ହେଉଛି, ଏହି ବିପୁଳ ପରିମାଣର ଟଙ୍କା ଜମା କରିବା ନିମନ୍ତେ ଶହୀଦନଗର ଓ ନୟାପଲ୍ଲୀରେ ଥିବା ଏଟିଏମକୁ ଉପଯୋଗ କରାଯାଇଛି।

ପୁଅ ଆକାଶର ନାଁରେ ମୂଲ୍ୟବାନ ଗାଡ଼ି ମର୍ସିଡିଜ୍ , ବିଏମଡବ୍ଲ୍ୟୁ ଓ ଟାଟା ହାରିଅର ଓ ଅନ୍ୟ ୩ଟି ୟାମହା ଏଫଜେଡଏସ୍ ମୋଟର ସାଇକେଲ ରହିଛି। ସେ ମଧ୍ୟ ଭଡ଼ାରେ ବହୁ ମୂଲ୍ୟବାନ ଗାଡ଼ି ଆଣିଥିବା ଚଢ଼ଉବେଳେ ଜଣାପଡ଼ିଛି। ପୁଣେ ଘର ଯାଂଚବେଳେ ସେଠାରେ ଭଡ଼ାରେ ଆସିଥିବା ୨ଟି ମର୍ସିଡିଜ୍ କାର ମଧ୍ୟ ରହିଥିଲା। କାର ଭଡ଼ା ବାବଦରେ ସେ ୨୫ଲକ୍ଷ ଟଙ୍କା ଦେଇଥିବାର ଦସ୍ତାବିଜ ମଧ୍ୟ ମିଳିଛି। ସେହିପରି ବିଳାସପୂର୍ଣ୍ଣ ଫ୍ଲାଟ୍ ଓ ଫାର୍ମହାଉସ ଭଡ଼ାବାବଦରେ ୧କୋଟି ଟଙ୍କାରୁ ଅଧିକ ପୈଠ ହୋଇଥିବାବେଳେ ହୋଟେଲ ତାଜ ପ୍ୟାଲେସର ବିଲ୍ ୯୦ଲକ୍ଷ ଟଙ୍କା ଓ ରାଜସ୍ଥାନର ଉଦୟପୁରରେ ଥିବା ତାଜଲେକ୍ ପ୍ୟାଲେସରେ ଅଗ୍ରୀମ ଭଡ଼ା ବାବଦରେ ୨୦ଲକ୍ଷ ଟଙ୍କା ପ୍ରଦାନ କରାଯାଇଥିବା ଜଣାପଡ଼ିଛି।

ଅଭୟ ଓ ତାଙ୍କ ସମ୍ପର୍କୀୟମାନଙ୍କ ଘର ଯାଂଚବେଳେ ନଗଦ ୬୦ଲକ୍ଷ ଟଙ୍କା ଜବତ ହୋଇଥିବାବେଳେ ବହୁ ମୂଲ୍ୟବାନ ଘରୋଇ ଉପକରଣ ଓ ଇଲୋକେ୍‌ଟ୍ରାନିକ୍ସ ସାମଗ୍ରୀ ମିଳିଛି। ୮୦୦ଗ୍ରାମର ସୁନା ଅଳଙ୍କାର ମିଳିଥିବାବେଳେ ୨୩ଲକ୍ଷ ଟଙ୍କାର ସୁନା କିଣା ଯାଇଥିବାର ଦସ୍ତାବିଜ ବି ମିଳିଛି। ପୁଣେ,ଭୁବନେଶ୍ୱର, ପାଟନା, ଜୁହୁ, ମୁମ୍ବାଇ, ଜାମସେଦପୁର, ଦିଲ୍ଲୀ ଆଦି ସହରରରୁ ମାଲେସିଆ,ହଂକଂ, ୟୁକେ,ୟୁଏଇ ଓ ମାଳଦୀପ ଆଦି ଦେଶକୁ ଚାଟାର୍ଡ ଫ୍ଲାଇଟରେ ଯିବା ନିମନ୍ତେ ୩କୋଟି ଟଙ୍କାରୁ ଅଧିକ ଭଡ଼ା ମଧ୍ୟ ପୈଠ ହୋଇଛି।

ଭିଜିଲାନ୍ସ ଏସପିଙ୍କ କହିବାନୁସାରେ, ଆଇଏଫଏସ ଅଭୟକାନ୍ତ ପାଠକଙ୍କ ଆୟବର୍ହିଭୁତ ସମ୍ପତ୍ତି ଯାଂଚ ନିମନ୍ତେ ଭିଜିଲାନ୍ସ ପକ୍ଷରୁ ୧୩ଟି ଜାଗାରେ ଚଢ଼ଉ କରାଯାଇଥିଲା। ସେଥିରେ ତାଙ୍କର ସରକାରୀ ବାସଭବନ, ଅଫିସ, ଭୁବନେଶ୍ୱରରେ ଥିବା ଫ୍ଲାଟ୍‌, ବିପୁଳ ଗାର୍ଡେନରେ ଥିବା ତାଙ୍କ ସମ୍ପର୍କୀୟଙ୍କ ଫ୍ଲାଟ୍ ଓ ପିପିଲିରେ ଥିବା ଡ୍ରାଇଭରର ଘର, ତାଙ୍କ ପୈତୃକ ଘର ବିହାରର ଖଗରିଆ ଜିଲ୍ଲାର ବିଷ୍ଣୁପୁର ସମେତ ପୁଣେରେ ଥିବା ୨ଟି ବିଳାସମୟ ଫ୍ଲାଟ୍ , ଆକାଶଙ୍କ ନାଁରେ ଭଡ଼ାରେ ଥିବା ପୁଣେର ଭୁଗାଁଓର ହିଲଟାଉନ୍ ଅଂଚଳରେ ଥିବା ଫାର୍ମ ହାଉସ , ଆକାଶର ମ୍ୟାନେଜରର ପୁଣେସ୍ଥିତ ଘର, ମୁମ୍ବାଇର ଜୁହୁ ଓ ମୁଲୁନ୍ଦରେ ଥିବା ପୁଅର ସାଙ୍ଗର ରେଷ୍ଟୁରାଣ୍ଟରେ ଚଢ଼ଉ ହୋଇଥିଲା। ଏବେବି ଭୁବନେଶ୍ୱର, ମୁମ୍ବାଇ, ପୁଣେ ଓ ରାଜସ୍ଥାନର ଉଦୟପୁରରେ ଚଢ଼ଉ ଜାରି ରହିଛି। ଚାଟାର୍ଡ ଆକାଉଣ୍ଟାଣ୍ଟ, ବ୍ୟାଙ୍କ ଅଫିସ, ସାଇବର ସେଲ୍ ଅଫିସର ଓ ଡକ୍ୟୁମେଣ୍ଟ ଯାଂଚ ଅଧିକାରୀମାନେ ମିଳିତ ଭାବେ ଏହି ଚଢ଼ଉରେ ସାମିଲ ହୋଇଛନ୍ତି ବୋଲି ଭିଜିଲାନ୍ସ ଏସପି ସୂଚନା ଦେଇଛନ୍ତି।।
ନିର୍ଭରଯୋଗ୍ୟ ସୂତ୍ରରୁ ମିଳିଥିବା ଖବରରୁ ଜଣା ପଡିଛି ଯେ, ରାଜ୍ୟର ପ୍ରଥମ ଥର ପାଇଁ ଏହି ବିଶାଳ ଭିଜିଲାନ୍ସ ଚଢାଉରେ ନିୟୋଜିତ ୧୫୦ ରୁ ଅଧିକ ଭିଜିଲାନ୍ସ ବିଭାଗର ଅଧିକାରୀ/ କର୍ମଚାରୀମାନେ ଦୁଇଦିନ ହେଲା, ନିଜ ନିଜ ଘରକୁ ଫେରିନାହାନ୍ତି ।।

ଆଜିର ରାଶିଫଳ

Leave a comment

Your email address will not be published. Required fields are marked *