#Uncategorized

କନ୍ଧମାଳର କଳିଙ୍ଗା ଘାଟିରେ ପ୍ରବାସୀ ଓଡ଼ିଆଙ୍କ ବସ ଦୁର୍ଘଟଣାଗ୍ରସ୍ତ, ଜଣେ ମୃତ, ଅନ୍ୟ ଜଣେ ଗୁରୁତର

ଜି ଉଦୟଗିରି: ପ୍ରବାସୀ ଓଡ଼ିଆଙ୍କୁ ନେଇ ଗୁଜୁରାଟର ସୁରତରୁ ଆସୁଥିବା ଯାତ୍ରୀବାହୀ ବସ ଗଂଜାମ ଓ କନ୍ଧମାଳ ଜିଲ୍ଲାର ସୀମାରେ ଥିବା କଳିଙ୍ଗା ଘାଟିରେ ଆଜି ସନ୍ଧ୍ୟା ସାଢ଼େ ୭ଟାରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ ଜଣେ ପ୍ରବାସୀ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣେ ଚାପି ହୋଇଯିବା ସୂଚନା ମିଳିଛି । ସେହିଭଳି କିଛି ଅନ୍ୟ ଯାତ୍ରୀ ମଧ୍ୟ ଆହତ ଓ ଗୁରୁତର ହୋଇଥିବା ପୁଲିସ କହିଛି ।

ସୂଚନା ଅନୁସାରେ ସୁରତ ଜିଲ୍ଲାର ଡାଇମଣ୍ଡ ନଗରରୁ ଏପ୍ରିଲ ୩୦ ତାରିଖ ରାତି ପ୍ରାୟ ୧୧ଟାରେ ୭୦ ଜଣ ପ୍ରବାସୀ ଓଡ଼ିଆଙ୍କୁ ନେଇ ବସ (ଶ୍ରୀ ପଟେଲ ଜିଜେ ୧୮-ଏକ୍ସ-୨୬୯୩)ଟି ବାହାରି ଥିଲା । ଆଜି କଳିଙ୍ଗା ଘାଟିର ଅନ୍ଧାରକୋଟର ତୀକ୍ଷ୍ଣ ବୁଲାଣିରେ ଗାଡ଼ିଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଏହାର କାରଣ ଥିଲା ଗାଡ଼ିଟି ଦ୍ରୁତ ଗତିରେ ଯାଉଥିଲା । ଫଳରେ ଚାଳକ ନିୟନ୍ତ୍ରଣ ହରାଇ ରାସ୍ତାର ବାମପାଶ୍ୱର୍ରେ ଥିବା ସୁରକ୍ଷା ପାଚେରୀରୁ ଉପରକୁ ଚଢ଼ାଇ ଦେଇଥିଲେ । ଗାଡ଼ି ଭିତରେ ବସିଥିବା ୭୦ ଜଣ ଲୋକଙ୍କ ମଧ୍ୟରୁ ଜଣେ ଲୋକଙ୍କର ମୃତ୍ୟୁ ହୋଇଥିଲା । ଆଉ ଜଣେ ଚାପି ହୋଇ ରହିଛନ୍ତି ।

ଗାଡ଼ିର ଚାଳକ ହଠାତ ବ୍ରେକ ଦେବାରୁ ଯାତ୍ରୀମାନେ ବସରୁ ଛିଟିକି ପଡ଼ିଥିଲେ । ବହୁ ଗୁରୁତରଙ୍କୁ ଭଞ୍ଜନଗର ଓ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି । ଏହା ପୂର୍ବରୁ ଘଟଣାସ୍ଥଳରେ କନ୍ଧମାଳ ଜିଲ୍ଲାର ବିଭିନ୍ନ ସ୍ଥାନରୁ ଆମ୍ବୁଲାନ୍ସ ଓ ଅଗ୍ନିଶମ ବିଭାଗର ଗାଡ଼ି ପହଞ୍ଚିଥିଲା । ଖବର ପାଇ ଜି ଉଦୟଗିରି ଏସଡିପିଓ ଜୟକୃଷ୍ଣ ବେହେରା ଓ ଆଇଆଇସି ଧୀରଜ ଲେଙ୍କା ପହଞ୍ଚି ଉଦ୍ଧାର କାର୍ଯ୍ୟ କରୁଛନ୍ତି । ସମସ୍ତ ଯାତ୍ରୀ ଗଂଜାମ ଜିଲ୍ଲାର ଆସିକାକୁ ଯାଉଥିଲେ । ଚାଳକ ଘାଟି ସଂପର୍କରେ ଅବଗତ ନଥିବାରୁ ଭାରସାମ୍ୟ ହରାଇଥିବା କୁହାଯାଉଛି । ରିପୋର୍ଟ ଲେଖାଯିବା ବେଳକୁ ଉଦ୍ଧାର କାର୍ଯ୍ୟ ଜାରି ରହିଛି ।

ସୂଚନାଯୋଗ୍ୟ, କରୋନା ଭାଇରସ ପାଇଁ ଦେଶରେ ଲକଡାଉନ ହେବା ପରେ ବାହାର ରାଜ୍ୟରେ ଫସିଥିବା ପ୍ରବାସୀ ଓଡ଼ିଆମାନଙ୍କୁ ଫେରାଇ ଆଣିବା ପାଇଁ ରାଜ୍ୟ ସରକାର ଉଦ୍ୟମ କରିଛନ୍ତି । ଏହି କ୍ରମରେ ରାଜସ୍ଥାନ ଓ ଗୁଜୁରାଟରୁ ପ୍ରବାସୀମାନେ ଫେରୁଛନ୍ତି । ଗତକାଲି ଓ ଆଜି ଅନେକ ପ୍ରବାସୀ ଓଡ଼ିଆ ନିଜ ଅଂଚଳରେ ପହଞ୍ଚି ସାରିଛନ୍ତି ।

Leave a comment

Your email address will not be published. Required fields are marked *