#Exclusive

ଲଭ୍‌-ସେକ୍ସ-ଧୋକା : ହାତରେ ବିବାହ ପ୍ରମାଣ ଧରି ଥାନାରେ ମହିଳା

ଭୁବନେଶ୍ବର : ମଞ୍ଚ ଉପରେ ହୋଇଥିଲା ପ୍ରେମ। ବେଦିରେ ବିବାହ କରିବେ କହି ଭଡ଼ାଘରକୁ ନେଇଥିଲେ। ବର୍ଷେ କାଳ ପତ୍ନୀ ଭଳି ରଖିଲେ। ଗର୍ଭବତୀ ହେବା ପରେ ଗର୍ଭ ନଷ୍ଟ ପାଇଁ ଚାପ ପକାଇଲେ। ଘରକୁ ନେବାକୁ ଜିଦ୍‌ କରିବାରୁ କେଉଁଆଡ଼େ ଚାଲିଗଲେ ଆଉ ପତ୍ତା ନାହିଁ। ହାତରେ ବିବାହର ନୋଟାରି କାଗଜ ଧରି ଏଭଳି ଅଭିଯୋଗ ନେଇ ମହିଳା ଥାନାର ଦ୍ବାରସ୍ଥ ହୋଇଛନ୍ତି ପୀଡ଼ିତା। ନୋଟାରିରେ ବିବାହ କରିଥିବାରୁ ବିଧିବଦ୍ଧ ଭାବରେ ସ୍ବାମୀଙ୍କ ନାମରେ ପ୍ରତାରଣାର ଅଭିଯୋଗ ଆଣିଛନ୍ତି ସମ୍ପୃକ୍ତ ମହିଳା। ପୁଲିସ ଅଭିଯୋଗକୁ ଆଧାର କରି ତଦନ୍ତ ଆରମ୍ଭ କରିଛି।ଯାଜପୁର ଦଶରଥୁର ବ୍ଲକ ଚଷାଖଣ୍ଡ ଗାଁ ନରେନ୍ଦ୍ର କୁମାର ଶତପଥୀଙ୍କୁ ପୁଅ ସୌମ୍ୟରଞ୍ଜନ ଶତପଥୀଙ୍କ ନାମରେ ଏହି ଅଭିଯୋଗ ହୋଇଛି। ରୀତିନୀତିରେ ଘରକୁ ବୋହୂ କରି ନେଇଯିବେ ବୋଲି କଥା ଦେଇ ଫେରାର ହୋଇ ଯାଇଥିବା ଲିଖିତ ଭାବେ ଅଭିଯୋଗ ହୋଇଛି। ତେବେ ଏହି ସମ୍ପର୍କ ବିଷୟରେ ସୌମ୍ୟଙ୍କ ପରିବାରବର୍ଗ ମଧ୍ୟ ଅବଗତ ଅଛନ୍ତି। ଗର୍ଭବତୀ ଥିବା ଅବସ୍ଥାରେ ଗର୍ଭପାତ କରିବାକୁ ସୌମ୍ୟ ଓ ତାଙ୍କ ପରିବାର ଲୋକ ବାଧ୍ୟ କରିଥିଲେ ବୋଲି ସେ ଅଭିଯୋଗପତ୍ରରେ ଲେଖିଛନ୍ତି। ମହିଳା ରାଜି ନ ହେବାରୁ ସୌମ୍ୟ ଓ ତାଙ୍କ ସାନ ଭାଇ ତାଙ୍କୁ ମାଡ଼ ଗାଳି କରିଥିଲେ। ଔଷଧ ଦେଇ ଗର୍ଭପାତ କରିବାକୁ ଉଦ୍ୟମ କରିଥିଲେ। ପରିବାର ଲୋକଙ୍କ ଚାପରେ କଳ୍ପନା ଛକରେ ଥିବା ଏକ ଘରୋଇ ନର୍ସିଂ ହୋମରେ ଗର୍ଭପାତ କରାଇଥିଲେ। ଲକ୍‌ଡାଉନ ସମୟରେ ସୌମ୍ୟ ତାଙ୍କୁ ଛାଡ଼ି ନିଜ ଗାଁ ଚଷାଖଣ୍ଡକୁ ପଳାଥିବା ଅଭିଯୋଗ କରିଛନ୍ତି। ସୌମ୍ୟଙ୍କ ଭାଇ ତାଙ୍କୁ ଜୀବନରୁ ମାରି ଦେବାକୁ ଧମକ ଦେଉଥିବା ମଧ୍ୟ ମହିଳାଜଣକ ଅଭିଯୋଗରେ ଲେଖିଛନ୍ତି। ଅଭିଯୋଗକୁ ଆଧାର କରି ମାମଲା ରୁଜୁ ହେବା ସହ ତଦନ୍ତ ଚାଲୁଥିବା ମହିଳା ଥାନା ପକ୍ଷରୁ ସୂଚନା ମିଳିଛି।

Leave a comment

Your email address will not be published. Required fields are marked *