#Exclusive

ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଗଲା, ମୃତଦେହକୁ ବୁଦା ଭିତରେ ଲୁଚାଇବା ସମୟରେ ଧରାପଡ଼ିଲା

ବାଲେଶ୍ୱର: ସାନଭାଇର କୁରାଢ଼ୀ ଚୋଟରେ ବଡ଼ଭାଇର ଜୀବନ ଯାଇଛି। ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକର ସିଙ୍ଗଲା ଥାନା ଅନ୍ତର୍ଗତ ଗିଲାଯୋଡ଼ି ଗାଁରେ ଆଜି ସନ୍ଧ୍ୟାରେ ଏହି ଅଭାବନୀୟ ଘଟଣା ଘଟିଛି। ମୃତକ ହେଲେ ରବୀନ୍ଦ୍ର ରାଉତ (୪୨)। ଅଭିଯୁକ୍ତର ନାମ ସୂର୍ଯ୍ୟ ରାଉତ (୪୦)। ବସ୍ତା ଏସ୍‌ଡିପିଓ ଜଳନ୍ଧର ଜାଲି କହିଛନ୍ତି, ଆଜି ଅପରାହ୍ନରେ ରବୀନ୍ଦ୍ର ରାଉତ ଓ ସୂର୍ଯ୍ୟ ରାଉତଙ୍କ ମଧ୍ୟରେ ପାରିବାରିକ କଳହକୁ ନେଇ ଗଣ୍ଡଗୋଳ ହୋଇଥିଲା। ଏହା ଭୟଙ୍କର ରୂପ ନେବାରୁ ରାଗରେ ଉତ୍ତେଜିତ ସୂର୍ଯ୍ୟ ନିଜର ହିତାହିତ ଜ୍ଞାନ ଭୁଲି ଯାଇଥିଲା। ସେ ଘର ଭିତରୁ ଏକ ଧାରୁଆ କୁରାଢ଼ୀ ଆଣି ବଡ଼ଭାଇ ରବୀନ୍ଦ୍ରଙ୍କ ମୁଣ୍ଡକୁ ଲକ୍ଷ୍ୟ କରି ଚୋଟ ପରେ ଚୋଟ ମାରି ଚାଲିଥିଲା। ମାତ୍ର ହତ୍ୟାକାଣ୍ଡ ସମୟରେ ଘଟଣାସ୍ଥଳରେ କେହି ନଥିବାରୁ ମୃତଦେହକୁ ସୂର୍ଯ୍ୟ ଘର ପଛପଟରେ ଥିବା ବୁଦା ମୂଳରେ ଲୁଚାଇବାକୁ ଉଦ୍ୟମ କରୁଥିବା ବେଳେ ଗାଁ ଲୋକେ ଦେଖି ଦେଇଥିଲେ। ସେମାନେ ଏବାଦରେ ପୁଲିସକୁ ସୂଚନା ଦେଇଥିଲେ।ଗାଁ ଲୋକଙ୍କ ଠାରୁ ଖବର ପାଇ ସିଙ୍ଗଲା ଥାନା ଅଧିକାରୀ ପ୍ରଶାନ୍ତ ଜେନାଙ୍କ ସହ ଏସ୍‌ଡିପିଓ ଜଳନ୍ଧର ଘଟଣାସ୍ଥଳରେ ପହଞ୍ଚି ଥିଲେ। ରିପୋର୍ଟ ଲେଖାଯିବା ବେଳକୁ ପୁଲିସ ମୃତଦେହକୁ ଜବତ କରିଛି। ଫେରାର ହେବାକୁ ଉଦ୍ୟମ କରୁଥିବା ସୂର୍ଯ୍ୟକୁ ଗାଁ ଲୋକେ ପୁଲିସ ନିକଟରେ ଜିମା ଦେଇଛନ୍ତି। ଆସନ୍ତାକାଲି ମୃତଦେହ ପୋଷ୍ଟମର୍ଟମ ହେବ। ପୁଲିସ ଅଭିଯୁକ୍ତକୁ ପଚରାଉଚରା କରୁଥିବା ଜଣାଯାଇଛି।ସୂଚନାଯୋଗ୍ୟ, ରବୀନ୍ଦ୍ର ରାଉତଙ୍କ ସ୍ତ୍ରୀ ପ୍ରାୟ ଏକ ବର୍ଷରୁ ଅଧିକ ହେବ ଘର ଛାଡ଼ି ନିଜ ବାପ ଘରକୁ ଚାଲିଯାଇଛନ୍ତି। ରବୀନ୍ଦ୍ରଙ୍କ ଗୋଟିଏ ପୁଅ ଓ ୫ଟି ଝିଅ ଅଛନ୍ତି। ସେମାନଙ୍କ ମଧ୍ୟରୁ ୨ ଜଣ ଝିଅଙ୍କ ବିବାହିତ। ଗାଁ ଲୋକଙ୍କ କହିବା ଅନୁସାରେ ଜମିଜମାକୁ କେନ୍ଦ୍ର କରି ଦୁଇ ଭାଇଙ୍କ ମଧ୍ୟରେ ଅନେକ ଥର ପୂର୍ବରୁ ଗଣ୍ଡଗୋଳ ହୋଇଛି।

Leave a comment

Your email address will not be published. Required fields are marked *