#Breaking News

ଲଘୁ ବନଜାତ ଦ୍ରବ୍ୟ ମହୁଲ ରେ ସମସ୍ତେ ମଲେମାଲ;ଗୋଟାଲିର ଅବସ୍ଥା ବେହାଲ


ବରଗଡ଼ (ସତ୍ୟ ନାରାୟଣ ପ୍ରଧାନ)
ଲଘୁ ବନଜାତ ଦ୍ରବ୍ୟ ମହୁଲ,ସରକାର, ବେପାରୀ, ପ୍ରସ୍ତୁତି କାରୀ ଙ୍କ ପାଇଁ ବେଶ ଲାଭଦାୟକ। ହେଲେ ଯିଏ ଏହାକୁ ସଂଗ୍ରହ ପାଇଁ ଦିନ ରାତିରେ ପରିଶ୍ରମ କରେ ତା’ର ଅବସ୍ଥା ଏବେବି ବେ ହାଲ।
କିଏ ମହୁଲ ଗୋଟାଇବାରେ ବ୍ୟସ୍ତ ତ କିଏ ଗାଁ ଦାଣ୍ଡରେ ମହୁଲ ଶୁଖାଉଛି । ଫଗୁଣ ମାସର ଆଗମନରେ ଚଳଚଞ୍ଚଳ ହୋଇଉଠୁଛି ବରଗଡ଼ ଜିଲ୍ଲାର ଆଦିବାସୀ ଅଧ୍ୟୁଷିତ ପଦ୍ମପୁର,ଝାରବନ୍ଧ, ପାଇକମାଳ, ଗାଇସିଲେଟ ଓ ଅମ୍ଭାଭୋନା ବ୍ଲକ । ଏଇଠି ସକାଳ ହେଲେ ପରିବାରର ପ୍ରତେକ ସଦସ୍ୟ ମହୁଲ ଗୋଟାଇବାକୁ ଜଙ୍ଗଲ ମୁହାଁ ହୋଇଥାନ୍ତି । ବରଗଡ଼ ଜିଲ୍ଲାର ଏହି ୫ ଗୋଟି ବ୍ଲକରେ ଦାନା ଯୋଗାଉଛି ମହୁଲ ଫୁଲ । ମାର୍ଚ୍ଚ ମାସ ଆସିଲେ ମହୁଲ ଫୁଲ ଗଛରୁ ଝଡିବାକୁ ଲାଗେ । ଜିଲ୍ଲାରେ ଏହି ବଣ ପାହାଡ ଘେରା ଅଞ୍ଚଳ ରେ ପ୍ରଚୁର ପରିମାଣରେ ମହୁଲ ଗଛ ଦେଖିବାକୁ ମିଳିଥାଏ । ଜିଲ୍ଲାର ଅନେକ ପରିବାରଙ୍କ ଜୀବନ ଜୀବିକାର ଉତ୍ସ ହେଉଛି ମହୁଲ ଫୁଲ । ବିଶେଷ କରି ଆଦିବାସୀ ପରିବାର ମହୁଲ ଫୁଲ ଗୋଟାଇ ପରିବାର ପାଇଁ କିଛି ମାସର ଅନ୍ନ ସଂସ୍ଥାନ କରିଥାନ୍ତି । ଲୋକେ ସକାଳୁ ଉଠି ମହୁଲ ଫୁଲ ଗୋଟାଇବା ପାଇଁ ଜଙ୍ଗଲ କିମ୍ବା ବିଲ ବାଡ଼ିକୁ ଯାଇଥାନ୍ତି । ଫୁଲ ସଂଗ୍ରହ ପୂର୍ବରୁ ଗଛ ତଳକୁ ସଫା ରଖିବା ପାଇଁ ନିଆଁ ଜାଳି ଦିଆଯାଏ କିମ୍ବା ମାଟି ଲେପି ଦିଆଯାଏ । ପ୍ରତିଦିନ ଭୋରରୁ ମହିଳା ଓ ପୁରୁଷମାନେ ନିଜ ଛୁଆଙ୍କ ସହ ଜଙ୍ଗଲକୁ ଯାଇ ଫୁଲ ସଂଗ୍ରହ କରୁଛନ୍ତି । ମହୁଲ ଫୁଲ ଗୋଟିଏ ଗୋଟିଏ ପଡ଼ୁଥିବାରୁ ମଧ୍ୟାହ୍ନ ପର୍ଯ୍ୟନ୍ତ ଗଛ ତଳେ ରହିବାକୁ ପଡେ । କିଛି ଲୋକଙ୍କ ନିଜ ଗଛ ଥିବା ବେଳେ କିଛି ଲୋକ ଜଙ୍ଗଲରେ ବୁଲି ବୁଲି ମହୁଲ ଫୁଲ ସଂଗ୍ରହ କରିଥାନ୍ତି ।
ମହୁଲ କାହା ପାଇଁ ମହୁଲି ନିଶା ତ କାହାର ଭାତ ହାଣ୍ଡି । ବିଶେଷ କରି ଆଦିବାସୀ ସମ୍ପ୍ରଦାୟର ପରିବାର ପ୍ରତିପୋଷଣ ପାଇଁ ଏହା ଏକ ମୁଖ୍ୟ ଉତ୍ସ । ଦୁଇ ପଇସା ରୋଜଗାର ଆଶା ନେଇ ଜଙ୍ଗଲରେ ବୁଲି ମହୁଲ ଫୁଲ ସଂଗ୍ରହ କରୁଛନ୍ତି ଲୋକେ । ପରେ ଘରେ ମହୁଲକୁ ନେଇ ଶୁଖାଇ ବେପାରୀମାନଙ୍କୁ ବିକ୍ରି କରି ଦୁଇ ପଇସା ରୋଜଗାର କରୁଛନ୍ତି । ତେବେ ପରିଶ୍ରମ ହିସାବରେ ଉଚିତ ମୂଲ୍ୟ ପାଉ ନଥିବା ଅଭିଯୋଗ ହୋଇଛି । ବେପାରି ମାନେ ୩୫ରୁ ୪୦ ଟଙ୍କା ଦେଇ ମହୁଲ ଫୁଲ କିଣି ନେଉଛନ୍ତି । ଲୁଣ, ଚାଉଳ ବଦଳରେ ମଧ୍ୟ ମହୁଲ ବିକ୍ରି କରାଯାଏ । ସରକାରଙ୍କ ରାଜସ୍ୱ ବୃଦ୍ଧିର ମୁଖ୍ୟ ସ୍ରୋତ ହେଉଛି ମହୁଲ ଫୁଲ । ମହୁଲି ମଦ ବିକ୍ରୟ କରି ସରକାର ବହୁତ ଲାଭବାନ ହୋଇଥାନ୍ତି କିନ୍ତୁ ମହୁଲ କିଣିବା ପାଇଁ ସରକାରୀ ବ୍ୟବସ୍ଥା ଉତ୍ସାହଜନକ ନୁହେଁ । ଫଳରେ ଲୋକେ ଅଭାବି ବିକ୍ରିର ଶିକାର ହେଉଥିବା କହିଛନ୍ତି । ସାଧାରଣତଃ ଲଘୁବନ ଜାତ ଦ୍ରବ୍ୟ ବିକ୍ରୟ ତିନି ପ୍ରକାରରେ ହୋଇଥାଏ । ଯିଏ ଏହା କିଣିବାକୁ ଚାହିଁବ ସେ ଗ୍ରାମ ପଞ୍ଚାୟତରେ ପ୍ରତ୍ୟେକ ଦ୍ରବ୍ୟ ପାଇଁ ୧୦୦ଟଙ୍କା ଦେଇ ରସିଦ କାଟିବ ଓ ଗୋଟିଏ ଋତୁ ପାଇଁ ଲୋକଙ୍କ ଠାରୁ ସିଧାସଳଖ କିଣି ପାରିବ । ଏମାନେ ପ୍ରାଥମିକ କ୍ରେତା, ଦ୍ଵିତୀୟରେ ଏମାନେ କୌଣସି ଗୋଦାମରେ ବିକ୍ରି କରିବେ ଓ ଶେଷରେ ଗୋଦାମ ମାଲିକ କୌଣସି କମ୍ପାନୀ କିମ୍ବା ସରକାରୀ ଭାରପ୍ରାପ୍ତ ଅଧିକାରୀଙ୍କୁ ବିକ୍ରି କରିବେ । ଏନେଇ ଜଙ୍ଗଲ ବିଭାଗ ଜନୈକ ଅଧିକାରୀଙ୍କୁ ପଚାରିବାରୁ ମହୁଲ ଫୁଲ ଓ ଅନ୍ୟାନ୍ୟ ଲଘୁଜାତ ଦ୍ରବ୍ୟ କ୍ରୟ ପାଇଁ ଏବେ ଗ୍ରାମ ପଞ୍ଚାୟତ ସ୍ତରରେ ବ୍ୟବସ୍ଥା ରହିଛି ବୋଲି କହିଥିଲେ । ଏସଂପର୍କରେ ଜଙ୍ଗଲ ମଧ୍ୟରେ ଥିବା ଚାରପାଲି ଗ୍ରାମବାସୀ ଧନୁ ମାଝୀ ଙ୍କୁ ପଚରା ଯିବାରୁ ସେ କହିଥିଲେ ମହୁଲ ସଂଗ୍ରହରେ ଯେତିକି ପରିଶ୍ରମ ହେଉଛି ସେ ଅନୁପାତରେ ମହୁଲ କିଣୁଥିବା ବେପାରୀ ପଇସା ଦେଉନାହାନ୍ତି। ସରକାରୀ ସ୍ତରରେ ସିଧାସଳଖ କିଣା ଗଲେ ଲୋକେ ଲାଭବାନ ହୁଅନ୍ତେ ବୋଲି କହିଥିଲେ।

Leave a comment

Your email address will not be published. Required fields are marked *